ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ ଅଭାବରୁ ବିଦ୍ୟୁତ ଉତ୍ପାଦନ ବନ୍ଦ,ଜଳସେଚନ ବ୍ୟାଘାତ ହେବା ଆଶଙ୍କା

କଳାହାଣ୍ଡି -୩୦/୦୬/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର ଜୀବନରେଖା ବୋଲି କୁହାଯାଉଥିବା ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଜଳ ଅଭାବ ଜନିତ ବିଦୁ୍ୟତ ଉତ୍ପାଦନ ବନ୍ଦ ହୋଇଯାଇଥିବା ଜଣାପଡିଛି । ଯାହାଫଳରେ ଆଗାମୀ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ଜଳସେଚନ ବିଭାଗ ତରଫରୁ କେନାଲ ମାଧ୍ୟମରେ ପାଣି ଯୋଗାଇବାରେ ବ୍ୟାଘାତ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଠିକ ସମୟରେ ମୌସୁମୀ ବର୍ଷା ନହେବା ଏବଂ ହାତୀ ନଦୀର ଉପରମୁଣ୍ଡରୁ ଆବଶ୍ୟକ ମୁତାବକ ପାଣି ନଆସିବା ହେତୁ ମଙ୍ଗଳପୁର ବେରେଜରେ ଆବଶ୍ୟକ ପରିମାଣର ପାଣି ମଧ୍ୟ ଷ୍ଟୋରେଜ ମଧ୍ୟ ହୋଇପାରୁନାହିଁ ମଙ୍ଗଳପୁର ଠାରେ ହାତୀନଦୀ ଶଯ୍ୟାରେ ନିର୍ମିତ ଏହି ବେରେଜରେ ସବୁଯାକ ଗେଟ ବନ୍ଦ କରାଯିବା ସତ୍ୱେ ଜଳସ୍ତର ୨୫୪ ଆରଏଲ ରେ ପହଂଚିଥିବା ଜଣାପଡିଛି । ହାତୀନଦୀର ଉପରମୁଣ୍ଡର ପାଣି ସହିତ ଇନ୍ଦ୍ରାବତୀରୁ ବିଦ୍ୟୁତ ଉତ୍ପାଦନ ପରେ ପାୱାର ହାଉସରୁ ବାହାରୁଥିବା ପାଣି ପାୱାର କେନାଲ ମାଧ୍ୟମରେ ଆସି ଏହି ବେରେଜରେ ପଡି ଜଳସେଚନ ପାଇଁ ହାତୀନଦୀ ଉଭୟ ପଟେ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ ଜଳସେଚନ ପାଇଁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଜଳସେଚନ ପାଇଁ ଅନ୍ତତଃ ପକ୍ଷେ ୨୬୦ ଆରଏଲ ପାଣି ଆବଶ୍ୟକ ପଡୁଥିବା ବେଳେ ହାତୀନଦୀର ନିଜସ୍ୱ ପ୍ରବାହରୁ ହିଁ ପାଣି ସଂଗ୍ରହ ହୋଇପାରୁଛି । ଗତ ଚାରିଦିନ ହେବ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା ଯୋଗୁଁ ପାୱାର ହାଉସରୁ ପାଣି ଆସିବା ବନ୍ଦ ହୋଇଯାଇଥିବା ଜଣାପଡିଛି ।

ଚଳିତ ବର୍ଷ କମ ପରିମାଣରେ ବର୍ଷା ହେବା ଫଳରେ ଏଭଲି ନୈରାଶ୍ୟ ଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ଇନ୍ଦ୍ରାବତୀ କେଚମେଂଟ ଅଂଚଳରେ ବିଗତ ୨୦୧୫ ରେ ଜୁନ ମାସ ଶେଷ ସୁଦ୍ଧା ୨୦୧ ମିମି. ବର୍ଷା ହୋଇଥିବା ବେଳେ ୨୦୧୬ ରେ ୪୯୫ ମିମି. ଓ ୨୦୧୭ରେ ୨୭୭ ମିମି. ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଥିଲେହେଁ ଚଳିତ ବର୍ଷ ଜୁନା ମାସ ଶେଷ ସୁଦ୍ଧା ମାତ୍ର ୫୦ ମିମି. ବର୍ଷା ହୋଇଥିବା ଜଣାପଡିଛି । ଗତ ୧୫ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବନିମ୍ନ ବର୍ଷା ହୋଇଥିବା ରେକର୍ଡରୁ ଜଣାପଡେ । ଚାଷ ପାଇଁ ଏହା ଏକ ବିପରୀତ ସ୍ଥିତି ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ଜୁଲାଇ ୧ ତାରିଖରୁ ଚାଷ ପାଇଁ କେନାଲ ପାଣି ଯୋଗାଇଦେବାକୁ ସରକାରୀ ସ୍ତରରେ ଧାର୍ଯ୍ୟ କରାଯାଇଥିବା ବେଳେ କମପରିମାଣର ବର୍ଷା ଯୋଗୁଁ ସେଥିରେ ବ୍ୟାଘାତ ଦେଖାଦେଇପାରେ । ଅନ୍ୟପକ୍ଷରେ ଇନ୍ଦ୍ରାବତୀ ଜଳଭଣ୍ଡାର ୬୨୬.୯୩ ମି.ପାଣି ଥିବା ବେଳେ ଓଏଚପିସି ବିଦ୍ୟୁତ ଉତ୍ପାଦନ ବନ୍ଦ କରିଦେଇଥିବା ଜଣାପଡିିଛି । ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଡେଡ ଷ୍ଟୋରେଜ ଲେବୁଲ ସମୂଦ୍ର ପତନ ଠାରୁ ୬୨୫ ମିଟର ପର୍ଯ୍ୟନ୍ତ ବିଦୁ୍ୟତ ଉତ୍ପାଦନ ପାଇଁ ପାଣି ଛଡାଯାଇପାରିବ ବୋଲି ଧାର୍ଯ୍ୟ ଥିବା ବେଳେ ଓଏଚପିସି କର୍ତୃପକ୍ଷ ୬୨୬.୯୩ ମି. ରେ ବିଦ୍ୟୁତ ଉତ୍ପାଦନ ବନ୍ଦ କରିଦେଇଥିବା ଜଣାପଡିଛି । ଜଳଭଣ୍ଡାର ଇନଟେକ ୱେଲ ସମ୍ମୁଖରେ ବହୁଳ ପରିମାଣରେ ପଙ୍କ ଜମା ହୋଇଯାଇଥିବା ହେତୁ ପାୱାର ହାଉସ ଟରବାଇନ ଭିତରକୁ ପଙ୍କ ପଶିଯିବା ଆଶଙ୍କା କରି ଓଏଚପିସି କର୍ତୃପକ୍ଷ ଆଗତୁରା ବିଦ୍ୟୁତ ଉତ୍ପାଦନ ବନ୍ଦ କରିଦେଇଥିବା ପ୍ରକାଶ କରିଛନ୍ତି । ଆଗକୁ ସ୍ୱାଭାବିକ ବର୍ଷା ହୋଇ ଜଳସ୍ତର ବୃଦ୍ଧି ପାଇଲେ  ବିଦ୍ୟୁତଉତ୍ପାଦନ ଆରମ୍ଭ କରାଯିବା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

ସମଗ୍ର କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପ ପରିମାଣରେ ବର୍ଷା ହେଉଥିବା କାରଣରୁ ଚାଷ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇପାରୁନାହିଁ । ଏପଟେ ଇନ୍ଦ୍ରାବତୀରୁ ଜଳସେଚନ ମଧ୍ୟ ସମ୍ଭବପର ହୋଇପାରୁନାହିଁ । ହେଲେ ଖରିଫ ଚାଷ ପାଇଁ ଏଭଲି ଏକ ଆଶା ଓ ଆଶଙ୍କାର ଦୋଛକି ଭିତରେ ଚାଷୀ ପେଶି ହୋଇଯାଉଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ଓଏଚପିସି କର୍ତୃପକ୍ଷ ଚାଷ ପାଇଁ ଜଳସେଚନକୁ ପ୍ରାଧାନ୍ୟ ନଦେଇ ଦୂରଦୃଷ୍ଟି ବିହୀନ ଭାବେ କେବଳ ବ୍ୟବସାୟୀକ ଭିତିରେ ବିଦ୍ୟୁତ ଉତ୍ପାଦନ କରାଯାଇ ଅଯଥାରେ ଦୁଇମାସ ଧରି ହାତୀନଦୀରେ ପାଣି ଛାଡିଦେବା ଦ୍ୱାରା ଆଗକୁ ଚାଷ ସମୟରେ ପାଣିର ଅନାଟନ ପଡିପାରେ ବୋଲି ବୁଦ୍ଧିଜୀବିମାନେ ମହଲରେ ଆଲୋଚନା ହେଉଛି । ଆଗାମୀ ଦିନରେ ମୌସୁମୀ ବର୍ଷା ସଠିକ ଭାବେ ନହେଲେ ଇନ୍ଦ୍ରାବତୀ ଜଳସେଚନରେ ନିଶ୍ଚିତ ଭାବେ ପ୍ରଭାବ ପଡିପାରେ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *