ad
ଆନ୍ତର୍ଜାତୀୟ

ଇଂଲଣ୍ଡ ଓ ଭୋପାଳରେ ନୂଆଁଖାଇ ଭେଟଘାଟ୍

ସମ୍ବଲପୁର, ୩/୧୦ (ଓଡ଼ିଆ ପୁଅ) : ଦେଶ ବିଦେଶର ବିଭିନ୍ନ ସ୍ଥାନରେ ପରମ୍ପରା ଅନୁଯାୟୀ ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି। ଏହି କ୍ରମରେ ଇଂଲଣ୍ଡସ୍ଥିତ ଜୁହାର ପରିବାର(ୟୁକେ) ପକ୍ଷରୁ ଉତ୍ତର ଲଣ୍ଡନର ରସଲିପ ଗୋଷ୍ଠୀ କେନ୍ଦ୍ରରେ ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୦୦ ପ୍ରବାସୀ ଓଡ଼ିଆ ପାରମ୍ପରିକ ସମ୍ବଲପୁରୀ ପୋଷାକରେ ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଭାରତୀୟ ହାଇକମିଶନର ସଚିବ ସୌମେନ୍ଦ୍ର ମହାପାତ୍ର ଓ ଡା. ମଧୁ କୁଣ୍ଡୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମଲେଶ୍ୱରୀ ଭଜନ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରଙ୍ଗବତୀ ଗୀତର ତାଳେତାଳେ ସମସ୍ତେ ଝୁମି ଉଠିଥିଲେ। ଏହି ଅବସରରେ ବର୍ଷୀଆନ ପ୍ରବାସୀଙ୍କୁ ଉପାୟନ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉତ୍ତମ ତ୍ରିପାଠୀ, ମମତା ପ୍ରଧାନ, ରୀନା ମେହେର ଓ ଅଙ୍କନ ନାଏକ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଲଣ୍ଡନର ପୋଟଲି ରେଷ୍ଟୁରାଁ ପକ୍ଷରୁ ସମ୍ବଲପୁରର ଉଦ୍ୟୋଗୀ ଉତ୍ତମ କୁମାର ତ୍ରିପାଠୀ ଏବଂ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଆମ୍ବିଳ ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରିବେଷଣ କରାଯାଇଥିଲା। ଉତ୍ସବରେ ସଂଗୃହିତ ପାଣ୍ଠିକୁ ଓଡ଼ିଶାର ହିତ ପାଇଁ ଉପଯୋଗ କରାଯିବ। ବ୍ରିଟେନରେ ପ୍ରଥମ କରି ଆୟୋଜିତ ହୋଇଥିବା ଏହି ଏକଦିବସୀୟ ଭେଟଘାଟ କାର୍ଯ୍ୟକ୍ରମକୁ ଆଗାମୀ ବର୍ଷ ଆହୁରି ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଭୋପାଲରେ ମଧ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋସିଓ କଲଚରାଲ ସୋସାଇଟି ପକ୍ଷରୁ ପାଳନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଡ. ଡି.କେ ଶତପଥୀ, ପ୍ରସନ୍ନ କୁମାର ଦାଶ, ଜି.ଏନ୍ ସାହୁ, ଏସ୍.ସି ହୋତା, ଆଲୋକ ପ୍ରଧାନ, କୁଳମଣି ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପରମ୍ପରା ଅନୁଯାୟୀ ଭେଟ୍ଘାଟ୍ ହୋଇଥିଲା। ସଂସ୍ଥାର ଅଧ୍ୟକ୍ଷ ବି.ଜି ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ସୌଜନ୍ୟରୁ ସୁନ୍ଦରଗଡରୁ ଆସିଥିବା ମୟୂରୀ ଗ୍ରୁପ୍ ପକ୍ଷରୁ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁରେଖା ପଣ୍ଡା ଓ ବିଭୂତି ଭୁଏ ପରିଚାଳନା କରିଥିଲେ। ହିନ୍ଦୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଲାଉମୁଣ୍ଡା ବିଜେପୁରର ଡ. ଛବିଳ ମେହରଙ୍କୁ ସମ୍ମାନିତ କରାଯିବା ସହ ବାର୍ଷିକ ପତ୍ରିକା କହଁର ଉନ୍ମୋଚିତ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top