ଭୁବନେଶ୍ୱର ୪-୯ (ଓଡ଼ିଆ ପୁଅ) ଓଡ଼ିଶା ଆସୋସିଏସନ ଫର ଦି ବ୍ଲାଇଣ୍ଡ ସମ୍ମେଳନ କକ୍ଷରେ ଆଇ.ଆଇ.ୱାଇ.ଡି ଏବଂ ଇଗ୍ନୋ ଆନୁକୂଲ୍ୟରେ ଓଡ଼ିଶାରେ ଶିକ୍ଷାର ପ୍ରଚାର ଓ ପ୍ରସାର ସମ୍ପର୍କିତ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ, କେନ୍ଦୁଝର, ଢ଼େଙ୍କାନାଳ, କଟକ, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ପ୍ରମୁଖ ଏନଜିଓ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ଗ୍ରାମାଂଚଳ ଓ ଅପହଂଚ ଇଲାକାରେ କିପରି ଶିକ୍ଷାର ବିକାଶ ହୋଇପାରିବ ସେ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା।
ଶିକ୍ଷାକୁ ପ୍ରଚାର ପ୍ରସାର ମାଧ୍ୟମରେ କିପରି ପରିବ୍ୟାପ୍ତ କରାଯାଇପାରିବ ତାହାର ସଙ୍କଳ୍ପ ନେଇ ୧୯୮୫ ମସିହାରେ ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ତାହାର ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱରସ୍ଥିତ ଇଗ୍ନୋ ଆଂଚଳିକ କେନ୍ଦ୍ର ବିଭିନ୍ନ ସରକାରୀ, ବେସରକାରୀ ଓ ଏନଜିଓମାନଙ୍କ ମାଧ୍ୟମରେ ସଭାସମିତି କରି ଏହାର ପ୍ରସାରରେ ଯୋଗଦାନ କରୁଅଛି।
ଆଜିର ଏହି ଆଲୋଚନାଚକ୍ରରେ ଇଗ୍ନୋ ଆଂଚଳିକ ନିର୍ଦ୍ଦେଶକ ଡ. ମନୋଜ କୁମାର ଦାସ ସଭାପତିତ୍ୱ କରିଥିଲେ। ସହାୟକ ଆଂଚଳିକ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ। ଡ. ପି.ସି. ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। ଆୟୋଜନର ମୁଖ୍ୟ ଅତିଥି ପ୍ରଫେସର ରବୀନ୍ଦ୍ର ଗରଡ ଶିକ୍ଷାର ବିକାଶ ଦିଗରେ ବିସ୍ତୃତ ଆଲୋକପାତ କରିଥିଲେ। ପରିଶେଷରେ ଡ. ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
