ଓଡ଼ିଶା

ଇ-ବିଧାନ ଦ୍ୱାରା ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ: ଦେଶର ୪୦ଟି ବିଧାନ ଗୃହ ‘ୱାନ ନେସନ ୱାନ ଆପ୍ଲିକେସନ’ରେ ଯୋଡ଼ି ହେବେ

ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ

– ଇ-ବିଧାନ ଦ୍ୱାରା ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ
– ଦେଶର ୪୦ଟି ବିଧାନ ଗୃହ ‘ୱାନ ନେସନ ୱାନ ଆପ୍ଲିକେସନ’ରେ ଯୋଡ଼ି ହେବେ

ନୂଆଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ (ନେଭା) କର୍ମଶାଳା। ଏହାର ଉଦଘାଟନୀ ଉତ୍ସବରେ ସଭାପତିତ୍ୱ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, ଜଳସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଏହି ଅବସରରେ ଶ୍ରୀ ମେଘୱାଲ ନେଭାର ନୂତନ ୱେବସାଇଟ ଉନ୍ମୋଚନ କରିବା ସହ ଉପସ୍ଥିତ ୨୦୦ ପ୍ରତିନିଧିଙ୍କୁ ସ୍ୱଚ୍ଛତାର ଶପଥ ଦେଇଥିଲେ। ଉପସ୍ଥିତ ପ୍ରତିନିଧିମାନଙ୍କ ମଧ୍ୟରେ ଅଛନ୍ତି ଲୋକସଭା ଓ ରାଜ୍ୟସଭା ସଚିବାଳୟ, ୩୧ଟି ବିଧାନସଭା ଏବଂ ୭ଟି ବିଧାନ ପରିଷଦର ବରିଷ୍ଠ ଅଫିସରଗଣ।

ଏହି ଦୁଇ ଦିନିଆ ସଚେତନତା କର୍ମଶାଳାରେ ଟେକ୍ନିକାଲ ପର୍ଯ୍ୟାୟ ସହ ଗ୍ରୁପ୍ ଆଲୋଚନା ମଧ୍ୟ ହେବ। ବିଭିନ୍ନ ବିଧାନସଭାରେ ଇ-ବିଧାନ କାର୍ଯ୍ୟକାରୀ ହେଉଥିବା ସମସ୍ୟାର ସମାଧାନ ଏବଂ ନେଭାର ସକରାତ୍ମକ ପ୍ରଭାବ ଉପରେ କର୍ମଶାଳାରେ ଆଲୋଚନା ହେବ। କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିବ, ସମସ୍ତ ବିଧାନସଭାକୁ ଇ-ବିଧାନ ପ୍ଲାଟଫର୍ମରେ ଯୋଡ଼ି ହେବାକୁ ପ୍ରୋତ୍ସାହିତ କରିବା ଏବଂ ଏହି ଟେକ୍ନୋଲୋଜି ବ୍ୟବହାର କରି ଗୃହର କାର୍ଯ୍ୟଧାରାକୁ ସ୍ୱଚ୍ଛ ଏବଂ ଦାୟିତ୍ୱବଦ୍ଧ କରିବା।

ଉଦଘାଟନୀ ପର୍ଯ୍ୟାୟରେ ଉଦ୍ ବୋଧନ ଦେଇ ଶ୍ରୀ ମେଘୱାଲ କହିଲେ ଯେ, ଗୃହକାର୍ଯ୍ୟ ସମ୍ପର୍କରେ ସୂଚନା ଠିକ୍ ସମୟରେ ମିଳିବା ଉଚିତ ଏବଂ ଏଭଳି ଏକ ଫର୍ମାଟରେ ହେବା ଦରକାର ଯାହାକି ସମସ୍ତ ସଦସ୍ୟମାନଙ୍କ ବ୍ୟବହାର ଅନୁକୂଳ ହୋଇଥିବ। ସେ ତାଙ୍କ ସଂସଦୀୟ ଅଭିଜ୍ଞତାରୁ ଉଲ୍ଲେଖ କରିଥିଲେ ଯେ, କିପରି ଡିଜିଟାଲକରଣ ଏବଂ ସୂଚନାର ଉପଲବ୍ଧତା ଯୋଗୁ ଗୃହର ସମୟ, କ୍ଷମତା ଓ ସମ୍ବଳ ସଂଚୟ ହେବା ସହ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ଘଟିିଥାଏ। ମନ୍ତ୍ରୀ କହିଥିଲେ ଯେ, ଏହି ଡିଜିଟାଲକରଣ ସ୍ୱଚ୍ଛତା ଓ ଉତରଦାୟିତ୍ୱ ବୃଦ୍ଧି କରିବା ସହ ଗୃହ କାର୍ଯ୍ୟରେ ଦୁର୍ନୀତିକୁ ସୁଯୋଗ ଦେଇ ନଥାଏ।

ସଂସଦୀୟ ବ୍ୟାପାର ସଚିବ ଏସ.ଏନ. ତ୍ରିପାଠୀ କହିଥିଲେ ଯେ, ସଦସ୍ୟ କୈନ୍ଦ୍ରିକ ଏବଂ ଡିଜିଟାଲକରଣର ବିକେନ୍ଦ୍ରୀକରଣ ଗୃହକାର୍ଯ୍ୟର ସମସ୍ତ ତଥ୍ୟ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଇଥାଏ।

ସେହିପରି ଏମ୍ ନେଭା (ନେଭା-ମୋବାଇଲ ଆପ୍ ) ଏକ ବ୍ୟବହାର ଅନୁକୂଳ ଆପ୍, ଯାହାଦ୍ୱାରା ସଦସ୍ୟମାନେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଗୃହ କାର୍ଯ୍ୟର ସୂଚନା ପାଇପାରିବେ। ନେଭା-ମୋବାଇଲ ଆପ୍ ଆଣ୍ଡ୍ରଏଡ ଓ ଆଇଓଏସ୍ ମୋବାଇଲର ପ୍ଲେ ଷ୍ଟୋର ଓ ଆପ୍ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ।

୨୦୧୮ ମୌସୁମୀ ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟ ନେଭାରେ ଲାଇଭ୍ ହୋଇଥିଲା। ଲୋକସଭାର ସୂଚନା କେବଳ ଅପଡେଟ୍ କରାଯାଇଥିଲା। ପଞ୍ଜାବ, ଉତର ପ୍ରଦେଶ, ବିହାର, ତାମିଲନାଡ଼ୁ, ସିକିମ୍, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ପୁଡୁଚେରୀ ଏବଂ ମଣିପୁର ବିଧାନସଭା ଏହି ଆପ ବ୍ୟବହାର ଆରମ୍ଭ କରି ସାରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନିୟମିତ ସମସ୍ତ ବିଧାନସଭାକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଶିକ୍ଷଣ ଜାରି ରହିଛି।

କର୍ମଶାଳାର ଉଦଘାଟନୀ ପର୍ଯ୍ୟାୟରେ ଏନଆଇସିର ଡିଜି ଶ୍ରୀମତୀ ନୀତା ବର୍ମା ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top