ଇସ୍ପାତ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦାଖଲ କଲା ବିଏମଏସ

ରାଉରକେଲା ୧୩/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ଏବଂ ବୀରମିତ୍ରପୁର ସ୍ଥିତ ଖଣି ମଜଦୁର ସଂଗର ଏକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବା ସହିତ ନିଜର ଅଭିଯୋଗ ଦାଖଲ କରିଥିଲେ। ଆରଆଇକେକେଏସ ତରଫରୁ ନୂତନ ବେତନ ଚୁକ୍ତିନାମା ପାଇଁ ତୁରନ୍ତ ଏନଜେସିଏସ ବୈଠକ ଡକାଇବା ଓ ଆଲୋଚନା କରିବା ପାଇଁ ଦାବି କରାଯାଇଥିଲା। ବିଶେଷ କରି ମେ ୩୦ରେ ପ୍ରକାଶ ପାଇଥିବା ସେଲ ଆର୍ଥିକ ରିପୋର୍ଟରେ ନୂତନ ବେତନ ଚୁକ୍ତିନାମା ବାବଦରେ ରଖାଯାଇଥିବା ଅର୍ଥ ଫେରସ୍ତକୁ ବିରୋଧ କରାଯାଇଥିଲା। ୨୪ ନଭେମ୍ବର ୨୦୧୮ରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ଗାଇଡ଼ଲାଇନରେ ଶ୍ରମିକଙ୍କ ବେତନ ଚୁକ୍ତିନାମା ପାଇଁ ତିନି ବର୍ଷର ଲାଭ କିମ୍ବା କ୍ଷତି ବିଷୟରେ କୌଣସି ଠାରେ ଉଲ୍ଲେଖ କରାଯାଇ ନାହିଁ। ତିନିବର୍ଷ କ୍ଷତିରେ ଚାଲିଲେ ଶ୍ରମିକ ମାନଙ୍କ ଚୁକ୍ତିନାମା ହୋଇ ପାରିବ ନାହିଁ। ଏହାକୁ ସେଲ କର୍ପୋରେଟ ଅଣଦେଖା କରୁଛନ୍ତି। ସେହିପରି ଡିପ୍ଲୋମା ଯୋଗ୍ୟତାଧାରୀଙ୍କୁ ଜୁନିୟର ଇଂଜିନିୟରଙ୍କ ପଦନାମା ଦେବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ସତ୍ୱେ ଏହା ଲାଗୁ ନହେବା ବଡ଼ ଦୁର୍ଭାଗ୍ୟଜନକ। ସେହିପରି ଆଇଜିଏଚରେ ଚିକିତ୍ସାର ମାନ ଦିନକୁ ଦିନ ହ୍ରାସ ପାଉଥିବାରୁ ଏଥିରେ ଯଥାଶୀଘ୍ର ସୁଧାର ଆଣିବା ଲାଗି ଦାବି କରାଯାଇଛି। ବୀରମିତ୍ରପୁରରୁ ଆସିଥିବା ଖଣି ମଜଦୁର ସଂଘର ପ୍ରତିନିଧି ଦୀର୍ଘ ୧୫ ମାସ ଧରି ଦରମା ପାଇନଥିବା ଅଭିଯୋଗ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ବିଏମଏସର ସାଧାରଣ ସମ୍ପାଦକ ହିମାଂଶୁ ବଳ, ସଭାପତି ବିବେକାନନ୍ଦ ମହାନ୍ତ, ପ୍ରଦୋଷ ପଣ୍ଡା, ଉମାକାନ୍ତ ସାମଲ, ସଂଜିବ ପତି, ମନୋଜ ଜୟଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *