ଉତ୍କଳ ପାଲା ମହୋତ୍ସବ ଅନୁଷ୍ଠିତ: ପାଲାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଦାବି

କୋଣାର୍କ ୨୦-୭ (ଓଡ଼ିଆ ପୁଅ) ଗତକାଲି କୋଣାର୍କସ୍ଥିତ ଅର୍ବାନ ହାଟଠାରେ ଉତ୍କଳ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିରେ ସମର୍ପିତ ଓ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ୬୨ତମ ଜନ୍ମ ଦିବସ ଅବସରରେ ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗବେଷଣା ଓ ତାଲିମ କେନ୍ଦ୍ର ଏବଂ ଅର୍କମଣ୍ଡଳ ପାଲାଗାୟକ ପରିଷଦ ମିଳିତ ଆନୁକୁଲ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ବରିଷ୍ଠ ସମାଜକର୍ମୀ ତଥା ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ.ଏ.ଶାହା ଅନସାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ଅତିଥି ଭାବେ ବରିଷ୍ଠ ପାଲା ଗାୟକ ଜଗନ୍ନାଥ ବେହେରା, ରାଜ୍ୟ ପାଲା ଗାୟକ ପରିଷଦର ସଭାପତି ମଦନ ମୋହନ ଜେନା, ପରିଷଦର ସ୍ଥାୟୀ ଉପସଭାପତି ବିନାୟକ ରଥ, ପୁରୀ ଜିଲ୍ଲା ପାଲାଗାୟକ ସଂଘର ସଭାପତି ଗାୟକବ୍ୟାସ ଲକ୍ଷ୍ମୀଧର ଦାଶ, ରାଜ୍ୟ ପାଲାଗାୟକ ଟ୍ରଷ୍ଟର ଉପଦେଷ୍ଠା ସୁରେନ୍ଦ୍ରନାଥ ଛୋଟରାୟ, ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, ସମାଜସେବୀ କୃଷ୍ଣ ନାୟକ, ଅର୍କମଣ୍ଡଳ ପାଲାଗାୟକ ପରିଷରର ସଭାପତି ପ୍ରଫୁଲଚନ୍ଦ୍ର ରାଉତ ଓ ଗାୟକ ଆନନ୍ଦ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଉତ୍କଳୀୟ କଳା ଓ ସଂସ୍କୃତିକୁ ବଂଚାଇ ରଖି ଏହାର ପ୍ରଚାର ଓ ପ୍ରସାର କରିଆସୁଥିବା ବହୁ ଜନପ୍ରିୟ କଳା ପାଲାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ଦୀର୍ଘଦିନରୁ ପାଲା ଗାୟକ ମାନଙ୍କୁ ସରକାରଙ୍କ ଦ୍ୱାରା ଉପେନ୍ଦ୍ରଭଂଜ ସମ୍ମାନ ପ୍ରଦାନ କରାଯାଉନଥିବାରୁ ଉପସ୍ଥିତ ବରିଷ୍ଠ ପାଲା ଗାୟକ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ଉତ୍କଳୀୟ କଳା ଓ ସଂସୃତିକୁ ପାଲା ମାଧ୍ୟମରେ ସୁଦୁର ପ୍ରସାରୀ ତଥା ଉଜ୍ଜୀବିତ ରଖାଯାଇପାରିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ପରିପ୍ରେକ୍ଷୀରେ ଓଡିଆ ଯୁବପିଢି ଆଗେଇ ଆସି ପାଲା ସଂସ୍କୃତିର ପୁନଃଜାଗରଣରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡ. ଧୀରେନ୍ଦ୍ର ମହାନ୍ତି ଓ ପ୍ରତାପ ରାଉତଙ୍କୁ ଊକ୍ରଳ ପାଲା ମହୋତ୍ସବ ସମ୍ମାନ, ଶ୍ରୀ ସୁଦର୍ଶନ ମହାପାତ୍ର ଓ ହରିବଲ୍ଲଭ ଦାଶଙ୍କୁ ପଦ୍ମଶ୍ରୀ ଗୁରୁ ଗଂଗାଧର ସ୍ମୃତି ସମ୍ମାନ, ଲମ୍ବୋଦର ବେହେରା ଓ ସନ୍ତୋଷ ପଟ୍ଟନାୟକଙ୍କୁ ଗାୟକ ଆନନ୍ଦ ପ୍ରତିଭା ସମ୍ମାନ, ଉପେନ୍ଦ୍ରନାଥ ବେହେରା ଓ ଶ୍ରୀବତ୍ସ ନାୟକଙ୍କୁ କବି ସୁରଭାରତୀ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ରାଜ୍ୟ ପାଲାଗାୟକ ପରିଷଦ ପକ୍ଷରୁ ବସନ୍ତାୟନ ନାମକ ଏକ ସ୍ମରଣିକା ଉନୋ୍ମଚିତ ହୋଇଥିଲା। ଏହି ମହୋତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଉର୍ଦ୍ଧ୍ୱ ପାଲାଗାୟକ ଓ ପାଲାପ୍ରେମୀ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ। ଏହି ପାଲା ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରର ବିଶିଷ୍ଟ ଗାୟକ ଡଃ ଧିରେନ କୁମାର ମହାନ୍ତି ଓ ଗାୟକ ବାଉରିବନ୍ଧୁ ସାହୁ ଓ ଅନ୍ୟ କଳାକାର ମାନଙ୍କ ଦ୍ୱାରା ଉତ୍କଳୀୟ କଳା ଓ ସଂସୃତି ଉପରେ ଆଧାରିତ ପୈାରାଣିକ କଥାବସ୍ତୁ ଉପରେ ପାଲା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅର୍କମଣ୍ଡଳପାଲା ପରିଷଦର ସଂପାଦକ ମଙ୍ଗରାଜ ବିଶ୍ୱାଳ, ରୋଜାଲିନ ପ୍ରଧାନ, ଗାୟକ ଉପେନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *