ଉଜ୍ଜଳା ଯୋଜନା କେନ୍ଦ୍ରର ଦୟା ନୁହେଁ, ଓଡ଼ିଶାର ଗରିବ ଚାଷୀ, ମୁଲିଆଙ୍କ ଅଧିକାର, ପ୍ରଭାତ ବିଶ୍ୱାଳ

ବୌଦ୍ଧ,୧୯/୦୬ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲାକୁ ଦଳୀୟ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ କୁମାର ବିଶ୍ୱାଳ ଯୋଗ ଦେଇ ଓଡ଼ିଶାର ଚାଷୀ, ମୁଲିଆ,ଖଟିଖିଆଙ୍କ ଝାଳବୁହା ରାଜସ୍ୱ ଅର୍ଥରୁ ମାତ୍ର ୧୦ ପ୍ରତିଶତ ଅର୍ଥ ପ୍ରଦାନ କରି କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଭଣ୍ଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଶ୍ରୀବିଶ୍ୱାଳ ଓଡ଼ିଶା ମାମଲାରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନିତିର ଦୃଢ ସମାଲୋଚନା କରିବା ସହିତ ରାଜସ୍ୱର ୯୦ ପ୍ରତିଶତ ଅର୍ଥକୁ କେନ୍ଦ୍ର ସରକାର ନିଜ ଅଧିନରେ ରଖି ନିଜ ଶାସିତ ରାଜ୍ୟ ଗୁଡିକରେ ନିଜ ଦଳକୁ ସୁହାଇଲାଭଳି ଯୋଜନା ମାଧ୍ୟମରେ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି।

ଉଜ୍ଜଳା ଯୋଜନା କେନ୍ଦ୍ରର ଦୟା ନୁହେଁ ଗରିବଙ୍କ ଅଧିକାର। ଉଜ୍ଜଳା ଗ୍ୟାସ ଯୋଜନା ୨୦୧୧ ଜନଗଣନା ଆଧାରରେ ସାମାଜିକ ଅର୍ଥନୈତିକ ଅନଗ୍ରସର ତାଲିକାରେ ରହିଥିବା ପ୍ରତ୍ୟେକ ପରିବାର ସିଧାସଳଖ ଗ୍ୟାସ ଏଜେନସି ଠାରୁ ଗ୍ୟାସ ସିଲିଣ୍ଡର ଓ ସଂଯୋଗ ପାଇବା ସେମାନଙ୍କ ଅଧିକାର ହୋଇଥିବାବେଳେ ବିଜେପି ଭୋଟ ବ୍ୟାଙ୍କ ସୃଷ୍ଟି ନାମରେ ଏହି ଯୋଜନା କେନ୍ଦ୍ର ସରକାରଙ୍କର ବୋଲି ମିଥ୍ୟା ପ୍ରଚାର କରିବାରେ ଲାଗିଛି।

ସଂଘିୟ ବିଧି ବ୍ୟବସ୍ଥା ଅନୁଯାୟୀ ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ୱରୁ ୫୦ ପ୍ରତିଶତ ରାଜସ୍ୱ ସେହି ରାଜ୍ୟର ବିକାଶରେ ଖର୍ଚ୍ଚ କରାଯିବା ନିୟମ ରହିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇ ରାଜ୍ୟକୁ କେବଳ ୧୦ ପ୍ରତିଶତ ଅଂଶଧନ ପ୍ରଦାନ କରିଥାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ମାତ୍ର ୬୦ ପ୍ରତିଶତ ଅନୁଦାନ ଯୋଗାଇ ଦେଉଥିବାବେଳେ ବଳକା ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଭରଣା କରୁଛନ୍ତି।

