ଇନ୍ଦ୍ରାବତୀ ଜଳସେଚନ ବିଭାଗର ଦୋମୁହାଁ ନୀତି। ରାଜରାସ୍ତାରେ ଚାଷୀ।

କଳାହାଣ୍ଡି-୧୫.୦୧.୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ର ଜଳସେଚନ ବିଭାଗୀୟ ଅଧିକାରୀ ମାନଙ୍କ ଦୋମୁହାଁ ନୀତି ଯୋଗୁଁ ଚାଷୀ ଆଜି ରାଜରାସ୍ତାରେ ଓହ୍ଲାଇଛି। ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମରାମତି ହେବାକୁ ଦୀର୍ଘ ଦୁଇ/ତିନି ବର୍ଷ ହେବ ମରାମତି ହେବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅଦ୍ୟାବଧି କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଅନ୍ୟ ପକ୍ଷରେ କେନାଲର ମାତ୍ର ୨୦ କି.ମି. ପର୍ଯ୍ୟନ୍ତକୁ ହିଁ ଚଳିତ ରବି ଋତୁରେ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଘୋଷଣା କରିଥିବା ବେଳେ ତଳମୁଣ୍ଡକୁ ପାଣି ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ଗତ ବର୍ଷ ମଧ୍ୟ ଏଭଲି ଭାବେ କର୍ତ୍ତୃପକ୍ଷଙ୍କ ଅସ୍ପଷ୍ଟ ନୀତି ଯୋଗୁଁ ବହୁ ଚାଷୀ କ୍ଷତି ସହିଥିବା ବେଳେ ଚଳିତ ବର୍ଷ ମଧ୍ୟ ସେଭଲି କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଏବଂ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନୀତି ସ୍ପଷ୍ଟ କରିବା ଦାବିରେ ଜୁନାଗଡ ଅଂଚଳର ଚାଷୀ ମାନେ ସୋମବାର ଦିନ ଜୁନାଗଡ ଇନ୍ଦ୍ରାବତୀ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଥିଲେ ଫଳତଃ ଜାତୀୟ ରାଜପଥ ୨୬ ଅବରୋଧ ହୋଇଯାଇଥିଲା। ଜୁନାଗଡ ଡିଷ୍ଟ୍ରିବ୍ୟୁଟାରୀ ନଂ-୧୭ ର ସଭାପତି ହେମନ୍ତ ପ୍ରଧାନଙ୍କ ନେତୃତ୍ୱରେ ଡିଷ୍ଟ୍ରିବ୍ୟୁଟାରୀ ନଂ-୧୬ ର ସଭାପତି ଲକ୍ଷ୍ମଣ ରଣବୀର, ଡିଷ୍ଟ୍ରିବ୍ୟୁଟାରୀ ନଂ-୧୫ ର ସଭାପତି ଲକ୍ଷ୍ମୀକାନ୍ତ ନାଏକ ପ୍ରମୂଖ ଏହି ଚାଷୀ ସମାବେଶ ହୋଇଥିବା ବେଳେ ପୂର୍ବ ମନ୍ତ୍ରୀ ହିମାଂଶୁ ମେହେର, କଳାହାଣ୍ଡି ଜିଲ୍ଲା କୃଷକ ଫେଡେରେସନର ସଭାପତି ଦୀପ୍ତି ନାରାୟଣ ପ୍ରହରାଜ, ଆଂଚଳିକ କୃଷକ ସଂଘ ସଭାପତି ଦେବଦତ ପଣ୍ଡା, ଜୁନାଗଡ କୃଷକ ସମିତିର ଆବାହକ ବିଶ୍ୱନାଥ କର ପ୍ରମୂଖ ଏହି ଚାଷୀ ସମାବେଶରେ ଯୋଗ ଦେଇ ବିଭାଗୀୟ ନୀତି ସ୍ପଷ୍ଟ କରାଯିବାକୁ ଦାବି ଜଣାଇଥିଲେ। ଯଦି ମରାମତି କରିବାର ଅଛି ପାଣି ଯୋଗାଣ ବନ୍ଦ କରାଯାଇ ତେବେ ତୁରନ୍ତ ମରାମତି ଆରମ୍ଭ କରାଯାଉ ଏବଂ ଯଦିଓ ମରାମତି ହେବ ନାହିଁ ଓ ପାଣି ଦେବାର ଅଛି ତେବେ ଆରମ୍ଭରୁ ତଳ ମୁଣ୍ଡ ପର୍ଯ୍ୟନ୍ତକୁ ପାଣି ଯୋଗାଣ କରାଯାଉ ବୋଲି ଚାଷୀ ନେତା ମାନେ ଦାବି ଜଣାଇଥିଲେ।

ଘଟଣା ସ୍ଥଳକୁ ଜୁନାଗଡ ବିଡିଓ, ଇନ୍ଦ୍ରାବତୀ ଏସଡିଓ, ଜୁନାଗଡ ଆଇଆଇସି, ଦକ୍ଷିଣ ମୁଖ୍ୟ କେନାଲ ଡିଭିଜନ ନଂ୧ ର ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଚାଷୀ ମାନଙ୍କୁ ବୁଝା ଶୁଝା କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଚାଷୀମାନେ ସ୍ପଷ୍ଟ ଲିଖିତ ପ୍ରତିଶୃତି ଚାହିଁଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଏସ ପି ଘଟଣା ସ୍ଥଳକୁ ଆସି କେନାଲ କର୍ତ୍ତୃପକ୍ଷ ସହ ଆଲୋଚନା କରି ପାଣି ସମ୍ପୂର୍ଣ୍ଣ ବନ୍ଦ କରି କାମ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ଦେବା ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Leave a Reply

Your email address will not be published. Required fields are marked *