ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ପାଇଁ କାନ୍ତକବି ମାଟି ଏହି ଜିଲାର ତିହିଡିରେ ଦାବି ଜୋର ଧରୁଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ତିହିଡି ସମେତ ଭଦ୍ରକ ଜିଲାବାସୀଙ୍କୁ ଗଭୀର ଆଘାତ ପହଞ୍ଚାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ତୁରନ୍ତ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହପାତ୍ରଙ୍କ କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ବିଧାନସଭାଠାରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ଦାବି ଉପସ୍ଥାପନ କରିଆସୁଥିବା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ରାଜ୍ୟ ବିଜେପିର ଉପସଭାପତି ବିଷ୍ଣୁ ସେଠୀ ତିହିଡିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। କ୍ଷମତାରେ ରହିବା ପାଇଁ ରାଜ୍ୟ ଏକତାକୁ ନଷ୍ଟ କରିବାକୁ ବିଜେଡି ପଛାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ‘ଉତ୍କଳ’ ବଦଳରେ ‘ଓଡିଶା’ ଦାବି କରିବା ଜଣେ ମନ୍ତ୍ରୀଙ୍କ ପାଇଁ ଶୋଭନୀୟ ନୁହେଁ ଓ ମୁଖ୍ୟମନ୍ତ୍ରୀଙ୍କ ବିନା ଇସାରାରେ ସେ ଏପରି ମନ୍ତବ୍ୟ ଦେବା ମଧ୍ୟ ସମ୍ଭବ ନୁହେଁ। ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ସେଠୀ କହିଛନ୍ତି ଯେ, ଭାରତର ଜାତୀୟ ସଂଗୀତକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତେବେ ସେଥିରେ ବର୍ଣ୍ଣିତ ବହୁସ୍ଥାନ, ନଦନଦୀ ଏବେ ଭାରତ ସୀମାରେଖାର ବାହାରେ। ‘ସିନ୍ଧୁ’ ଶବ୍ଦଟି ବୁଝାଉଥିବା ନଦୀଟି ଏବେ ପାକିସ୍ଥାନରେ। ସେହିପରି ଏଥିରେ ବର୍ଣ୍ଣିତ ‘ଦ୍ରାବିଡ ଉତ୍କଳ ବଙ୍ଗ” ଶବ୍ଦଗୁଡିକୁ ବଦଳାଇ ହେବକି? ଉତ୍କଳ ଗୌରବ, ଉତ୍କଳ କେଶରୀ, ଉତ୍କଳ ଭୀମ ଭଳି ଶବ୍ଦରୁ ‘ଉତ୍କଳ’ ବାଦ ଦେଇ ହେବକି? ତେଣୁ କାହିିଁକି ବନ୍ଦେ ଉତ୍କଳ ଜନନୀ ଶବ୍ଦ ପୁଞ୍ଜରୁ ଉତ୍କଳ ପରିବର୍ତ୍ତେ ଓଡିଶା ଲେଖାଯିବ? ଏଭଳି ପ୍ରମାଦପୂଣ୍ଣ ର୍ ମାନସିକତା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ସୁଶାନ୍ତ ସିଂଙ୍କୁ ନିଜ ସରକାରୀ ଦାୟିତ୍ୱରୁ ଅବ୍ୟାହତି ଦେବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ ଦାବି କରିଛନ୍ତି। ୧୯୩୬ ମସିହା ପୂର୍ବରୁ ଓଡିଶାକୁ ଯେଭଳି ଖଣ୍ଡବିଖଣ୍ଡିତ କରି ଭାରତର ବିଭିନ୍ନ ପ୍ରଦେଶ ସହ ମିଶାଇ ଦିଆଯାଇଥିଲା, ସେଥିରେ ‘ଉତ୍କଳ ସମ୍ମିଳନୀ’ର ଭୂମିକା ଥିଲା ଗୁରୁତ୍ୱପୂଣ୍ଣ ର୍। ଓଡିଶାର ସାରସ୍ୱତ ପୁରୁଷ ଗଙ୍ଗାଧର ମେହେର ତାଙ୍କର ଲେଖାରେ ଏକାଧିକ ସ୍ଥାନରେ ‘ଉତ୍କଳ’ ଶବ୍ଦ ବ୍ୟବହାର କରିଥିବା ବେଳେ ସୁଶାନ୍ତ ସିଂ କେଉଁ ଆଧାରରେ ଏହି ଶବ୍ଦକୁ ବାଦ ଦେବାକୁ କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ ରହୁଥିବା ବେଳେ କାନ୍ତକବିଙ୍କ ମାଟି ଭଦ୍ରକର ସାଂସଦ, ବିଧାୟକ, ମନ୍ତ୍ରୀଙ୍କର ହୃଦୟକୁ କିପରି ନବାଧୁଛି ବୋଲି ଶ୍ରୀ ସେଠୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନନେଲେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୋଧରେ ବିଭିନ୍ନ ଥାନାରେ ଏଫଆଇଆର ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସମ୍ବାଦଦାତା ସମ୍ମିଳନୀରେ ତିହିଡି ବିଜେପି ମୁଖପାତ୍ର ସୀତାକାନ୍ତ ନାୟକ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ରଘୁନାଥ ପାତ୍ର, ଅନୁସୂଚିତ ମୋର୍ଚ୍ଚାର ଉପସଭାପତି ଶରତ ଦାସ, ଜିଲା ବିଜେପି ଉପସଭାପତି ଦୁର୍ଗାଚରଣ ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶୁକଦେବ ମଳିକ, ଜିଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ବୁଦ୍ଧଦେବ ଜେନା, ମଣ୍ଡଳ ସଭାପତି ଉମାକାନ୍ତ ଦାସ, ପ୍ରଦୀପ ବଳ, ପ୍ରତାପ ଜେନା, ମୁକ୍ତିକାନ୍ତ ନାୟକ, ନାରାୟଣ ସେନାପତି ପ୍ରମୁଖ ବିଜେପି ନେତାମାନେ ଉପସ୍ଥିତ ରହିଥିଲେ।
