ଆମ ସଂସ୍କୃତି, କଳା ଓ ଐତିହ୍ୟ

ଉତ୍କଳ – କୈଳାସ କପିଳାସ

– ଦେବପ୍ରସାଦ ମିଶ୍ର
ଆମ ରାଜ୍ୟ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁଣି ମନ୍ଦିର ମାଳିନୀ ପ୍ରତ୍ୟେକ ସ୍ଥାନର ଇତିହାସ ଓ କିମ୍ବଦନ୍ତୀ ରହିଛି। ମନ୍ଦିର ସହିତ ପ୍ରତ୍ୟେକ ସ୍ଥାନର ଇତିହାସ ଓ ପ୍ରାକୃତିକ ପରିବେଶକୁ ଧ୍ୟାନ ଦେଇ ରାଜ୍ୟ ସରକାର ଏକ ପର୍ଯ୍ୟଟନ ମାନଚିତ୍ର ପ୍ରକାଶ କରି ସେ ସବୁ ସ୍ଥାନକୁ ବର୍ତ୍ତମାନର ସମୟକୁ ଦେଖି ସେହିପରି ଉନ୍ନତି କରନ୍ତେ। ତେବେ ଆମ ରାଜ୍ୟ ପୃଥିବୀ ପର୍ଯ୍ୟଟନ ମାନଚିତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତା। ଅତୀତରେ ଅଧ୍ୟାପକ ଶ୍ରୀ ଗୌରୀ କୁମାର ବ୍ରହ୍ମା କିଛିଦିନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗରେ ଥିବା ବେଳେ ଭୁବନେଶ୍ୱର ପାନ୍ଥନିବାସରେ ଓଡିଶାରେ ପର୍ଯ୍ୟଟନ ଶିଳ୍ପ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭି୍ନ୍ନ ସମ୍ବାଦପତ୍ରର ସଂପାଦକ ସମେତ ରାଜ୍ୟ ସଂଗ୍ରାହଳୟର କର୍ମକର୍ତ୍ତା ଐତିହାସିକ ଗବେଷକ ଯୋଗଦେଇ ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକ କ୍ଷେତ୍ର ଉପରେ ମତାମତ ଦେଇଥିଲେ। ପ୍ରଥମେ ଢେଙ୍କାନାଳ ଜିଲ୍ଲା ଉପରେ ଆଲୋଚନା ବେଳେ ବହୁ ଐତିହାସିକ ଗବେଷକ, ସାହିତ୍ୟିକ ଜିଲ୍ଲାର କପିଳାସଠାରେ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଉପରେ ଆଲୋଚନା କରି ଉତ୍କଳ କୈଳାସ କପିଳାସ ଶୀର୍ଷକ ଆଲୋଚନାର କେତେକାଂଶ ର ବିବରଣୀ ଏଠାରେ ଉଲ୍ଲେଖ କରାଗଲା ବର୍ତ୍ତମାନର ରାଜ୍ୟସରକାର ଆମରାଜ୍ୟରେ ପର୍ଯ୍ୟଟନକୁ ଏକ ଶିଳ୍ପ ବୋଲି ମାନ୍ୟତା ଦେଇ ଯେଉଁ କାର୍ଯ୍ୟକ୍ରମ ମାନ ହାତକୁ ନେଉଛନ୍ତି ଓ ନେବାକୁ ଯାଉଛନ୍ତି ତାହା ପ୍ରଂଶସନୀୟ ଉଦ୍ୟମ। ଏଥିରେ ରାଜ୍ୟର ହିତ ଗୌରବ ସଂପର୍କରେ ଜାଣିବା ସହିତ ରାଜ୍ୟ ସରକାର ବିଦେଶୀ ମୁଦ୍ରା ମଧ୍ୟ ଉପାର୍ଜ୍ଜନ କରିପାରିବା ସହିତ ବହୁ କର୍ମ ନିଯୁକ୍ତି ମଧ୍ୟ ଦେଇ ପାରନ୍ତେ। କପିଳାସ ଓ ସପ୍ତଶଯ୍ୟା। ଦୁଇଟିଯାକ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ଦର୍ଶନୀୟ ସ୍ଥାନ। ଦୁଇଟିଯାକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଦୁଇଟିଯାକ ପୁଣି ଗୋଟିଏ ଗୋଟିଏ ସୁନ୍ଦର ଝରଣାରେ ସୁଶୋଭିତ। ସପ୍ତଶଯ୍ୟା ତୁଳନାରେ କପିଳାସର ଐତିହାସିକ ଗୌରବ ଅଧିକ ଏଠାରେ ପର୍ଯ୍ୟଟନ ଦୃଷ୍ଟିରୁ ଉତ୍କଳର କୈଳାସରୂପୀ କପିଳାସ କଥା କୁହାଯାଉଛି। କପିଳାସ ପର୍ବତ ଓଡିଶାରେ ସୁପରିଚିତ। ଏଠାରେ ଏକ ପ୍ରସିଦ୍ଧ ଶୈବପୀଠ ଅବସ୍ଥିତ। ଏହି ପର୍ବତ ଢେଙ୍କାନାଳ ଏବଂ କଟକ ଜିଲ୍ଲାର ସୀମାରେ ଦଣ୍ଡାୟମାନ। ଢେଙ୍କାନାଳ ସହରର ଟିକିଏ ପୂର୍ବରୁ ଯେଉଁ ପର୍ବତମାଳ ଆରମ୍ଭ ହୋଇଛି। ତାହା ପୂର୍ବକୁ ପୂର୍ବକୁ ଯାଇ ଏକ ଐତିହାସିକ ଓ ସାଂସ୍କୃତିକ ପରମ୍ପରାର ପୀଠରେ ପରିଣତ ହୋଇଯାଇଛି। ଟିକିଏ ଆଗପଛ ଭାବରେ କିମ୍ବା ନିକଟଦୂର ଭାବରେ ପ୍ରତ୍ୟେକ ପର୍ବତକୁ ଲକ୍ଷ୍ୟ ନ କରି ଗୋଟାଏ ସୁଦୂରପ୍ରସାରୀ ଦୃଷ୍ଟିରେ ପର୍ବତଗୁଡିକ ଦେଖିଲେ ମନେ ହେବ, ଯେପରି କି ଏହି ପାହାଡଶ୍ରେଣୀ ବା ପର୍ବତମାଳାର ପଶ୍ଚିମ ପଟକୁ ଅଛି କପିଳାସ, ମଝି ବା ଟିକିଏ ପୂର୍ବକୁ ଅଛି ମହାବିନାୟକ ଏବଂ ଚଣ୍ଡୀଖୋଲ। ଆଉ ଶେଷ ଭାଗରେ ପୂର୍ବ ସୀମାନ୍ତରେ ଅଛି ଇତିହାସ ପ୍ରସିଦ୍ଧ ରତ୍ନଗିରି, ଉଦୟଗିରି, ଏବଂ ଲଳିତ ଗିରି। ତାହା ହେଲେ କପିଳାସର ଶିବ ଉପାସନା, ମହାବିନାୟକ ପୀଠରେ ଗଣେଶ ପ୍ରଧାନ-ପଞ୍ଚ ଦେବତା ଉପାସନା, ଚଣ୍ଡୀଖୋଲରେ ଶକ୍ତିଉପାସନା ଏବଂ ରତ୍ନଗିରି ପ୍ରଭୃତିରେ ବୌଦ୍ଧଧର୍ମ ସାଧନା ଏବଂ ସପ୍ତଶଯ୍ୟା ପର୍ଯ୍ୟନ୍ତ ପଶ୍ଚିମକୁ ଦୃଷ୍ଟିପାତ କଲେ ରାମ ଉପାସନା – ଏହିପରି ଭାବରେ ବୌଦ୍ଧ, ଶାକ୍ତ, ଶୈବ ଓ ବୈଷ୍ଣବ – ଏହିପରି ଚାରିଗୋଟି ଭାରତ ବିଖ୍ୟାତ ଧର୍ମପ୍ରବାହର ସଙ୍କେତ ବହନ କରି ଏହି ପାହାଡଶ୍ରେଣୀ ଠିଆ ହୋଇଛି। କପିଳାସ ଦେଖିବାକୁ ହେଲେ ଢେଙ୍କାନାଳ ସହର ଠାରୁ ଯାତ୍ରା କରିବା ସବୁଠାରୁ ସୁବିଧାଜନକ।କଟକ-ସମ୍ବଲପୁର ରାସ୍ତା ଢେଙ୍କାନାଳ ସହର ବାଟେ ଯାଇଅଛି। ଢେଙ୍କାନାଳ ସହର କଟକଠାରୁ ମାତ୍ର ୩୭ ମାଇଲ। ପୁଣି ସମ୍ବଲପୁର ପଟୁ ଆସିଲେ ୧୪୦ ମାଇଲରୁ ଟିକିଏ କମ। ଢେଙ୍କାନାଳ ବାଟ ଦେଇ ଭୁବନେଶ୍ୱର ତଥା କଟକରୁ ଅନେକ ବସ ଯାତାୟତ କରେ, ଅର୍ଥାତ ବଲାଙ୍ଗୀର ବସ, ସମ୍ବଲପୁର ବସ, ସୁନ୍ଦରଗଡ ବସ ଓ ରାଉଲକେଲା ବସ ଇତ୍ୟାଦି। ଅନ୍ୟ ଭାବରେ କହିଲେ ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୁନ୍ଦରଗଡ, ରାଉଲକେଲା ପ୍ରଭୃତିର ଯେତେ ମୋଟର ବସ କଟକ କିମ୍ବା ଭୁବନେଶ୍ୱରକୁ ଆସେ ସେ ସବୁ ଢେଙ୍କାନାଳ ସହର ଭିତର ଦେଇ ଆସେ।ଢେଙ୍କାନାଳ ସହରଠାରୁ କପିଳାସ ପାହାଡର ଦୂରତା ହେଉଛି ୧୨ ମାଇଲ। ଏହି ୧୨ ମାଇଲ ରାସ୍ତା ପିଚୁ ରାସ୍ତା। ଭୁବନ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଗ୍ରାମ। ଭୁବନକୁ ଯେଉଁ ବସ ଯାଏ, ସାଧାରଣତଃ କପିଳାସ ଯାତ୍ରୀମାନେ ସେହି ବସରେ ଯାଆନ୍ତି। ଭୁବନେଶ୍ୱରଠାରୁ ଢେଙ୍କାନାଳ ସହର ବାଟେ କପିଳାସ ପାଦ ଦେଶର ଦୂରତା ହେଉଛି ପ୍ରାୟ ୭୦ ମାଇଲ ଏବଂ ପ୍ରାୟ ଦୁଇ ଘଣ୍ଟାରେ ମୋଟରକାର ଦ୍ୱାରା ଏହି ଦୂରତା ଅତିକ୍ରମ କରିହେବ। ଢେଙ୍କାନାଳରେ ସର୍କିଟ ହାଉସ ଓ ଆଇ. ବି. ଅଛି।ଏହା ଛଡା ପର୍ବତର ପାଦଦେଶରେ ଦେଓଗାଁ ନାମକ ଗ୍ରାମରେ ଗୋଟିଏ ବିଶ୍ରାମାଗାର ନିର୍ମିତ ହୋଇଛି। କପିଳାସ ପର୍ବତ ସମୁଦ୍ର ପତ୍ତନଠାରୁ ଦୁଇ ହଜାର ଫୁଟରୁ ଅଧିକ ଉଚ୍ଚ। ମନ୍ଦିରଟି ସମୁଦ୍ର ପତ୍ତନରୁ ପ୍ରାୟ ଦେଢ ହଜାର ଫୁଟ ଉଚ୍ଚରେ ଓ ପାଦ ଦେଶରୁ ସହସ୍ରାଧିକ ଫୁଟ ଉଚ୍ଚରେ ଅବସ୍ଥିତ। ମନ୍ଦିରକୁ ଯିବାପାଇଁ ଦୁଇଟି ବାଟ ଅଛି। ବହୁ ବର୍ଷ ତଳେ ଗୋଟିଏ ମାତ୍ର ବାଟ ଥିଲା। ଯୁଗ ଯୁଗ ଧରି ଲୋକେ ଅପନ୍ତରିଆ ରାସ୍ତାରେ ଦେଉଳ ପର୍ଯ୍ୟନ୍ତ ଯିବା ଆସିବା କରିବା ଫଳରେ ତଳୁ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ସରୁଆ ରାସ୍ତା ଫିଟି ଯାଇଥିଲା। କିନ୍ତୁ ଏହି ମାର୍ଗର ଉନ୍ନତି ଦିଗରେ ଦୁଇଟି ଉପାୟ ଅବଲମ୍ବନ କରାଯାଇଛି। ଗୋଟିଏ ହେଉଛି ତଳୁ ମନ୍ଦିର ପର୍ଯ୍ୟନ୍ତ ପଥର ପାହାଚ ତିଆରି। ଆଉ ଗୋଟିଏ ହେଉଛି ତଳୁ ମନ୍ଦିର ପର୍ଯ୍ୟନ୍ତ ଏକ ପ୍ରଶସ୍ତ ରାଜମାର୍ଗ ନିର୍ମାଣ, ଯାହା ଉପର ଦେଇ ଜିପ୍ କାର ପ୍ରଭୃତି ସୁବିଧାରେ ଓ ସହଜରେ ଯାତାୟତ କରିପାରୁଛି। ସର୍ବମୋଟେ ପ୍ରାୟ ୧୩୦୦ ପାହାଚ ପଡିଛି। ଅଧିକାଂଶ ଲୋକ ଏହି ପାହାଚ ଦେଇ ଯାଆନ୍ତି। ଏବେ ଅତି ସହଜରେ ଜିପ ଗାଡି ମନ୍ଦିର ପାଖରେ ଥିବା ଆଇ. ବି ପର୍ଯ୍ୟନ୍ତ ଯାଇ ପାରୁଛି। ଏହି ଘାଟି ରାସ୍ତାଟିର ଲମ୍ବ ହେଉଛି ପ୍ରାୟ ତିନି ମାଇଲ। କପିଳାସର ସୌନ୍ଦର୍ଯ୍ୟ, ପ୍ରସିଦ୍ଧି ଏବଂ ଉତ୍କୁଷ୍ଟ ପ୍ରତିପାଦନ କରିବାକୁ ହେଲେ ତଳଲିଖିତ କେତୋଟି ବିଷୟର ପରିଚୟ ପ୍ରଦାନ କରିବାକୁ ପଡିବ। (୧) ଶିଖରେଶ୍ୱର ମନ୍ଦିର। (୨) ମନ୍ଦିର ଭିତର ଦେଇ ବୋହୁଥିବା ଜୀର୍ଣ୍ଣଶକ୍ତିସମ୍ପନ୍ନ ସୁମଧୁର ଝରଣା ଜଳ। (୩) ପ୍ରତାପରୁଦ୍ର ଦେବଙ୍କ ସମାଧି। (୪) ମନ୍ଦିରରେ ଥିବା ଶିଳାଲେଖ। (୫) ପର୍ବତ ଶିଖରରୁ ଏକ ସମୟରେ ମହାନଦୀ ଓ ବ୍ରାହ୍ମଣୀର ଦୃଶ୍ୟ ଏବଂ ଚୌଦ୍ୱାର ତଥା କଟକ ସହରର ଦୃଶ୍ୟ। (୬) ଗ୍ରୀଷ୍ମନିବାସ। (୭) ସ୍ୱାସ୍ଥ୍ୟନିବାସ। (୮) ସାଂସ୍କୃତିକ ସୌରଭ।ା ଏହା ଏକ ପ୍ରାଚୀନ ଶିବ ମନ୍ଦିର। ଢେଙ୍କାନାଳର ସୁନାମଧନ୍ୟ କବି ବ୍ରଜନାଥ ବଡ଼ଜେନା ଏକାଧିକ ସ୍ଥଳରେ ଏ ମନ୍ଦିରର ବର୍ଣ୍ଣନା କରିଅଛନ୍ତି। ଅନ୍ତତଃ ସାତ ଶହ ବର୍ଷ ତଳେ ଏହି ମନ୍ଦିର ନିର୍ମିତ ହୋଇଥିଲା। ଗଙ୍ଗବଂଶର ପ୍ରସିଦ୍ଧ ରାଜା ଏବଂ କୋଣାର୍କ ମନ୍ଦିରର ନିର୍ମାତା ନରସିଂହ ଦେବଙ୍କର ଏହି ମନ୍ଦିର ସଙ୍ଗେ ଗଭୀର ସମ୍ପର୍କ ଥିବାର ଜଣାଯାଏ। ଐତିହାସିକମାନେ କପିଳାସସ୍ଥିତ ଏହି ମନ୍ଦିରର କଳସରେ ଥିବା ଅଭିଲେଖର ଆଲୋଚନା କରି ମନ୍ଦିରର ପ୍ରାଚୀନତା ଉପରେ ଆଲୋକପାତ କରିଅଛନ୍ତି। ତହିଁରୁ ଜଣାଯାଏ, ନରସିଂହ ଦେବ ତାଙ୍କ ରାଜତ୍ୱର ଦଶମ ଅଙ୍କରେ ବୈଶାଖ ଶୁକ୍ଳ ତ୍ରୟୋଦଶୀ ସୋମବାର ଦିନ ଶିଖରେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ। ଏଥିରୁ ଏହା ମଧ୍ୟ ଅନୁମାନ କରାଯାଇପାରେ ଯେ, ଏ ମନ୍ଦିର ନରସିଂହ ଦେବଙ୍କ ଆଗରୁ ମଧ୍ୟ ଥିଲା। ନବମ ଶତାଦ୍ଧୀର ଆରମ୍ଭରେ ମହାମହିମ ଶଙ୍କରାଚାର୍ଯ୍ୟ ଓଡିଶାକୁ ଆସି ଥିଲେ। ସେତେବେଳେ ଶୈବଧର୍ମର ପ୍ଳାବନରେ ବହୁ ଶିବ ମନ୍ଦିର ନିର୍ମିତ ହୋଇଥିଲା। ସୁତରାଂ ଏ ମନ୍ଦିରର ପ୍ରାଚୀନତା ଏ ଦୃଷ୍ଟିରୁ ମଧ୍ୟ ବିଚାର୍ଯ୍ୟ। ଏହି ମହାଦେବଙ୍କର ପ୍ରସିଦ୍ଧ ନାନା ଗଳ୍ପ ଆକାରରେ ପ୍ରଚଳିତ। ଭାରତର ବିଭିନ୍ନ ବିଖ୍ୟାତ ଦେବାଦେବୀଙ୍କ ସମ୍ପର୍କରେ ମହିମା ଗଳ୍ପମାନ ମଧ୍ୟ ପ୍ରଚଳିତ। ତେବେ ଶିବ ଉପାସନା ଲାଗି ଏ ପୀଠର ପରିବେଶ ଏକାବେଳକେ ଅସାଧାରଣ। ଶିବରାତ୍ରି ଦିନ ହଜାର ହଜାର ଯାତ୍ରୀ ସେଠାରେ ଉପସ୍ଥିତ ହୁଅନ୍ତି। ଏକ ସାମାଜିକ ମେଳା ହିସାବରେ ମଧ୍ୟ ସେଦିନ ସେ ସ୍ଥାନଟି ଏକାନ୍ତ ଦର୍ଶନୀୟ। ଦେବତାଙ୍କ ସ୍ୱପ୍ନ ଆଦେଶରେ ରୋଗମୁକ୍ତ ହେବାକୁ କିମ୍ବା ମନସ୍କାମନା ପୂର୍ଣ୍ଣ କରିବାକୁ ଆଜି ମଧ୍ୟ ଲୋକେ ସେଠାକୁ ଯାଉଛନ୍ତି। ସ୍ଥାନଟି ଋଷି ଆଶ୍ରମ ପରି ମନୋରମ। ପରିବେଶ ବଡ ପବିତ୍ର ଲାଗେ। ମହାଦେବ ଶିବଙ୍କ ଠାରେ ଯାହାର ଭକ୍ତି ଅଛି, ତାହା ପକ୍ଷରେ ଏହି ସ୍ଥାନ ଏକାନ୍ତ ମନୋରମ ଓ ସର୍ବଦା ଦର୍ଶନୀୟ।

ମନ୍ଦିର ଅଗଣା ଭିତର ବାଟେ ବର୍ଷସାରା ଗୋଟିଏ ଝରଣା କୁଳୁ କୁଳୁ ନାଦରେ ବହି ଚାଲିଛି। ପ୍ରକୃତି କବି ଗଙ୍ଗାଧର ତମସା ନଦୀ ଲକ୍ଷ୍ୟରେ ତାଙ୍କ ତପସ୍ୱନୀ କାବ୍ୟରେ ଲେଖିଛନ୍ତି – ଗିରିସ୍ତନୁ ବିନିଃସ୍ନତ ହୋଇଆସୁଛି ଅମୃତ ଧାରା ପରି ସୀତାମୃତ କଳପା ଲକ୍ଷ୍ୟେ।ା ଏକଥା କପିଳାସ ପକ୍ଷରେ ବିଶେଷ ପ୍ରଯୁଜ୍ୟ। ପର୍ବତ ଜନନୀ ତାର ଅଶ୍ରିତ ସନ୍ତାନମାନଙ୍କଲାଗି ଯେପରି କି ସ୍ତନ୍ୟରେ ପ୍ରବାହ ଛୁଟାଇ ଦେଇଛି। ଗଞ୍ଜାମ ଖଲିକୋଟ ନିକଟବର୍ତ୍ତୀ ନିର୍ମଳ ଝର ଯେତିକି ପରିମାଣରେ ବହେ, ଏହି ଝର ମଧ୍ୟ ସେତିକି ପରିମାଣରେ ବହେ। କିନ୍ତୁ ଏହାର ଜୀର୍ଣ୍ଣଶକ୍ତି କହିଲେ ନ ସରେ। କବିବର ରାଧାନାଥ ତାଙ୍କ ମହାଯାତ୍ରା କାବ୍ୟରେ ଲେଖିଅଛନ୍ତି – ଝର ଉପବୀତଧର, କପର୍ଦ୍ଦୀସେବିତ ଅଭ୍ରଗର୍ଭ କପିଳାସ ଅଭ୍ରଂକଷ ଗିରି।ା ଅଭ୍ରର ଜୀର୍ଣ୍ଣକାରକ ଶକ୍ତି ଜଣାଶୁଣା। ସେଥିପାଇଁ ଯେଉଁମାନେ ଅଜୀର୍ଣ୍ଣ ଶୂଳରୋଗ ପ୍ରଭୃତିରେ ପୀଡିତ ସେମାନେ ସେଠାକୁ ଯାଇଥାଆନ୍ତି। ଯେ କେହି ପୂର୍ଣ୍ଣ ଗ୍ରାସ କରି ସେ ପାଣି ପିଇଲେ ତାର ଗୁଣ ଜାଣିପାରିବ। ଭୁବନେଶ୍ୱରର କେଦାରଗୌରୀ କୁଣ୍ଡ ନିକଟବର୍ତ୍ତୀ ଦୁଧକୁଣ୍ଡର ପାଣି ଉତ୍କଳବିଖ୍ୟାତ ପାଣିର ଜୀର୍ଣ୍ଣଶକ୍ତି ହିଁ ଏ ଖ୍ୟାତିର କାରଣ। କପିଳାସର ପାଣି ମଧ୍ୟ ଠିକ ସେହିପରି। ଛୋଟିଆ ପ୍ରପାତ ଆକାରରେ ଜଳଧାରାକୁ ନିୟନ୍ତ୍ରଣ କରାଯାଇ ସ୍ନାନର ବ୍ୟବସ୍ଥା କରାଯାଇଛି। ପେଟରୋଗୀମାନେ ସେଠାକୁ ଯାଇ ମାସେ ଦୁଇ ମାସରେ ଭଲ ହୋଇ ଆସନ୍ତି ମନ୍ଦିରର ଦକ୍ଷିଣ ଭାଗରେ ଗୋଟିଏ ସମାଧି ଅଛି। ଏହା ଓଡିଶାର ବିଖ୍ୟାତ ଗଜପତି ପ୍ରତାପରୁଦ୍ର ଦେବଙ୍କର ସାମାଧି ବୋଲି ଲୋକବିଶ୍ୱାସ ଅଛି। ଇତିହାସରୁ ଜଣାଯାଏ, ପ୍ରତାପରୁଦ୍ର ଦେବଙ୍କର ପରମ ଭକ୍ତ ହୋଇ ଯାଇଥିଲେ। ଜୀବନର ଶେଷଭାଗରେ ସେ ଆଧୁନିକ ମୟୁରଭଞ୍ଜ ବାଟ ଦେଇ ଯିବାବେଳେ ସେଠାରେ ତାଙ୍କର ପରଲୋକ ହୋଇଥିଲା। ହୁଏତ ତାଙ୍କ ଇଚ୍ଛାନୁସାରେ ତାଙ୍କୁ ଏଠାରେ ସମାଧି ଦିଆଯାଇଥିଲା। ତଥାପି ଏ ବିଷୟରେ ଅଧିକ ଅନୁସନ୍ଧାନ ଆବଶ୍ୟକ। ଐତିହାସିକମାନଙ୍କର ଆଲୋଚନାରୁ ଜଣାଯାଏ, ମହାନଦୀ ଗର୍ଭସ୍ଥିତ ଧବେଳଶ୍ୱର ପୀଠ ସଙ୍ଗେ ମହାରାଜାଙ୍କର ସମ୍ପର୍କ ଥିଲା। ବିଖ୍ୟାତ ଧବେଳଶ୍ୱର ପୀଠ କଟକର ସମୀପବର୍ତ୍ତୀ। ସେଠାରେ ମହାଦେବଙ୍କ ମନ୍ଦିର ଓଡିଶାର ଏକ ପ୍ରସିଦ୍ଧ ମନ୍ଦିର। ଏହାର ପ୍ରାକୃତିକ ସୁଷମା ଅତୁଳନୀୟ। ଚତୁର୍ଦ୍ଦିଗରେ ମହାନଦୀର ବିସ୍ତାରିତ ବକ୍ଷ। ମନେ ହୁଏ, ଯେପରି କି ଚତୁର୍ଦ୍ଦିଗରେ ତୁଳା ବିଞ୍ଚି ଦିଆଯାଇଛି ଏବଂ ତାରି ମଝିରେ ମରୂଦ୍ୟାନ ପରି ଶୋଭମାନ ପଠା ଉପରେ ମହାଦେବଙ୍କ ମନ୍ଦିର। କପିଳାସ ପାହାଡ ତାହାଠାରୁ ବହୁ ଦୂରବର୍ତ୍ତୀ ନୁହେଁ। କାକ ମାର୍ଗରେ ଦେଖିଲେ ପ୍ରାୟ ୮/୧୦ ମାଇଲ ହେବ। ସୁତରାଂ ସେହି ସମୟକୁ ମଧ୍ୟ ପ୍ରାଚୀନ ରୂପେ ପରିଗଣିତ ହେଉଥିବା ଶିବମନ୍ଦିର ପ୍ରତି ମହାରାଜାଙ୍କର ଆଗ୍ରହ ଜନ୍ମୁଥିବା ସ୍ୱାଭାବିକ। ତାଙ୍କ ସମୟର ପ୍ରାୟ ଅଢେଇ ଶହ ବର୍ଷ ପୂର୍ବରୁ ଯେଉଁ ମନ୍ଦିର ଠିଆ ହୋଇଛି ଏବେ ଯେଭଳି ପରିପାଶ୍ୱର୍ରେ ଠିଆ ହୋଇଛି ତାହା ତାହାଙ୍କର ଆନନ୍ଦଦାୟକ ହୋଇଥିବା ଏକ ଯୁକ୍ତିଯୁକ୍ତ ଅନୁମାନ। କିମ୍ବଦନ୍ତୀ କହେ ଥରେ ଅଜାଣତରେ ସେ ବ୍ରହ୍ମହତ୍ୟା ପାତକରେ ଲିପ୍ତ ହେଲେ ଓ ପର୍ବତର ଶିଖର ଦେଶରେ ଯାହାର ଟିକିଏ ଦୁରରୁ ଚାହିଁଲେ ଧବଳେଶ୍ୱର ପୀଠ ଓ କଟକ ସହର ପ୍ରଭୃତି ସ୍ପଷ୍ଟ ଦେଖାଯାଏ। ପାପ ମୁକ୍ତ ହେବା ପାଇଁ ତପସ୍ୟା କଲେ। ଶୁଣାଯାଏ ସେଥିଲାଗି ଏକ ସ୍ୱତନ୍ତ୍ର ମଣ୍ଡପ ନିର୍ମିତ ହୋଇଥିଲା। ଭାରତର ରାଜଧାନୀ ଇନ୍ଦ୍ରପ୍ରସ୍ଥର ଉତ୍ତରରେ ହିମାଳୟ ଥିଲା ପରି ଓଡିଶାର ଐତିହାସିକ ରାଜଧାନୀ କଟକର ଉତ୍ତରଦିଗରେ କପିଳାସ ପର୍ବତ ଅବସ୍ଥିତ। ମହାଦେବ ଶିବଙ୍କର ପ୍ରିୟ ନିକେତନ କୈଳାସପର୍ବତ ହିମାଳୟର ବକ୍ଷରେ ଶୋଭା ପାଇଲା ପରି ଉତ୍କଳ-କୈଳାସ ବକ୍ଷରେ ଆମର ଏହି ମନୋରମ ମହାଦେବଙ୍କର ପ୍ରିୟ ବିହାର ସ୍ଥଳ ବିରାଜିତ। କି କାରଣରୁ ମହାରାଜା ସେଠାରେ ତପସ୍ୟା କଲେ ତାହା ଜାଣିବାର ଉପାୟ ନାହିଁ। କିନ୍ତୁ ଆଶୁତୋଷ ଶିବଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେ ଶିଖରେଶ୍ୱରଙ୍କର ଶରଣାଗତ ହୋଇଥିବା କିମ୍ବଦନ୍ତୀରୁ ସ୍ପଷ୍ଟ ଜଣାଯାଏ। ସେହି ତପସ୍ୟାପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତ କଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ। ପ୍ରତାପରୁଦ୍ରଙ୍କର ସମାଧିର ଗଠନ ଭଙ୍ଗୀରୁ ତାହାର ପ୍ରାଚୀନତା ଅନୁମାନ କରାଯାଇପାରେ। ତେବେ କିମ୍ବଦନ୍ତୀରେ ଉଜ୍ଜୀବିତ ଏହି ବିଷୟକୁ ଯଦି ଅସମ୍ମାନ କରା ନ ଯାଏ, ତାହେଲେ ବୁଝିବାକୁ ହେବ ଯେ ଏହି ସମାଧିପୀଠ ସମଗ୍ର ଓଡିଶାରେ ଏକ ସ୍ମୃତୀତୀର୍ଥ ଏପରି କି ଓଡିଶାର ପଞ୍ଚସଖା ସାହିତ୍ୟ ଓ ମହାପ୍ରଚାରକ ଚୈତନ୍ୟ ଦେବଙ୍କର ସ୍ମୃତି ଯେଉଁମାନଙ୍କର ମନରେ ଝଙ୍କାର ସୃଷ୍ଟି କରେ ସେମାନଙ୍କ ଲାଗି ଏହି ସମାଧିପୀଠ ଏକ ଦର୍ଶନୀୟ ସ୍ଥାନ ମାତ୍ର ନୁହେଁ, ଏହା ଏକ ବନ୍ଦନୀୟ ପୀଠ ମଧ୍ୟ।

ଓଡିଶାରେ ଥିବା ଅନେକ ମନ୍ଦିର ଖାଲି ଶିଳ୍ପକଳା ଓ ଭାସ୍କର୍ଯ୍ୟ ଲାଗି ନୁହେଁ, ଉତ୍କଳର ଲିପିତତ୍ତ୍ୱ ଏବଂ ଭାଷାତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ବିଶେଷ ଗୌରବର ଅଧିକାରୀ କପିଳାସ ମନ୍ଦିରରେ ଦୁଇଟି ଶିଳାଲେଖ ଦେଖାଯାଏ। ମହାଦେବଙ୍କ ମନ୍ଦିର ସମ୍ମୁଖରେ ମହାଦେବଙ୍କ ଦିଗକୁ ମୁହଁ କରି ଯେଉଁ ବୃଷଭ ମୂର୍ତ୍ତି ସ୍ଥାପିତ ହୋଇଅଛି, ସେହି ମୂର୍ତ୍ତିର ନିମ୍ନଭାଗରେ ଗୋଟିଏ ଶିଳାଲେଖ ଅଛି। ପୁଣି ମନ୍ଦିରର ବାମପାଶ୍ୱର୍ରେ ଯେଉଁ ଚଣ୍ଡି ମନ୍ଦିର ଅଛି, ତାହାର ଦ୍ୱାର ନିକଟରେ ଏକ କୁମ୍ଭପଥର ରଖାଯାଇଛି। ସ୍ଥାନୀୟ ଲୋକେ କହନ୍ତି ପ୍ରତାପରୁଦ୍ର ଦେବ ପର୍ବତର ଅଗ୍ରଭାଗରେ ଯେଉଁ ମନ୍ଦିର ନିର୍ମାଣ କରାଇଥିଲେ ଏହି କଳସ ପଥରଟି ସେହି ମନ୍ଦିରର ଶିଖର ଭାଗରେ ସ୍ଥାପିତ ହୋଇଥିଲା। ଉପରେ ଯେଉଁ ଦୁଇଟି ଶିଳାଲେଖ କଥା କୁହାଯାଇଛି, ଓଡିଶାର ଲିପିତତ୍ତ୍ୱ ଦୃଷ୍ଟିରୁ ସେ ଦୁଇଟିର ପ୍ରାଧାନ୍ୟ ସ୍ୱୀକରଣୀୟ। ଗତ ଏକସହସ୍ର ବର୍ଷ ମଧ୍ୟରେ ନାନା ସ୍ତର ଦେଇ ଓଡିଆ ଲିପି ବିବର୍ତ୍ତିତ ହୋଇଅଛି। ଆଜି ଆମେ ଯେଉଁ ଅକ୍ଷର ଲେଖୁଥାଇଁ ତାହାର ଏକ ସୁଦୀର୍ଘ ଇତିହାସ ରହିଅଛି। ସୁତରାଂ ଆଜିକି ପ୍ରାୟ ପାଞ୍ଚଶହ ବର୍ଷ ତଳେ ଓଡିଆ ଅକ୍ଷରମାନ କିପରି ଥିଲା, ତାହା ଜାଣିବା ପାଇଁ ଅନେକଙ୍କ ମନରେ କୌତୂହଳ ଜାତ ହେବା ସ୍ୱାଭାବିକ ଏ ଶିଳାଲିପି ସେଭଳି କୌତୁହଳ ଚରିତାର୍ଥ କରାଇବାକୁ ସମର୍ଥ। ଏ ସମ୍ପର୍କରେ କହିବାର କଥା, ଏ ଶିଳାଲେଖ ମାନ ଯେଉଁଠାରେ ଅଛି ଆଜି କାଲିର ଅକ୍ଷରରେ ତାହାର ଏକ ପାଠୋଦ୍ଧାର କରି ଯଦି ରଖାଯାଏ ତେବେ ଏହି ନୁଆ ଲେଖାକୁ ଧରି ସହଜରେ ପୁରୁଣା ଲେଖାଟିମାନ ପଢି ହେବ। ଯେଉଁମାନେ ମନ୍ଦିରକୁ ଯିବେ ସେମାନେ ଦର୍ଶନୀୟ ସ୍ଥାନ ଦେଖିବା ସଙ୍ଗେ ସଙ୍ଗେ ଏକ ଶିକ୍ଷଣୀୟ ବିଷୟ ଜାହାକୁ ସ୍ୱତଃ ଆଗ୍ରହୀ ହୋଇ ଉଠିବେ। ଧଉଳି ପାହାଡ, ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ନୃସିଂହନାଥ ମନ୍ଦିର ପ୍ରଭୃତିଠାରେ ଥିବା ଶିଳାଲିପି ସମ୍ପର୍କରେ ମଧ୍ୟ ଏହା ପ୍ରଯୁଜ୍ୟ। ଏହାର ତାତ୍ତକ ଆଲୋଚନା ଇତିହାସ ଗବେଷଣା ପତକାର କକ୍ଷ ମଣ୍ଡନ କରୁ, କିନ୍ତୁ ଶିଳାଲେଖ ଥିବା ସ୍ଥାନକୁ ଯେଉଁମାନେ ଅନ୍ୟ କଉଠିକୁ ଯାଉଛନ୍ତି, ସେମାନଙ୍କ ମନରେ ଶିଳାଲେଖ ପ୍ରତି ଆଗ୍ରହ ଜନ୍ମାଇବାକୁ ହେଲେ ଏବଂ ଜନସାଧାରଣଙ୍କୁ ସହଜରେ ଅଧିକ ଜ୍ଞାନର ଅଧିକାରୀ ହେବା ପାଇଁ ସୁଯୋଗ ଦେବାକୁ ହେଲେ ପ୍ରଚଳିତ ଅକ୍ଷରରେ ଶିଳାଲିପିର ବାକ୍ୟଗୁଡିକୁ ଲେଖାଇ ତାହା ନିକଟରେ ରଖାଯିବା ଦରକାର। ଯେ ଚାହିଁବ ନୂଆ ଅକ୍ଷରକୁ ଧରି ପଥର ଦେହରେ ଥିବା ସେ କାଳର ଅକ୍ଷରଗୁଡିକର ରୁପ ଓ ଆକାର ସେ ଜାଣିପାରିବ। ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରୁ ଚତୃର୍ଦ୍ଦିଗର ଦୃଶ୍ୟ ନିଜ ଆଖିରେ ନ ଦେଖିଲେ ଦୃଶ୍ୟର ପ୍ରକୃତ ଅନୁଭୁତି ଜନ୍ମିବ ନାହିଁ। ଆଜିକାଲି ଯେଉଁମାନେ ବ୍ୟୋମଜାନରେ ଯାଉଛନ୍ତି, ସେମାନଙ୍କୁ ଭୂପୃଷ୍ଠର ଦୃଶ୍ୟ ଯେପରି ଦେଖାଯାଉଛି ତାହା ଅନୁଭବ ବିନା ଅନୁମାନ କରି ହେବ ନାହିଁ। ପିଲାଦିନେ ହଠାତ ଛାତ ଉପରୁ କିମ୍ବା ଗଛଡାଳ ପ୍ରଭୃତି ଉଚ୍ଚସ୍ଥାନରୁ ଚାରିଆଡେ ଆଖି ବୁଲାଇଲା ବେଳେ କିପରି ଭାବରେ ସ୍ପନ୍ଦନ ଜାତ ହୋଇଥିଲା ତାହା ଅନେକ ବୟସ୍କ ଲୋକ ହୁଏତ ଭୁଲିଯିବେଣି କିନ୍ତୁ ସେହି ଅନୁଭୂତି ସେତେବେଳେ ଅଭିନବ କଟକ ପଟୁ କପିଳାସ ଯିବା ବେଳେ ପ୍ରଥମେ ମହାନଦୀର ବିଶାଳ ବନ୍ଧ ମନରେ ବିସ୍ମୟ ଆଣିଦିଏ।ଚୌଦ୍ୱାରଠାରୁ ଢେଙ୍କାନାଳ ଅଭିମୁଖରେ ଯାତ୍ରା କଲାବେଳେ ବାମ ପାଶ୍ୱର୍ରେ ମହାନଦୀ ଓ ଦକ୍ଷୀଣ ପାଶ୍ୱର୍ରେ ( ଯଦିଓ ଦୁରରେ ) କପିଳାସ ପର୍ବତ ଦେଖାଯାଏ। ମହାନଦୀର ରୂପ ଖଣ୍ଡିତ ଭାବରେ ଦେଖାଯାଏ। ଦର୍ଶକ ଯେତେବେଳେ ଯାଇ କପିଳାସ ପାହାଡର ଶିଖର ଦେଶରେ ଉପସ୍ଥିତ ହୁଏ ଏକ ସମୟରେ ସେ ଦେଖିବାକୁ ପାଏ ଓଡିଶାର ଦୁଇଟି ବିଖ୍ୟାତ ନଦୀ ମହାନଦୀ ଓ ବ୍ରାହ୍ମଣୀ। ଚତୁର୍ଦ୍ଦିଗରେ ଶ୍ୟାମାୟମାନ ବନଭୂମି କିମ୍ବା ଶସ୍ୟ ଆଚ୍ଛାଦିତ କେଦାରମାଳା ତାରି ଭିତରେ ପଡିଥିବା ଏକ ସୁଦୀର୍ଘ ଶ୍ୱେତ ବସ୍ତ୍ର ପରି ନଦୀ ଦୁଇଟିର ରୂପ ମାଧୁର୍ଯ୍ୟ ପ୍ରାଣରେ ଅପୂର୍ବ ଆନନ୍ଦ ଆଣିଦିଏ। ପାହାଡ ଉପରୁ ଏକ ସମୟରେ ବ୍ରାହ୍ମଣୀ, ମହାନଦୀ ସହିତ କଟକ ଚୌଦ୍ୱାର ପ୍ରଭୃତିର ସୁନ୍ଦର ଦୃଶ୍ୟ ମନରେ ମାଦକତା ଆଣିଦିଏ।ମନ୍ଦିରଠାରୁ ପର୍ବତର ଶିଖର ଦେଶକୁ ଏକ ଅପ୍ରଶସ୍ତ ରାସ୍ତାରେ ଚାଲି ଚାଲି ଯିବାକୁ ହୁଏ। ଅର୍ଥାତ ସେଠାକୁ ଗଲା ବେଳକୁ କ୍ଳାନ୍ତି ଆସିଯାଇ ଥାଏ। କିନ୍ତୁ ଏ ସବୁ ଦୃଶ୍ୟ ଦେଖିଲା ମାତ୍ରେ ସବୁ ଅବସାଦ କୁଆଡେ ଚାଲିଯାଏ। କଥାରେ ତ ଅଛି ଯାହା ନ ଦେଖିବୁ ଦୁଇ ନୟନେ। ମଣିଷର ଦୁଇ ନୟନ ପାଇଁ ଉତ୍କଳ ପ୍ରକୃତି କିପରି ସମ୍ଭାର ରଖିଦେଇଛି, ନିଜ ଆଖିରେ ନ ଦେଖିଲେ ତହିଁରେ ପ୍ରତ୍ୟୟ ଜନ୍ମିବ ନାହିଁ।

ଗ୍ରୀଷ୍ମନିବାସ ଭାବରେ ମଧ୍ୟ କପଳାସ ଏକ ଲୋଭନୀୟ ସ୍ଥାନ। ଖରାଦିନେ ଗରମ ପବନ ଯେ ପ୍ରବାହିତ ହୁଏ ନାହିଁ ତାହା ନୁହେଁ। କିନ୍ତୁ ଅନୁଭବରୁ ଜଣାଯାଏ ପର୍ବତର ଉଚ୍ଚତା ଝରଣା ଏବଂ ବକ୍ଷକୁଞ୍ଜର ଛାୟା ବିସ୍ତାର ଏସବୁ ମିଶି ସମଗ୍ର ଅଞ୍ଚଳଟିକୁ ସିଗଧ-ଶୀତଳ କରି ରଖେ। ସକାଳବେଳା ଏବଂ ଉପର ବେଳା ସବୁଠାରୁ ସ ଖକର ବୋଧ ହୋଇଥାଏ। ଖରାଦିନେ ଖରାବେଳେ ମାତ୍ର ଚାରି ପାଞ୍ଚ ଘଣ୍ଟା ପାଇଁ ଯାହା ଖରାଦିନର ଅନୁଭୁତି ଜନ୍ମେ ସେତିକି। ରାତିକଥା କହିବା କାହିଁକି ? ମନ୍ଦିରର ଅବସ୍ଥିତି ଯେଉଁଠାରେ ତାଠାରୁ ପ୍ରାୟ ୮୦/୬୦ ଫୁଟ ଉଚ୍ଚରେ ଏକ ପ୍ରଶସ୍ତ ଅଞ୍ଚଳ ଅଛି ଯହିଁରେ ଗ୍ରୀଷ୍ମକାଳୀନ ଶାନ୍ତିନିବାସ ନିର୍ମାଣ କରାଯାଇ ପାରେ। ଦେଉଳର ଉପରିଭାଗରେ ଯେଉଁ ଆମ୍ବ ଓ ପଣସ ଗଛ ଦେଖାଯାଏ, ସେଗୁଡିକ ଏତେ ଉଚ୍ଚ ଯେ ସେଗୁଡିକୁ ଦେଖିଲେ ରାଧାନାଥଙ୍କର ମହାଯାତ୍ରାର ବର୍ଣ୍ଣନା ମନେ ପଡିଯାଏ – ଶାଖାତୋଳି କଳନ୍ତି କି ଗଗନର ସୀମା ! ଗ୍ରୀଷ୍ମକାଳରେ ଶିଖରେଶ୍ୱରଙ୍କ ମନ୍ଦିର ଅଞ୍ଚଳକୁ ସୁଶୀତଳ ରଖିବାରେ ଏହି ବୃକ୍ଷ ଗୁଡିକର କାର୍ଯ୍ୟ କିଛି କମ ନୁହେଁ। ତା ଛଡା ଓଡିଶାର ଅନ୍ୟ ଅନେକ ପର୍ବତ ପରି କପିଳାସ ଖରାଦିନେ ରୁକ୍ଷ ବା ନିରାସ ଦେଖାଯାଏ ନାହିଁ। ବୃକ୍ଷ ବଲ୍ଲରୀମାନଙ୍କର ଶ୍ୟାମାୟମାନ ମାଧୁରୀ ସବୁ ଋତୁରେ କପିଳାସକୁ ସୁନ୍ଦର ଓ ସରସ କରି ରଖେ। ଦରକାର ହେଲେ ମନ୍ଦିରର ଉପରିଭାଗରେ କେତୋଟି ଛାୟା ପାଦପ, ପୁଲାଙ୍ଗ, ବଉଳ ପ୍ରଭୃତି ରୋପଣ କରାଯାଇପାରେ। ଗ୍ରୀଷ୍ମନୀବାସ ରୂପେ କପିଳାସର ପରିକଳ୍ପନା ମନରେ ଜାତ ହେବା ସଙ୍ଗେ ସଙ୍ଗେ ଆଉ ଦୁଇଟି କଥା ମଧ୍ୟ ସ୍ୱତଃ ମନରେ ଉଦିତ ହୁଏ।ଯେଉଁ ପର୍ଯ୍ୟଟକମାନେ ଯାଇ ସେଠାରେ ରାତି କଟାଇବେ ସେମାନଙ୍କ ପାଇଁ ଗୀତ, ନୃତ୍ୟର ବ୍ୟବସ୍ଥା ମଧ୍ୟ କରାଯାଇପାରେ। ଏଥିବାଇଁ ଏକ ଖୋଲା ମଞ୍ଚ ଦରକାର। ବେଦୀ ଉପରେ ଗୀତ-ନୃତ୍ୟ ଅଭିନୀତ ହେବ ଏବଂ ତଳେ ବସି ଦର୍ଶକମାନେ ଦେଖିବେ। ଶିବ ପୁରାଣରୁ ଭଲ ଭଲ ଚରିତ ବାଛି ଗୀତ, ନୃତ୍ୟ ନୃତ୍ୟନାଟିକା ଓ ପାଲା ଯାତ୍ରା ନାଟକ ପ୍ରଭୃତିର ବ୍ୟବସ୍ଥା କରାଯାଇପାରେ। ଶିବ ତାଣ୍ଡବ, ହର-ପାର୍ବତୀ ବିବାହ, ଦକ୍ଷ ଯଜ୍ଞ, ପାର୍ବତୀ ତପସ୍ୟା ପ୍ରଭୃତିଠାରୁ ଆରମ୍ଭ କରି ମହାଦେବଙ୍କର ଯେଉଁ ସବୁ ଯୁଦ୍ଧ ପୁରାଣରେ ବର୍ଣ୍ଣିତ ସେଗୁଡିକର ଆଧାର ଉପରେ ସୁନ୍ଦର ସୁନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରେ। ପୁଣି ବର୍ଷର ଯେଉଁ ତିଥିଗୁଡିକ ଶିବ ଉପାସନା ଲାଗି ପ୍ରସିଦ୍ଧ, ସେହି ଦିନମାନଙ୍କରେ ଯଦି ଏଭଳି ଗୀତ-ନାଚ ହୁଅନ୍ତା, ତେବେ ବହୁ ଲୋକ ତଥା ଭକ୍ତ ତତ୍ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତେ। ସେଠାରେ ଏକ ପାଠାଗାର ମଧ୍ୟ ପ୍ରତିଷ୍ଠା କରାଯାଇପାରେ।

ସ୍ୱାସ୍ଥ୍ୟନିବାସ ଭାବରେ ମଧ୍ୟ କପିଳାସର ସୁନାମ ଅଛି। ଖବର ନେବାରେ ଜଣାଯାଏ ଯେ ଅନେକ ଲୋକ ହୃଦରୋଗରେ ପିଡୀତହୋଇ ସେଠାକୁ ଆସନ୍ତି ଓ ଭଲ ହୋଇ ଯାଆନ୍ତି।ଭଲହୋଇ ଯାଉଥିବା ସମ୍ପର୍କରେ ଅଧିକ ବିଶ୍ୱାସଯୋଗ୍ୟ ତଥ୍ୟ ଆବଶ୍ୟକ। କିନ୍ତୁ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଲୋକେ ଯାଉଥିବା ସୁନିଶ୍ଚିତ। ଏକେ ତ ସୁଶୀତଳ ସ୍ଥାନ ଦ୍ୱିତୀୟରେ ଜୀର୍ଣ୍ଣଶକ୍ତି ସମ୍ପନ୍ନ ସୁମଧୁର ଝରଣାର ଜଳ, ତୃତୀୟରେ ମୁକ୍ତବାୟୁ – ଏସବୁ ମିଶି ସ୍ଥାନଟିକୁ ଯେ ଏକ ସ୍ୱାସ୍ଥ୍ର୍ୟନିବାସର ଗୌରବ ପ୍ରଦାନ କରିଅଛି, ଏଥିରେ ସନ୍ଦେହ ନାହିଁ। ପୁରୀର ଜନପ୍ରିୟତା ଶ୍ରୀମନ୍ଦିର ଲାଗି ବୋଲି ଆମେ କହିଥାଉ। ଏହା ଆଦୌ ମିଥ୍ୟା ନୁହେଁ। କିନ୍ତୁ ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ଯିବାର ଅଧିକାରରୁ ବଞ୍ଚିତ, ସେମାନଙ୍କ ପକ୍ଷରେ ପୁରୀର ମୁଖ୍ୟ ଆକର୍ଷଣ ହେଉଛି ସ୍ୱାସ୍ଥ୍ୟନିବାସ ରୂପେ ତାହାର ପରମ ଗୌରବ। ସ୍ୱଚ୍ଛ ବାୟୁ ସେବନ, ସମୁଦ୍ର ବେଳା ଭୁମିରେ ପଦଚାରଣ, ସମୁଦ୍ର ଜଳରେ ସ୍ନାନ, ବିଭିନ୍ନ ଅଞ୍ଚଳର ଯାତ୍ରୀ ଦର୍ଶନମୂଳକ ରଙ୍ଗ ବେରଙ୍ଗ ଓ ବହୁ ଜାତୀୟ ପୋଷାକ ପତ୍ର ଏସବୁ ପୁରୀର ଅନ୍ୟତମ ଆକର୍ଷଣ। ଅନ୍ୟ ପକ୍ଷରେ କପିଳାସର ଶିବ ମନ୍ଦିର ଭାରତୀୟମାନଙ୍କ ପାଇଁ ଏକ ପ୍ରଧାନ ଆକର୍ଷଣ। କିନ୍ତୁ ତାହା ସାଙ୍ଗକୁ ସ୍ୱାସ୍ଥ୍ୟନିବାସ, ଗ୍ରୀଷ୍ମନିବାସ ଓ ପ୍ରାକୃତିକ ଦୃଶ୍ୟ ଦୃଷ୍ଟିରୁ ଏହାର ମହତ୍ୱ ସ୍ୱୀକାର କରିବାକୁ ହେବ। ଆଉ ଏକ ଦୃଷ୍ଟିରୁ ମଧ୍ୟ ଖାଲି ଓଡିଶା ପକ୍ଷରେ ନୁହେଁ, ସମଗ୍ର ଭାରତ ପକ୍ଷରେ କପିଳାସ ହେଉଛି ଏକ ସାରସ୍ୱତ ପୀଠ। ଏହି ପୀଠ ସେମାନଙ୍କ ପକ୍ଷରେ ପରମ ପବିତ୍ର ଯେଉଁମାନେ ବିଖ୍ୟାତ ଭାଗବତ ଗ୍ରନ୍ଥକୁ ସମ୍ମାନ କରନ୍ତି। ଅଷ୍ଟାଦେଶ ପୁରାଣ ଅନ୍ତର୍ଗତ ଭାଗବତ ଭାରତୀୟ ଜନଜୀବନ ଓ ପ୍ରଦେଶିକ ସାହିତ୍ୟମାନଙ୍କ ଉପରେ ବହୁ ଶତାଦ୍ଧୀ ଧରି ଅଖଣ୍ଡ ପ୍ରଭାବ ବିସ୍ତାର କରିଅଛି। ପୁଣି ଭାଗବତ ଉପରେ ଯେତେ ଯେତେ ଟିକା ଲେଖା ଯାଇଛି ସୀଧର ସ୍ୱାମୀଙ୍କ ଟୀକା ହେଉଛି ସେ ମଧ୍ୟରେ ମଉଡ ମଣି। ଏହି ମହା ପଣ୍ଡିତ ଓ ସାଧକପ୍ରବର ଶ୍ରୀଧରସ୍ୱାମୀ ଆଜି ସମଗ୍ର ଭାରତରେ ଅଭିନନ୍ଦିତ। ସେ ଯେଉଁ ଟୀକା ଲାଗି ପ୍ରସିଦ୍ଧ, ସେହି ଟୀକା ଲେଖାଯାଇ ଥିଲା ଏହି କପିଳାସ ପାହାଡ ଉପରେ। ସୁତରାଂ ଶିଖରେଶ୍ୱର ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳର ପ୍ରତ୍ୟେକ ଧୂଳିକଣା ଭାରତୀୟ ଭାଗବତ ବିଶ୍ୱାସୀମାନଙ୍କ ପକ୍ଷରେ ପବିତ୍ରତମ ! ଶ୍ରୀଯୁକ୍ତ ଚିନ୍ତାମଣି ଆଚାର୍ଯ୍ୟ ତାଙ୍କ ସମ୍ପାଦିତ ଭାଗବତ ମୁଖବନ୍ଧରେ ଲେଖିଛନ୍ତି – ଶ୍ରୀଧରସ୍ୱାମୀ ଉତ୍କଳରେ ଢେଙ୍କାନାଳ ରାଜ୍ୟରେ କପିଳାସ କନ୍ଦରରେ ଅବସ୍ଥାନ କରି ଶ୍ରୀମଦ ଭାଗବତର ଟୀକା ପ୍ରଣୟନ କରିଥିଲେ ବୋଲି ଢେଙ୍କାନାଳର ଇତିହାସରୁ ପ୍ରମାଣ ମିଳେ।ଉତ୍କଳ ହିମାଚଳ କପିଳାସ କନ୍ଦର ଯୋଗୀ ମୁନୀମାନଙ୍କର ନିବାସର ଯଥାର୍ଥ ସ୍ଥାନ, ଏହା କହିଲେ ଅତ୍ୟୁକ୍ତି ହେବନାହିଁ। କଳିଯୁଗର ଶୁକଦେବ ଶ୍ରୀଧରସ୍ୱାମୀ ଏହି ରମଣୀୟ ପର୍ବତ ଶିଖରରେ ଅବସ୍ଥାନ କରିଶ୍ରୀମଦ ଭାଗବତର ଟୀକା ପ୍ରଣୟନ କରିବା ସମ୍ଭବ। ତ୍ରୟୋଦଶ ଶତାବ୍ଦୀର ଶେଷ ପାଦରୁ ପ୍ରତାପ ନରସିଂହଙ୍କଦ୍ୱାରା କପିଳାସସ୍ଥ ଶିଖରେଶ୍ୱର ମନ୍ଦିର ନିର୍ମାଣ ଓ ପୀଠ ପ୍ରତିଷ୍ଠା ହେଲା ଦିନୁ ଗଜପତି ମହାରାଜାମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କପିଳାସର ସେବା ପୂଜା ଚଳି ଆସୁଥିଲା। ଯଦି ରାମକୃଷ୍ଣ ସ୍ୱଶିଷ୍ୟ ଶ୍ରୀଧର ସ୍ୱାମୀଙ୍କୁ ସର୍ବଶାସ୍ତ୍ରପାରଦର୍ଶୀ ଏବଂ ଅଦ୍ୱିତୀୟ ଗ୍ରନ୍ଥକାର ଥିବାର ଦେଖି କପିଳାସପୀଠର ସ୍ୱତ୍ୱାଧିକାର ତାଙ୍କ ଉପରେ ଅର୍ପଣ କଲେ। ଶ୍ରୀଧରଙ୍କୁ କବିଜନବା‚ିତ ଋଷି ଆଶ୍ରମ ମିଳିଲା। ବର୍ତ୍ତମାନ ମଣିକର୍ଣ୍ଣିକା ଓ ବିଶ୍ୱନାଥ ମନ୍ଦିରର ନିକଟବର୍ତ୍ତୀ ଯେଉଁ ପ୍ରାଚୀନ ମଠ କପିଳାସରେ ଦେଖାଯାଏ, ତାହା ବ୍ରହ୍ମଚାରୀ ମଠ ନାମରେ ବିଖ୍ୟାତ। ଏହି ମଠର ବ୍ରାହ୍ମଣ ବ୍ରହ୍ମଚାରୀମାନେ ପୁରୀର ଶଙ୍କରାନନ୍ଦ ମଠର ତତ୍ତ୍ୱାବଧାନରେ ଅଧିକାର ପ୍ରାପ ହୁଅନ୍ତି ଏବଂ ଅଦ୍ୟାବଧି ବ୍ରହ୍ମଚାରୀ ମଠ ଶଙ୍କରାନନ୍ଦ ମଠର ଶାଖା ରୂପେ ପ୍ରସିଦ୍ଧ। ଯତି ଶ୍ରୀଧର ସ୍ୱଗୁରୁକୂଳର ଇଷ୍ଟଦେବ ଶ୍ରୀଲକ୍ଷ୍ମୀ ନୃସିଂହ ବିଗ୍ରହଙ୍କୁ କାଞ୍ଚିରୁ ଆଣି ଲଳିତ-ଶିଳ୍ପ-କଳା-ମଣ୍ଡିତ ଶ୍ରୀ ପାର୍ବତୀ ମୂର୍ତ୍ତିର ପାଶ୍ୱର୍ରେ ଏକ ମନ୍ଦିର ମଧ୍ୟରେ ସ୍ଥାପନ କରି ତାଙ୍କର ସେବାରେ ଓ ପାର୍ବତୀ ଚନ୍ଦ୍ରଶେଖରଙ୍କର ଆରାଧନାରେ ଆତ୍ମନିୟୋଗ କଲେ। ଶିବ କ୍ଷେତ୍ର ମଧ୍ୟରେ ନୃସିଂହମୂର୍ତ୍ତି ଅବସ୍ଥାନର ଏହା ହିଁ ହେତୁ। ସେହି ଲକ୍ଷ୍ମୀ-ନୃସିଂହଙ୍କର ଅନୁଗ୍ରହ ଫଳରେ ଓ ପାର୍ବତୀ ଚନ୍ଦ୍ରଶେଖରଙ୍କ ବରଲାଭ କରି ଶ୍ରୀଧର ବିଷ୍ଣୁପୁରାଣ, ଶ୍ରୀମଦ ଭଗବଦ୍ ଗୀତା ଏବଂ ଶ୍ରୀମଦ ଭଗବଦ ଗୀତା ଏବଂ ଶ୍ରୀମଦ ଭଗବତର ଟୀକାଦୀ ରଚନା କରିଥିବାର ତାଙ୍କ ନିଜ ଚରିତ୍ର ଗ୍ରନ୍ଥରୁ ଆଭାସ ମିଳେ। ଶ୍ରୀ ନୃସିଂହ ମହଂଭଜେ ଈତ୍ୟାଦି ଭାଗବତର ଟୀକା ଦେଖନ୍ତୁ। ଯତି ଶ୍ରୀଧର ଯେ ଲକ୍ଷ୍ମୀନୃସିଂହ ବିଗ୍ରହଙ୍କର ପ୍ରତିଷ୍ଠା କରାଇ ସେବା କରୁଥିଲେ, ସେହି ମୂର୍ତ୍ତି ଏବେ ସୁଦ୍ଧା କପିଳାସ କ୍ଷେତ୍ରସ୍ଥ ପାର୍ବତୀ ମନ୍ଦିରରେ ଭକ୍ତମଣ୍ଡଳୀଦ୍ୱାରା ଆରାଧିତ ହୋଇ ଆସୁଛନ୍ତି। ପୁରୀର ଜଗନ୍ନାଥ ମନ୍ଦିରର ବେଢା ମଧ୍ୟରେ ଲକ୍ଷ୍ମୀମୋହନରେ ଯେ ଲକ୍ଷ୍ମୀନୃସିଂହ ବିଗ୍ରହ ବିରାଜିତ ଅଛନ୍ତି, ସେହି ବିଗ୍ରହ ସହିତ ଏହି କପିଳାସସ୍ଥ ବିଗ୍ରହଙ୍କର ବିଶେଷ ସୌସାଦୃଶ୍ୟ ଲକ୍ଷିତ ହୁଏ। ଏ ସମସ୍ତ କିମ୍ବଦନ୍ତୀ ଏବଂ ପ୍ରମାଣରୁ ଅନୁମିତ ହୁଏ ଯେ, ଯେଉଁ ଦୁର୍ଲ୍ଲଭ ଗ୍ରନ୍ଥରାଜି ବର୍ତ୍ତମାନ ସଂସ୍କୃତ ସାହିତ୍ୟର ସୁଗୂଢ ଶାସ୍ତ୍ରମାନଙ୍କର ମର୍ମୋଦଘାଟନ କରି ପଣ୍ଡିତ ମଣ୍ଡଳୀର ନିତ୍ୟକଣ୍ଠହାର ହୋଇଅଛି, ତାହା କପିଳାସ ତୀର୍ଥରେ ଜନ୍ମ ପରିଗ୍ରହ କରିଥିଲା। ମନେ ହେଉଛି କପିଳାସ କନ୍ଦର ଉତ୍କଳୀୟ ସଂସ୍କୃତି ଏବଂ ଭାରତୀୟ ସଂସ୍କୃତିର ଏକ ସମୃଦ୍ଧ ଗନ୍ତାଘର। ଏହାବିଷୟରେ ଯେତେ ଯେତେ କଥା ଆଜିସୁଦ୍ଧା ଜଣାଯାଇଛି ତା ଠାରୁ ଅନ୍ୟ ଅନେକ ଉପାଦେୟ କଥା ଜାଣିବାର ଅଛି।ବାସ୍ତବିକ ଏହି ସ୍ଥାନର ଗୌରବ, ସୌନ୍ଦର୍ଯ୍ୟ ଓ ସୌରଭ ଉପଯୁକ୍ତ ଭାବରେ ପ୍ରଚାରିତ ହୋଇପାରିଲେ ସମଗ୍ର ଭାରତର ସାଧକ ପ୍ରକୃତିପ୍ରେମୀ, ଭକ୍ତ ଓ ପର୍ଯ୍ୟଟକ ଏଥିପ୍ରତି ଆକୃଷ୍ଟ ହୋଇ ଆସିବେ।
ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top