ଇମ୍ଫା କାରଖାନା ମୁଖ୍ୟ ଫାଟକରେ ପୁଣି ଥରେ ତାଲା ଝୁଲିଲା

ରାୟଗଡା ୨୭/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ) – ଦୀର୍ଘ ୪୫ ଦିନର ନିରବତା ପରେ ପୁଣି ଥରେ ଇମ୍ଫା କାରଖାନା ମୁଖ୍ୟ ଫାଟକରେ ତାଲା ଝୁଲିଲା। ୯ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କଂପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମଂଚର ଆବାହକ ଜିତୁ ଜାକେସିକା ପ୍ରକାଶ କରିଛନ୍ତି। ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ଇମ୍ଫା ମୁଖ୍ୟ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀଙ୍କ କହିବା କଥା ହେଲେ ଦୀର୍ଘ ୪୫ ଦିନ ବିତି ଯାଇଥିଲେ ମଧ୍ୟ କଂପାନୀ ୯ ଦଫା ଦାବି ପୂରଣ ସକାଶେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଦାବି ଗୁଡିକ ପୂରଣ କରିବା ନିମନ୍ତେ କଂପାନୀ କତୃପକ୍ଷ ଅବହେଳା କରୁଛନ୍ତି ବୋଲି ଅନ୍ଦୋଳନକାରୀ ମାନେ ଅଭିଯୋଗ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଆନ୍ଦୋଳନକାରୀ ମାନେ ୨୩.୦୪.୧୮ ତାରିଖ ଠାରୁ ୧୦.୦୫.୨୦୧୮ ତାରିଖ ପର୍ଯ୍ୟନ୍ତ ଇମ୍ପା କଂପାନୀର ମୁଖ୍ୟ ଫାଟକ ସମ୍ମୁଖରେ ୯ ଦଫା ଦାବି ନେଇ ଧାରଣା ଦେଇଥିଲେ। ଜିଲ୍ଲା ପ୍ରଶାସନ, ଇମ୍ଫା କତୃପ କ୍ଷ ଏବଂ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଏବଂ ଆଲୋଚନାରେ ଇମ୍ପା କଂପାନୀ କତୃପକ୍ଷ ୯ ଦଫା ଦାବି ପୂରଣ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଥିଲା ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, ଆମ୍ବୁଲାନସ ସେବା, ସୌର ଚାଳିତ ଷ୍ଟ୍ରିଟ ଲାଇଟ ଇତ୍ୟାଦି।

ଦାବି ପୂରଣ ନେଇ ଜିଲ୍ଲା ପ୍ରଶାସନ ଓ କଂପାନୀ କତୃପକ୍ଷଙ୍କୁ ଯୋଗେଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା। କିନ୍ତୁ ଜିଲ୍ଲା ପ୍ରଶାସନକୁ ଦେଇଥିବା ସୂଚନା ଅନୁସାରେ ଇମ୍ଫା କତୃପକ୍ଷ ଅଧିକାଂଶ ଦାବି ପୁରଣ କରିଥିବା ଏବଂ କେତେକ ଦାବି ପୁରଣ ପାଇଁ ପକ୍ରିୟା ଚାଲୁ ରହିଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡା ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, କୋଲନରା ବିଡିଓ, କୋଲନରା ଅତିରିକ୍ତ ତହସିଲଦାର, ରାୟଗଡା ଏସଡିପିଓ ରାଜକିଶୋର ସାହୁ, ଚାନ୍ଦିଲି ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ଥିବା ବେଳେ କଂପାନୀ ପରିସରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। (ଫାଇଲ ଫଟୋ )

Leave a Reply

Your email address will not be published. Required fields are marked *