ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ମଠସାହିସ୍ଥିତ ଉତ୍କଳ ମ୍ୟୁଜିକ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ୱାଲ୍ଡ ମ୍ୟୁଜିକ ଡେ (ବିଶ୍ୱ ସଂଗୀତ ଦିବସ) ପାଳିତ ହୋଇଯାଇଛି। ଇନଷ୍ଟିଚ୍ୟୁଟଠାରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଦ୍ରକ ଟାଉନ ହଲଠାରେ ପହଞ୍ଚିଥିଲା। ସେହିପରି ସନ୍ଧ୍ୟାରେ ଟାଉନ ହଲରେ ଏକ ରଙ୍ଗାରଙ୍ଗ ସଂଗୀତ ପରିବେଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଧ୍ୟାପକ କିଶୋର ପାଣିଗ୍ରାହୀଙ୍କ ସଭାପତିତ୍ୱ ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ସୁବୋଧ କୁମାର ନାୟକଙ୍କ ସଞ୍ଚାଳନାରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଯୋଗ ଦେଇ ସଂଗୀତ ମଣିଷର ଏକ ଅଂଶ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ରାଧାକାନ୍ତ ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ନଗରପାଳ ମାନସ କୁମାର ମହାନ୍ତି ପ୍ରମୁଖ ଏହି ଇନଷ୍ଟିଚ୍ୟୁଟ୍ର ଅନନ୍ୟ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଇନ୍ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଶ୍ରୀ ନାୟକ କଳାକୁ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଥିବା ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିଷ ମହାପାତ୍ର ବକ୍ତବ୍ୟ ରଖିଥିବା ବେଳେ ପଦ୍ମଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ରଙ୍ଗାରଙ୍ଗ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
