ଓଡ଼ିଶା

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାକୁ ଧ୍ୱଂସ ପାଇଁ ଚକ୍ରାନ୍ତ, ପ୍ରମୁଖ ସଚିବ ଅନ୍ଧାରରେ : ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ, ଓଡ଼ିଶା

ଭୁବନେଶ୍ୱର, ତା ୧୮ା୪ (ଓଡ଼ିଆ ପୁଅ) : ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ପରିସରରେ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଡବ୍ଲୁ.ପି.(ସି) ୧୩୬୧/୨୦୧୦ ଏବଂ ବ୍ୟାଚ୍ କେସ୍ ଗୁଡ଼ିକର ବିଚାର କରି (୧) ବି.ଏ. / ବି.ଏସ୍ସି. ସହ ବି.ଏଡ୍ ଏବଂ (୨) +୨ ସହ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ (ସି.ଟି.) ଶିକ୍ଷକଙ୍କୁ ଖାଲିଥିବା ପଦ / ସୃଷ୍ଟିପଦ / ଅପ୍ଗ୍ରେଡ୍ ପଦରେ ଯଥାକ୍ରମେ (୧) ଷଷ୍ଠରୁ ଅଷ୍ଟମ (୨)ପ୍ରଥମରୁ ପଞ୍ଚମ ଶ୍ରେଣୀର ପାଠ୍ୟଦାନ ପାଇଁ ନିଯୁକ୍ତି ଦେଇଥିଲେ। ଶିକ୍ଷା ଅଧିକାର ଅଧିନିୟମ ୨୦୦୯, ରାଜ୍ୟ ଶିକ୍ଷାନୀତି ୨୦୧୦ ଏବଂ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବ ନଂ-୫୮୭/ଏସ୍.ଏମ୍.ଇ., ତା ୧୦.୦୧.୨୦୧୧ ଅନୁଯାୟୀ ଏବଂ ବିଜ୍ଞାପନ ଏପରିକି ନିଯୁକ୍ତି / ନିୟୋଜନ ନିର୍ଦ୍ଦେଶରେ ବି.ଏଡ୍ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ପର୍ଯ୍ୟାୟକ୍ରମେ ଏଯାବତ୍ ଟି.ଜି.ଟି. ଏବଂ +୨ ଡି.ଇ.ଇ. (ସି.ଟି.) ପଦରେ ନିଯୁକ୍ତି ଦେଇଚାଲିଛନ୍ତି। ମାତ୍ର ଛୋଟ ପିଲାଙ୍କୁ ଚକୋଲେଟ୍ ଦେଇ ଭଣ୍ଡାଇବା ପରି ଏହି ବର୍ଗର ଉଚ୍ଚ ଶିକ୍ଷିତ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷକ ସମାଜକୁ ଠକି ଚାଲିଛନ୍ତି। ସରକାର ଉଚ୍ଚ ବିଦ୍ୟାଳୟ ଟି.ଜି. ଶିକ୍ଷକଙ୍କ ପାଇଁ ଟ.୯୩୦୦/- ମୂଳ ଦରମା ସହ ଟ.୪, ୨୦୦/- ଗ୍ରେଡ୍ ପେ’ ନିର୍ଦ୍ଧାରଣ କରିଥିବା ସ୍ଥଳେ ସେହି ସମ୍ମାନଯୋଗ୍ୟତା ସହ ଓ.ଟି.ଇ.ଟି.-୨ ଯୋଗ୍ୟତାଧାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକଙ୍କୁ ଷଷ୍ଠ ବେତନ କମିଶନ ସୁପାରିଶ ଅନୁଯାୟୀ କେନ୍ଦ୍ରୀୟ ହାରରେ ଅନ୍ୟ ରାଜ୍ୟଗୁଡ଼ିକ ପରି ଅନୂ୍ୟନ ମୂଳ ଦରମା ଟ.୯, ୩୦୦/- ସହ ଗ୍ରେଡ୍ ପେ’ ଟ.୪, ୬୦୦/- ଦେବାର ବ୍ୟବସ୍ଥା ନ କରିବା ଏବଂ ବି.ଏଡ୍ ଯୋଗ୍ୟତାଧାରୀଙ୍କୁ ବଡ଼ ବି.ଏଡ୍ ଏବଂ ଛୋଟ ବି.ଏଡ୍ ତୁଳନା କରିବାର ପ୍ରୟାସ ସହ ବି.ଏଡ୍ ଡିଗ୍ରୀଧାରୀଙ୍କ ସହ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ପ୍ରବେଶ ନିଯୁକ୍ତି ପାଇନଥିବା ବି.ଏ. ସହ ସି.ଟି. ଶିକ୍ଷକଙ୍କ ସହ ସମତୁଲ କରି ଏକ ନୂଆ ସଂସ୍କରଣ (ଗ୍ରାଜୁଏଟ୍ ଶିକ୍ଷକ) ପରି ଏକ ଅବାନ୍ତର ଉଦ୍ଭଟ ପରିକଳ୍ପନାକୁ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ ତରଫରୁ ତୀବ୍ର ବିରୋଧ କରାଯାଇଛି। ଟ୍ରେଣ୍ଡ ଗ୍ରାଜୁଏଟ୍ ଶିକ୍ଷକଙ୍କ ତଥ୍ୟ ଲୁଚାଇବା ପାଇଁ ସୁନ୍ଦରଗଡ଼, ଭଦ୍ରକ, ଗଞ୍ଜାମ ଓ ଅନ୍ୟ ଜିଲ୍ଲାଗୁଡ଼ିକରେ କେତେକ ଡି.ପି.ସି., ଡି.ଇ.ଓ., ବି.ଇ.ଓ. ଏବଂ କମ୍ପୁ୍ୟଟର କର୍ମଚାରୀ ରାତାରାତି ଶିକ୍ଷକ ପ୍ରୋଫାଇଲ୍ ତଥ୍ୟ ବଦଳାଇ ବି.ଏଡ୍ ଯୋଗ୍ୟତାଧାରୀ ଯୋଗ୍ୟତାକୁ କମାଇ +୨ ସି.ଟି.କୁ ଖସାଇ ଦିଆଯାଇଛି। ଯାହାକି ପ୍ରବେଶ ବି.ଏଡ୍ ଡିଗ୍ରୀଧାରୀଙ୍କୁ ବ୍ୟଥିତ କରିଛି। ସରକାର ଶିକ୍ଷା ଅଧିକାର ଅଧିନିୟମ ଆଧାରରେ ଉଚ୍ଚବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀକୁ ଉଚ୍ଛେଦ କରି ଉଚ୍ଚ ବିଦ୍ୟାଳୟରେ ସାମିଲ୍ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମିଶ୍ରଣ ପ୍ରକ୍ରିୟା କରି ପୁନଃ ଉଚ୍ଚବିଦ୍ୟାଳୟ ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁୁ କେବଳ କାଗଜ କଲମରେ ମିଶ୍ରଣ କଲେ, ମାତ୍ର ପ୍ରକୃତପକ୍ଷେ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ଉଚ୍ଚପ୍ରାଥମିକ ସ୍ତରର ଷଷ୍ଠରୁ ଅଷ୍ଟମ ପାଠ୍ୟଦାନ ପାଇଁ ଅଧିକାଂଶ ସ୍ଥଳରେ ଅମଙ୍ଗ ହେଉଥିବା ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବା ପାଇଁ କହି ଟି.ଜି. ଶିକ୍ଷକମାନଙ୍କର ସମ୍ମାନ ଓ ସ୍ୱାଭିମାନକୁ ପରିହାସ କରୁଛନ୍ତି। ଏକ ପକ୍ଷରେ ସରକାର ମିଶ୍ରଣରେ ଦୁଇପ୍ରକାର ଉପସ୍ଥାନ ଖାତା, ଦୁଇପ୍ରକାର ପୋଷାକ, ଦୁଇ ପ୍ରକାର ଅଫିସ୍ ଓ କମନ୍ରୁମ୍ କରି ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବାସହ ଶିକ୍ଷକର ସ୍ୱାଭିମାନକୁ ଆଘାତ ପହଞ୍ଚାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଅଷ୍ଟମ ଶ୍ରେଣୀ ଉଚ୍ଚ ପ୍ରାଥମିକର ନା ଉଚ୍ଚ ବିଦ୍ୟଶଳୟର ଏବଂ ସେଠାରେ ଥିବା ୬ଷ୍ଠ, ୭ମ କୋମଳମତି ନିରୀହ ଛାତ୍ରଛାତ୍ରୀମାନେ ହିନ୍ଦୀ ଓ ସଂସ୍କୃତ ଶିକ୍ଷାଦାନରୁ ବଞ୍ଚିତ ହେବା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରାଯାଇଛି ? ସରକାର ତୁରନ୍ତ ରିଷ୍ଟ୍ରକଚର ଆଳରେ ନିଯୁକ୍ତି ପ୍ରବେଶ ବି.ଏଡ୍ ଡିଗ୍ରୀଧାରୀଙ୍କୁ ଉଚ୍ଚ ବିଦ୍ୟାଳୟରେ ଟି.ଜି.ଟି. ମାନ୍ୟତା ସହ ବେତନ ଟ.୯, ୩୦୦/- ସହ ଗ୍ରେଡ୍ ପେ’ ଟ.୪, ୬୦୦/-, ବିଷୟଭିତ୍ତିକ ଶିକ୍ଷକ ମାନ୍ୟତା ଆଦି ପ୍ରଦାନ ନ କଲେ ରାଜ୍ୟରେ ନିଯୁକ୍ତ ୫୩ ହଜାର ଟି.ଜି. ଶିକ୍ଷକ ମହା ଆନ୍ଦୋଳନ ସହ ଅଦାଲତ ଅବମାନନା ମକଦ୍ଦମା କରିବା ପାଇଁ ବାଧ୍ୟ ହେବେ ବୋଲି ସଂଘ ତରଫରୁ ଦେବେନ୍ଦ୍ର କୁମାର ନାୟକ, ଉମେଶ ଚନ୍ଦ୍ର ନାୟକ, ଅଜୟ କୁମାର ଧଳ, ସୁଧୀର କୁମାର ପ୍ରଧାନ, ଲକ୍ଷ୍ମଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ସରୋଜ କୁମାର ପଣ୍ଡା, ଦୁର୍ଯେ୍ୟାଧନ ଦାସ, ସଚିକାନ୍ତ ମିଶ୍ର, ପ୍ରଫୁଲ୍ଲ ଚକ୍ର, ସନ୍ତୋଷ ମିଶ୍ର, ବଳରାମ ପତି, ରଂଜନ ମହାନ୍ତି, ଅଞ୍ଜନ ରାଉତ, ଅର୍ଚ୍ଚନା ଜେନା, ଲଲାଟେନ୍ଦୁ ମହଲ, ପୂର୍ଣ୍ଣଚନ୍ଦ୍ର ଖଟୁଆ, ପ୍ରଦ୍ୟୁମ୍ନ ବାରିକ ପ୍ରମୁଖ ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top