ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର ୩ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ସଂଯୁକ୍ତ ହୋଇଥିଲା।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ।

ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପୂର୍ବରୁ ଜନଧନ ଯୋଜନା କାର୍ଯ୍ୟକାରୀ କରିଥିବା ସେ ସ୍ମରଣ କରାଇଦେଇଥିଲେ। ସେ କହିଥିଲେ ଯେ ଆଜି ଆଇପିପିବିର ଶୁଭାରମ୍ଭ କରାଯିବା ଏହି ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ। ସେ କହିଥିଲେ ଯେ ଆଜି ୬୫୦ଟି ଜିଲ୍ଲାରେ ଆଇପିପିବି ଶାଖା ଖୋଲାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳରେ ପୋଷ୍ଟମେନଙ୍କୁ ଦୀର୍ଘଦିନ ହେବ ସମ୍ମାନିତ ଏବଂ ଗ୍ରହଣୀୟ ବ୍ୟକ୍ତି ଭାବେ ମାନ୍ୟତା ମିଳିଆସିଛି। ଆଧୁନିକ ପ୍ରଯୁକ୍ତିର ପ୍ରଚଳନ ସତ୍ୱେ ପୋଷ୍ଟମେନ ମାନଙ୍କ ପ୍ରତି ବିଶ୍ୱାସ ପୂର୍ବ ଭଳି ଅତୁଟ ରହିଛି। ସେ କହିଥିଲେ ଯେ ବର୍ତମାନର ଢାଂଚା ଏବଂ ବ୍ୟବସ୍ଥାରେ ସଂସ୍କାର ଆଣିବା ସରକାରଙ୍କ ଆଭିମୁଖ୍ୟ, ଏବଂ ଏହାଦ୍ୱାରା ସେଗୁଡ଼ିକୁ ବଦଳୁଥିବା ସମୟ ସହିତ ରୂପାନ୍ତରିତ କରାଯାଇପାରିବ। ସେ କହିଥିଲେ ଯେ ସାରା ଦେଶରେ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ପୋଷ୍ଟ ଅଫିସ ରହିଛି ଏବଂ ତିନି ଲକ୍ଷ ପୋଷ୍ଟମେନ ଓ “ଗ୍ରାମୀଣ ଡାକ ସେବକ” ଦେଶର ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି। ବର୍ତମାନ ଆର୍ଥିକ ସେବା ଯୋଗାଇବା ଲାଗି ସେମାନଙ୍କୁ ସ୍ମାର୍ଟଫୋନ ଏବଂ ଡିଜିଟାଲ ଉପକରଣ ଦିଆଯିବା ଉଚିତ।

ଆଇପିପିବିର ଲାଭ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଟଙ୍କା ପଠାଇବା, ସରକାରୀ ଅର୍ଥ ହସ୍ତାନ୍ତର, ବିଲ ପଇଠ ଏବଂ ନିବେଶ ଓ ବୀମା ଭଳି ଅନ୍ୟ ସେବା ଉପଲବ୍ଧ ହୋଇପାରିବ। ଘରେ ଘରେ ପୋଷ୍ଟମେନମାନେ ଏହି ସେବା ଯୋଗାଇଦେବେ। ସେ କହିଥିଲେ ଯେ ଆଇପିପିବି ଡିଜିଟାଲ କାରବାର ଯୋଗାଇଦେବ ଏବଂ କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ପହଁଚାଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରଠାରୁ କେନ୍ଦ୍ର ସରକାର ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରହିଥିବା ବିକୃତି ଏବଂ ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରି ଆସୁଛନ୍ତି ଯାହା ବିଶୃଙ୍ଖଳିତ ଋଣ ଅଗ୍ରୀମ କାରଣରୁ ଅବ୍ୟବସ୍ଥିତ ହୋଇପଡ଼ିଥିଲା। ସେ କହିଥିଲେ ଯେ ବର୍ତମାନ ଋଣଗୁଡ଼ିକୁ ସମୀକ୍ଷା କରାଯାଉଛି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପେଶାଦାର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଦୋଷୀମାନଙ୍କୁ ସୁନିଶ୍ଚିତ ଦଣ୍ଡ ଦେବା ସକାଶେ ପଳାତକ ଅର୍ଥନୈତିକ ଅପରାଧ ଆଇନ ପ୍ରଣୟନ ଭଳି ପଦକ୍ଷେପ ନିଆଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ୧୩ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୁଦ୍ରା ଋଣ ଗରିବ ଏବଂ ମଧ୍ୟମବର୍ଗଙ୍କୁ ପ୍ରଦାନ କରାଯାଇସାରିଛି। ସେ କହିଥିଲେ ଯେ ଆଜି ପୂର୍ବାପେକ୍ଷା ଶ୍ରେଷ୍ଠ ଏସୀୟ କ୍ରୀଡ଼ା ପ୍ରଦର୍ଶନ ସହିତ ଅର୍ଥବ୍ୟବସ୍ଥା ଚମକ୍ରାର ଅଭିବୃଦ୍ଧି ପ୍ରଦର୍ଶନ କରୁଥିବାରୁ ସାରା ଦେଶ ସମ୍ପୂର୍ଣ୍ଣ ଭାବେ ନୂଆ ଆତ୍ମବିଶ୍ୱାସ ନେଇ ଉଭା ହୋଇଛି। ଲୋକମାନଙ୍କ ସମ୍ମିଳିତ ପ୍ରୟାସ ଯୋଗୁ ଏହା ଫଳପ୍ରଦ ହୋଇଥିବା ସେ କହିଥିଲେ। ସେ କହିଥିଲେ ଯେ ଆଜି ଭାରତ କେବଳ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇରହିନାହିଁ, ବରଂ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର କରିଚାଲିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩ ଲକ୍ଷ “ଡାକ ସେବକ” ଗ୍ରାମର ପ୍ରତ୍ୟେକ ଘରେ, ପ୍ରତ୍ୟେକ କୃଷକ ନିକଟରେ ଏବଂ ଉଦ୍ୟୋଗୀ ନିକଟରେ ଆର୍ଥିକ ସେବା ପହଁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେ ଉଲ୍ଲେଖ କରିଥିଲେ ଯେ ଗତ ମାସଗୁଡ଼ିକରେ “ଡାକ ସେବକ”ମାନଙ୍କ କଲ୍ୟାଣ ପାଇଁ ଏବଂ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ସେମାନଙ୍କ ଦରମାରେ ବୃଦ୍ଧି ହୋଇଥିବା ସେ ଉଲ୍ଲେଖ କରିଥିଲେ। ଆସନ୍ତା କିଛି ମାସ ମଧ୍ୟରେ ସାରା ଦେଶରେ ଥିବା ୧.୫ ଲକ୍ଷ ପୋଷ୍ଟ ଅଫିସରେ ଆଇପିପିବି ପହଁଚିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *