ଉଗ୍ରରୂପ ନେଲା ମଦ ବିରୋଧି ଆଂଦୋଳନ , ମଦ ଦୋକାନରେ ତାଳା ପକାଇଦେଲେ ମହିଳା ।

କଳାହାଣ୍ଡି -୧୦/୦୬ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ମଦର ବହୁଳ ପ୍ରସାର ହେଉଥିବା ବେଳେ ଅନେକାଂଶରେ ଲୋକେ ଅତିଷ୍ଠ  ହୋଇ ପଡିଲେଣି । ନୂଆ ମଦ ଦୋକାନ ଖୋଲିବା ପୂର୍ବରୁ ବିଜ୍ଞାପନ ଜରିଆରେ ସାଧାରଣ ଲୋକଙ୍କୁ ଅବଗତ କରାଇ କୌଣସି ଅଭିଯୋଗ ଥିଲେ ଜଣାଇବାପାଇଁ ନୋଟିସ ମାଧ୍ୟମରେ ଆହ୍ୱାନ କରାଯାଇଥାଏ । ହେଲେ ସେହି ନୋଟିସ ଗୁଡିକୁ ସର୍ବସାଧାରଣଙ୍କ ଅଗୋଚରରେ ନ୍ୟସ୍ତସ୍ୱାର୍ଥବାଦୀ କିଛି ମୁଷ୍ଟିମେୟ ଲୋକଙ୍କୁ ଜଣାଇ ଦେଇ ସରକାରୀ କାଗଜାତ ପ୍ରସ୍ତୃତ କରାଇ ନେଇ ମଦ ଦୋକାନ ଖୋଲା ଯାଉଥିବାର ଅନେକ ଅଭିଯୋଗ ମାନ ହୁଏ । ସାଧାରଣତଃ ଲୋକେ ଚାହୁଁନଥିବା ସ୍ଥାନରେ ମଦ ଦୋକାନ ଖୋଲାଗଲେ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ଭାବେ ତାହା ବିରୋଧର ସମ୍ମୁଖିନ ହେବାକୁ ପଡିଥାଏ । କଳାହାଣ୍ଡିରେ ଏଭଲି ଅନେକ ଘଟଣା କ୍ରମଶଃ ଲୋକ ଲୋଚନକୁ ଆସୁଥିବା ଜଣାପଡିଛି ।
ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମଠାରେ ଦେଶୀ ଓ ବିଦେଶୀ ମଦ ଦୋକାନ ସମେତ ଦେଶୀ ମଦ ଭାଟିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦୀର୍ଘ ଦିନ ହେବ ସ୍ଥାନୀୟ ମହିଳା ମାନେ ଦାବୀ କରିଆସୁଥିଲେ । ଗତମାସ ୨୪ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ବିଷୟା ମାଝୀ, ନାଏବ ସରପଞ୍ଚ ଦଧି ସାହୁ, ସମସ୍ତ ୱାର୍ଡ ସଭ୍ୟ ତଥା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ହୋଇ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଭାଟି ସମେତ ଦେଶୀ ମଦ ଦୋକାନ କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସବୁଯାକ ମଦ ଦୋକାନ ବନ୍ଦ କରିବାକୁ ସାତ ଦିନିଆ ନୋଟିସ ଦେଇ ମହିଳା ମାନେ ଗତ ମାସ ୩୧ ତାରିଖ ଦିନ ପୁଣି ଥରେ ଏକତ୍ରୀତ ହୋଇ ମଦ ଦୋକାନ ସବୁ ଖୌଲା ଥିବାର ଜାଣିବା ପରେ ସରପଞ୍ଚ , ନାଏବ ସରପଞ୍ଚ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କ ମିଳିତ ନେତୃତ୍ୱରେ ଶତାଧୀକ ମହିଳା ପଟୁଆର ବାହାରି ମଦ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।

ଏହାର ଆଠ ଦିନ ପରେ ଅବକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଜନସାଧାରଣଙ୍କୁ କୌଣସି ସୂଚନା ନଦେଇ ମଦ ଦୋକାନ ସବୁ ଖୋଲା ଯାଇଥିବା ହେତୁ ପୁଣି ଥରେ ମହିଳା ଶକ୍ତି ଜାଗ୍ରତ ହୋଇ ଉଠିଥିଲା । ରୁପ୍ରା ପଞ୍ଚାୟତ ଅନ୍ତର୍ଗତ ରୁପ୍ରା, ଧଅଁରାମାଲ, କଲାରପଦର, ଟୁଟିଙ୍ଗ, ମାଲପଡା, ଭାଲୁକଟା, ତିତକେଲା ଆଦି ଆଖପାଖ ସମସ୍ତ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ରୁପ୍ରା ଗୋପବନ୍ଧୁ ୟଙ୍ଗ କ୍ଲବର ସଭ୍ୟ ବୃନ୍ଦ ଙ୍କ ସମେତ ବୁଦ୍ଧୀଜୀବୀ ମାନଙ୍କ ଦ୍ୱାରା ମଦ ଦୋକାନ ବନ୍ଦ କରାଯାଇଥିବା ନିଷ୍ପତିରେ ଅବକାରୀ ବିଭାଗ ଦ୍ୱାରା ପୁନଃ ମଦ ଦୋକାନ ଖୋଲା ଯିବା ନେଇ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ ଙ୍କ ସମେତ ଶତାଧିକ ମହିଳା ମଦ ଦିକାନ ସବୁ ବନ୍ଦ କରିବାକୁ ବାହାରିବା ସମୟରେ ଅବକାରୀ କର୍ମଚାରୀ ମାନେ ବୁଝା ଶୁଝା କରୁଥିଲେ । ଏହି ସମୟରେ ଜନୈକ ଅବକାରୀ କର୍ମଚାରୀ ମୋବାଇଲରେ ଘଟଣା ସମ୍ପର୍କରେ ସୁଟିଂ କରୁଥିବା ହେତୁ ପୁଣି ମହିଳାମାନେ ଉତକ୍ଷିପ୍ତ ହୋଇଉଠିଥିଲେ ଏବଂ ମହିଳା ମାନେ ନିଜ ଦାବୀରେ ଅଟଳ ରହି ମଦ ଦୋକାନ ଗୁଡିକରେ ତାଳା ପକାଇ ଦେଇଥିଲେ । ଆଗକୁ ଆଉ ମଦ ଦୋକାନ ଖୋଲିଲେ ପରିସ୍ଥିତି ଖରାପ ହେବ ବୋଲି ମହିଳା ମାନଙ୍କ ତରଫରୁ ଚେତାବନୀ ଦିଆଯାଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *