ଉଠା ଦୋକାନୀମାନେ ବିଏମ୍ସି ଅଚଳ କରିବେ

ଭୁବନେଶ୍ୱର, ୨୯/୧୧ (ଓଡ଼ିଆ ପୁଅ) – ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀମାନଙ୍କର ସର୍ଭେ ଶେଷ କରି ସେମାନଙ୍କୁ ପରିଚୟପତ୍ର ପ୍ରଦାନ ପୂର୍ବକ ଟାଉନଭେଣ୍ଡିଂ କମିଟି ବୈଠକ ଡାକି ଉପଯୁକ୍ତ ଥଇଥାନ ଓ ସେ ପର୍ଯ୍ୟନ୍ତ ଦୋକାନ ଭଙ୍ଗା ବନ୍ଦ ନ କଲେ ଉଠା ଦୋକାନୀମାନେ ମେଳି ବାନ୍ଧି ବିଏମ୍ସି କାର୍ଯ୍ୟାଳୟକୁ ଅଚଳ କରିଦେବେ ବୋଲି ଘୋଷଣା କରିଛନ୍ତି।

ଆଜି ଅଶୋକନଗରସ୍ଥିତ ଭଗବତୀ ଭବନଠାରେ ଏଆଇଟିୟୁସି ସହ ଅନୁବନ୍ଧିତ “ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ”ର ସାଧାରଣ ପରିଷଦ ବୈଠକ ସଂଘର ସଭାପତି ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାଧାରଣ ପରିଷଦର ବୈଠକ ପରେ ସଭାପତି ସୁର ଜେନା ଏକ ପ୍ରେସ୍ ବିବୃତିରେ କହିଛନ୍ତି– ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ପାର୍ଲାମେଣ୍ଟ ଉଠା ଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ ନ କରି ଭଙ୍ଗାଯାଇ ପାରିବ ନାହିଁ ବୋଲି ଆଇନ ପ୍ରଣୟନ କରିଛି। ଏହି ଆଇନ ଅନୁସାରେ ସମଗ୍ର ସହରରେ ଉଠା ଦୋକାନୀମାନଙ୍କର ସମ୍ପୂର୍ଣ୍ଣ ସର୍ଭେ, ସର୍ଭେ ଭିତ୍ତିରେ ପଞ୍ଜୀକରଣ କୁପନ ଓ ପରିଚୟପତ୍ର ପ୍ରଦାନ କରାଯାଇ ଟାଉନ ଭେଣ୍ଡିଂ କମିଟି ଜରିଆରେ ଥଇଥାନ କରାଯିବା କଥା। ମାତ୍ର ରାଜଧାନୀ ଭୁବନେଶ୍ୱରରେ ସବୁ ଅଞ୍ଚଳ ସର୍ଭେ ହୋଇ ନାହିଁ। ସର୍ଭେ ହୋଇଥିଲେ କୁପନ ନାହିଁ, ପରିଚୟପତ୍ର ନାହିଁ ଏବଂ ଟାଉନଭେଣ୍ଡିଂ କମିଟି ବୈଠକ ନ ଡାକି ସ୍ମାର୍ଟ ସିଟି ନାମରେ ଦୋକାନ ଭଙ୍ଗା ଚାଲିଛି।

ଏଣୁ ଦୋକାନ ଭଙ୍ଗା ଅଭିଯାନ ବନ୍ଦ କରି, ଆଇନକୁ ସମ୍ମାନ ଦେଇ, ତୁରନ୍ତ ୧୫ଦିନ ମଧ୍ୟରେ ଟାଉନ ଭେଣ୍ଡିଂ କମିଟି ବୈଠକ ନ ଡାକିଲେ ଉଠା ଦୋକାନୀମାନେ ବିଏମ୍ସି କାର୍ଯ୍ୟାଳୟକୁ ଅଚଳ କରିଦେବେ ବୋଲି ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା ସତର୍କ କରାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *