ଇସ୍ପାତ ସହରାଞ୍ଚଳରେ ଉଦଘାଟିତ ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରରେ ଲୋକଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ

ରାଉରକେଲା ୨୯-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହରବାସୀଙ୍କୁ ନିଃଶୁଳ୍କ ଯୋଗ ଶିକ୍ଷା ପ୍ରଦାନ ନିମନ୍ତେ ରାଉରକେଲା ଇସ୍ପାତ କାରଖାନାର ଅନନ୍ୟ ପ୍ରୟାସରେ ଜନସାଧାରଣଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ପରିଲକ୍ଷିତ ହେଉଛି। ଏହି କାର୍ଯ୍ୟକ୍ରମରୁ ଲାଭ ଉଠାଇବା ନିମନ୍ତେ ବହୁ ସଂଖ୍ୟାରେ ସହରବାସୀ ପ୍ରାତଃସମୟରେ ବିଭିନ୍ନ କମ୍ୟୁନିଟି ସେଣ୍ଟରରେ ଉପସ୍ଥିତ ରହୁଛନ୍ତି। ଉଲ୍ଳେଖନୀୟ ଯେ, ଯୋଗାଭ୍ୟାସରେ ପୂର୍ଣ୍ଣ ବିଶ୍ୱାସ ରଖୁଥିବା ଆରଏସପିର ସିଇଓ ଶ୍ରୀ ଅଶ୍ୱିନୀ କୁମାରଙ୍କ ମାର୍ଗଦର୍ଶନରେ ଇସ୍ପାତ ସହରର ବିଭିନ୍ନ କମ୍ୟୁନିଟି ସେଣ୍ଟରଠାରେ ନିଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରମାନ ଖୋଲାଯାଉଛି। ଅଦ୍ୟାବଧି ଏହି ଅନନ୍ୟ ପ୍ରୟାସ ଅଧୀନରେ ସେକ୍ଟର ୨, ୪, ୬, ୯, ୧୪, ୧୫, ୧୬, ୧୭, ୧୯, ୨୦ ଏବଂ ୨୨ ରେ ନିଶୁଳ୍କ ଯୋଗାଭ୍ୟାସ କେନ୍ଦ୍ର ଖୋଲାଯାଇଛି। ନିକଟରେ ସେକ୍ଟର ୭, ଗୋଲଘର ଏବଂ ସେକ୍ଟର ୧୩ରେ ନିଶ୍ୁଳ୍କ ଯୋଗାଭ୍ୟାସ କେନ୍ଦ୍ର ଉଦଘାଟିତ ହୋଇଥିଲା। ସେକ୍ଟର ୭ କମ୍ୟୁନିଟି ଠାରେ ଅପ୍ରେଲ ୨୪ ତାରିଖରେ ସହର ପ୍ରଶାସନ ବିଭାଗର ଜିଏମ ଶ୍ରୀ ନିରୋଦ କୁମାର ସାମନ୍ତରାୟଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ନିଃଶୁଳ୍କ ଯୋଗାଭ୍ୟାସ କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସହରସେବା ବିଭାଗର ଡିଜିଏମ ଇନ ଚାର୍ଜ ଶ୍ରୀ ପି ସି ଦାସ, ସହର ଇଞ୍ଜିନିୟରିଂ ବିଭାଗର ଡିଜିଏମ ଇନ ଚାର୍ଜ ଶ୍ରୀ ପି କେ ସାହୁ, ପ୍ରୋଟୋକଲ, ହସ୍ପିଟାଲିଟି ଓ ସମାଜ ମଙ୍ଗଳ ବିଭାଗର ଡିଜିଏମ ଶ୍ରୀ ହୀରାଲାଲ ମହାପାତ୍ର ଏବଂ କ୍ରୀଡା ଓ ସମାଜ ମଙ୍ଗଳ ବିଭାଗର ବହୁ ଅଧିକାରୀ ଓ ଷ୍ଟଶଫ ଉପସ୍ଥିତ ଥିଲେ। ଅଭିଜ୍ଞ ଯୋଗ ପ୍ରଶିକ୍ଷକ ଶ୍ରୀ ବି ଏସ ଦୁବେ ଓ ସୁଶ୍ରୀ ସବିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗାଭ୍ୟାସ ଅଧିବେଶନରେ ପ୍ରୟା ୭୦ ଜଣ ବ୍ୟକ୍ତି ଭାଗ ନେଇଥିଲେ। ଅପ୍ରେଲ ୨୫ ତାରିଖରେ ସେକ୍ଟର ୧୩ କମ୍ୟୁନିଟି ସେଣ୍ଟର ଠାରେ ଅନ୍ୟ ଏକ ଯୋଗଶିକ୍ଷା କେନ୍ଦ୍ରକୁ ଶ୍ରୀ ହୀରାଲାଲ ମହାପାତ୍ର ଉଦଘାଟନ କରିଥିଲେ। ଶ୍ରୀ ମହାପାତ୍ର ଉକ୍ତ ଦିନ ଗୋଲଘରଠାରେ ଅନ୍ୟ ଏକ ଯୋଗଶିକ୍ଷା କେନ୍ଦ୍ରର ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ କ୍ରୀଡା ଓ ସମାଜ ମଙ୍ଗଳ ବିଭାଗର ବହୁ ଅଧିକାରୀ ଓ ଷ୍ଟାଫ ଉପସ୍ଥିତ ଥିଲେ। ଇସ୍ପାତ ସହରର ଅନ୍ୟ କେତେକ ସ୍ଥାନରେ ଅନୁରୂ ଯୋଗକେନ୍ଦ୍ର ସ୍ଥାପନାର ଯୋଜନା ରହିଛି।

Leave a Reply

Your email address will not be published. Required fields are marked *