ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ

ଭବନୀପାଟଣା, ୨୮/୧(ଓଡିଆପୁଅ/ମାନସ ରାଉତ) ଓଡିଶା ଇତିହାସ କଂଗ୍ରେସର ୩୯ତମ ଜାତୀୟ ଅଧିବେଶନ ଭବାନୀପାଟଣା କଳାହାଣ୍ଡିସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶ୍ରୀଯୁକ୍ତ ପ୍ରଫେସର ଅମୀୟ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ପ୍ରଫେସର ଶିଳା ତ୍ରିପାଠୀ ଯୋଗ ଦାନ କରିଥିଲେ। ଏହି ସଭାର ପରିଚାଳନା କରିଥିଲେ ଓଡିଶା ଇତିହାସ କଂଗ୍ରେସର ସମ୍ପାଦକ ଡକ୍ଟର ବସନ୍ତ କୁମାର ମଲ୍ଲିକ ଓ ସ୍ଥାନୀୟ ସମ୍ପାଦକ ଡକ୍ଟର ବାବା ମିଶ୍ର। ଭବାନୀପାଟଣା ସଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଯଦୁନାଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡକ୍ଟର ହେମନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ବିଭିନ୍ନ ଆଲୋଚନା ଚକ୍ରରେ ୭୮ଟି ଗବେଷଣା ମୂଳକ ପ୍ରବନ୍ଧ ପଠନ ହୋଇଥିଲା। ଏହା ବ୍ୟତୀତ ‘ପ୍ରୋଟେଷ୍ଟ ମୁଭ୍ୁମେଂଟ ଇନ୍ ଇର୍ଷ୍ଟନ ଇଣ୍ଡିଅ ପ୍ରସେପକ୍ଟ୍ ଆଣ୍ଡ ଚ୍ୟାଲେଞ୍ଜ୍ସ’ ନାମକ ଏକ ଜାତୀୟ ସଂପାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନ କାଳରେ କରୁଣା ସାଗର ବେହେରା ସ୍ମାରକୀ ବକୃତା ମାଳାରେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ପ୍ରଫେସର ଶିଳା ତ୍ରିପାଠୀ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଚଳିତବର୍ଷର ଜଗନ୍ନାଥ ପଟ୍ଟନାୟକ ସ୍ମୃତି ଯୁବ ଐତିହାସିକ ପୁରସ୍କାର ଯୁବ ଗବେଷକ କୈବଲ୍ୟ ଚରଣ ପତିଙ୍କୁ ପ୍ରଦାନ କରାଯାଇଥିଲା। ଦୁଇଦିନର କାର୍ଯ୍ୟକ୍ରମ ପରେ ଉଦଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ କଲେଜର ଅଧ୍ୟକ୍ଷ ଡକ୍ଟର ଯଦୁନାଥ ପ୍ରଧାନ। ଏଥିରେ ଅତିଥି ଭାବେ ଯୋଗଦାନ କରିଥିଲେ ପ୍ରଫେସର ଅମଳ କୁମାର ମିଶ୍ର, ପ୍ରଫେସର ମନ୍ମଥ ପାଢୀ ଓ ଶ୍ରୀଯୁକ୍ତ ଶିବ ପ୍ରସାଦ ବେହେରା। ଏହି ଉତ୍ସବରେ ପ୍ରାକ୍ତନ ସଭାପତି ଡକ୍ଟର ହେମନ୍ତ କୁମାର ମହାପାତ୍ର, ନିର୍ବାଚିତ ସଭାପତି ପ୍ରଫେସର ଭଗବାନ ସାହୁ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ସ୍ୱାଗତ କରି ପରିଚୟ ପ୍ରଦାନ କରିଥିଲେ ଡକ୍ଟର ବାବା ମିଶ୍ର। ଶ୍ରୀଯୁକ୍ତ ବସନ୍ତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଇତିହାସ କଂଗ୍ରେସର ଅଧିବେଶନରେ ଇତିହାସକ୍ୁ କଦର୍ଯ୍ୟ କରିବାକୁ ଚାଲିଥିବା ପ୍ରଚେଷ୍ଟାକୁ ନିନ୍ଦା କରାଯାଇଥିଲା ଏବଂ ବିଜ୍ଞାନ ସମ୍ମତ ଓ ସତ୍ୟନିଷ୍ଠ ଇତିହାସ ସପକ୍ଷରେ ମତପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *