ଓଡ଼ିଶା

ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନା: ୪ ବର୍ଷରେ ପ୍ରତିଷ୍ଠା ହେବ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର

– ୧୪୫୫୫ ନିଶୁଳ୍କ ନମ୍ବରକୁ କଲ କରି ଜାଣିହେବ ଯୋଜନାର ସବିଶେଷ ତଥ୍ୟ
– ବର୍ତମାନସୁଦ୍ଧା ଯୋଜନା ସହ ଯୋଡି ହୋଇଛନ୍ତି ଦେଶର ୧୩, ୦୦୦ ଡାକ୍ତରଖାନା

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚି ଠାରେ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି।

ବିଶାଳ ଜନସମାଗମ ମଧ୍ୟରେ ପିଏମଜେୱାଇର ଶୁଭାରମ୍ଭ କରିବା ଲାଗି ମଂଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ଚାଇବାସା ଏବଂ କୋଦେର୍ମାଠାରେ ମେଡ଼ିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ସେ ମଧ୍ୟ ୧୦ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ଦରିଦ୍ରରୁ ଦରିଦ୍ରତମ ଏବଂ ବଂଚିତବର୍ଗର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ସେ କହିଥିଲେ, ଏହି ଯୋଜନାରେ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ ଯାଦ୍ୱାରା ୫୦ କୋଟି ଲୋକ ଉପକୃତ ହେବେ ଏବଂ ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ହେବ। ସେ କହିଥିଲେ ଯେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତର ପ୍ରଥମ ଭାଗ-ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶୁଭାରମ୍ଭ କରାଯାଇଥିଲା ଏବଂ ଦ୍ୱିତୀୟ ଭାଗ-ସ୍ୱାସ୍ଥ୍ୟ ବୀମା ଯୋଜନା, ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଆରମ୍ଭ କରାଯାଉଛି।

ପିଏମଜେଏୱାଇର ବ୍ୟାପକତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୧୩୦୦ ପ୍ରକାର ରୋଗକୁ ଅର୍ନ୍ତଭୁକ୍ତ କରାଯାଇଛି। ଏଥିରେ କ୍ୟାନସର ଏବଂ ହୃଦରୋଗ ଭଳି ଗୁରୁତର ରୋଗ ମଧ୍ୟ ରହିଛି। ସେ କହିଥିଲେ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ ଏହି ଯୋଜନାର ଅଂଶବିଶେଷ ହେବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫ ଲକ୍ଷ ଟଙ୍କାରେ ସମସ୍ତ ଯାଂଚ, ମେଡ଼ିସିନ, ହସପିଟାଲ ପୂର୍ବବର୍ତ୍ତୀ ଖର୍ଚ୍ଚ ଆଦି ସାମିଲ। ସେ କହିଥିଲେ ଯେ ଆଗରୁ ଥିବା ରୋଗକୁ ମଧ୍ୟ ଏହା କଭର କରିବ। ସେ କହିଥିଲେ ଯେ ଲୋକମାନେ ୧୪୫୫୫ ନିଶୁଳ୍କ ନମ୍ବରକୁ କଲ କରି କିମ୍ବା ସେମାନଙ୍କ ଜନ ସେବା କେନ୍ଦ୍ରଗୁଡ଼ିକ ଜରିଆରେ ଯୋଜନା ବିଷୟରେ ଜାଣିପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମଜେଏୱାଇର ଅଂଶବିଶେଷ ଥିବା ରାଜ୍ୟଗୁଡ଼ିକ ପାଇଁ ସେଠାକାର ଲୋକମାନେ ଯେଉଁ ରାଜ୍ୟକୁ ଯାଆନ୍ତୁ ନା କାହିଁକି ବୀମା ସୁବିଧା ପାଇପାରିବେ। ସେ କହିଥିଲେ ବର୍ତମାନସୁଦ୍ଧା ଦେଶର ୧୩, ୦୦୦ ଡାକ୍ତରଖାନା ଏହି ଯୋଜନାର ଅଂଶବିଶେଷ ହୋଇସାରିଲେଣି।

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଉଦଘାଟିତ ହୋଇଥିବା ୧୦ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ବିଷୟରେ କହିଥିଲେ। ସେ କହିଥିଲେ ଦେଶରେ ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା ୨୩୦୦ରେ ପହଁଚିଛି। ସେ କହିଥିଲେ ୪ ବର୍ଷ ମଧ୍ୟରେ ଭାରତରେ ଏପରି ୧.୫ ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଲାଗି ସାମୂହିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି। ସେ କହିଥିଲେ ଉଭୟ “ସୁଲଭ ସ୍ୱାସ୍ଥ୍ୟସେବା” ଏବଂ “ନିବାରଣକାରୀ ସ୍ୱାସ୍ଥ୍ୟସେବା” ଉପରେ ଗୁରୁତ୍ୱ ଦିଆଯାଉଛି।

ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ପିଏମଜେଏୱାଇ ସହିତ ସମ୍ପୃକ୍ତ ସମସ୍ତଙ୍କ ପ୍ରୟାସ ଏବଂ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ଆଶା, ଏଏନଏମ ଆଦିଙ୍କ ସମର୍ପଣ ଭାବ ଦ୍ୱାରା ଏହି ଯୋଜନା ସଫଳ ହୋଇପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top