ସେହିପରି ପଶ୍ଚିମ ଓଡ଼ିଶା ତଥା ବୌଦ୍ଧବାସୀଙ୍କ ଡ୍ରିମ ପ୍ରୋଜେକ୍ଟ ଭାବରେ ଜଣାଶୁଣା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ସଂପୁର୍ଣ୍ଣ ଜମି ଯୋଗାଇଦେବା ସହିତ ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଅଂଶଧନ ଯୋଗାଇଦେଇଛନ୍ତି। କିନ୍ତୁ ଏହି ରେଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସମସ୍ତ ଅନୁଦାନ ଯୋଗାଇଦେଉଥିବା ନେଇ ପ୍ରଚାର କରାଯାଉଛି। ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ସବୁ କେନ୍ଦ୍ରୀୟ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଅଂଶଧନ ପ୍ରଦାନ କରାଯାଉଥିବାବେଳେ କେନ୍ଦ୍ର ସରକାର ଆମରି ରାଜସ୍ୱରେ ଆମକୁ ଅନୁଦାନ ପ୍ରଦାନ କରି ରାଜ୍ୟର ଅଗଣିତ ସାଧାରଣଲୋକଙ୍କୁ ଭଣ୍ଡାଉଛନ୍ତି ବୋଲି ଶ୍ରୀବିଶ୍ୱାଳ ଅଭିଯୋଗ କରିଛନ୍ତି।

କେନ୍ଦ୍ରରୁ ମିଳୁଥିବା ଅନୁଦାନ ଖର୍ଚ୍ଚ ହୋଇନପାରି ଫେରିଯାଉଥିବା ଅଭିଯୋଗ ସଂପର୍କରେ ଶ୍ରୀବିଶ୍ୱାଳ କହିଥିଲେଯେ, ନିୟମ ଅନୁଯାୟୀ ବିଭିନ୍ନ ଯୋଜନାରେ ରାଜ୍ୟକୁ ମିଳୁଥିବା ଅନୁଦାନ ଅପ୍ରେଲ ରୁ ମଇ ମାସ ମଧ୍ୟରେ ପ୍ରଦାନ କରାଯିବା କଥା। କିନ୍ତୁ କେନ୍ଦ୍ର ସରକାର ଜାଣିଶୁଣି ଅନୁଦାନ ପ୍ରଦାନରେ ବିଳମ୍ବ କରି ଫେବୃୟାରୀ ମାସରେ ଅନୁଦାନ ଯୋଗାଇ ମାର୍ଚ୍ଚ ମାସ ମଧ୍ୟରେ ଏହା ଖର୍ଚ୍ଚ କରିବାକୁ ସମୟ ନିର୍ଦ୍ଧାରଣ କରୁଛନ୍ତି। ଫଳରେ ରାଜ୍ୟବାସୀ ଉକ୍ତ ଅନୁଦାନର ବିନିଯୋଗରୁ ବଂଚିତ ହେବା ସହିତ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। କେନ୍ଦ୍ର ସରକାର ଅନ୍ୟ ରାଜ୍ୟର ରାଜସ୍ୱ କିମ୍ବା କେନ୍ଦ୍ର ସରକାରଙ୍କ ନିଜସ୍ୱ କୌଣସି ପାଣ୍ଠିରୁ ଆମକୁ ଅନୁଦାନ ଦେଉନାହାନ୍ତି। ଆମରି ରାଜସ୍ୱ ଅର୍ଥରୁ ଆମକୁ ଅନୁଦାନ ପ୍ରଦାନ କରି କେନ୍ଦ୍ରୀୟ ଯୋଜନା ନାମରେ ଜନସାଧାରଣଙ୍କୁ ଭଣ୍ଡି ଚାଲିଥିବା ଶ୍ରୀବିଶ୍ୱାଳ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ପ୍ରତି ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଶାସିତ ରାଜ୍ୟ ଗୁଡିକୁ ଅନୁଦାନ ପ୍ରଦାନରେ ଅଗ୍ରାଧିକାର ଦିଆାଯାଉଥିବାବେଳେ ଆମ ରାଜ୍ୟ ସରକାରଙ୍କୁ ଜନସାଧାରଣଙ୍କ ନିକଟରେ ଅପଦସ୍ତ କରାଯିବାକୁ ଅନୁଦାନ ହ୍ରାସ କରାଯାଉଅଛି। ଏପରିକି ଜଣେ ନାଗରିକର ମୌଳିକ ଅଧିକାର ପାନୀୟଜଳ ଯୋଗାଣ ଭଳି ଯୋଜନାରେ ରାଜ୍ୟର ୨୬୦ କୋଟି ଟଙ୍କା ଅନୁଦାନ ହ୍ରାସ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀବିଶ୍ୱାଳ ସମାଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀବିଶ୍ୱାଳ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନିତୀର ସମାଲୋଚନା କରିବା ସହିତ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ଜଳ ପାଇଁ ବିଜେଡି ପକ୍ଷରୁ ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବୌଦ୍ଧଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହିଧର ରଣା ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *