ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ରାଜ୍ୟ ସରକାର ଘର ବାହାରକୁ ଯାତ୍ରା କରୁଥିବା ଗରୀବ ଲୋକଙ୍କୁ ସୁବିଧାରେ ତଥା ସୁଲଭ ମୁଲ୍ୟରେ ପେଟକୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟର କିଛି ସହରରେ ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ପାଇଁ ସରକାର ଖାଦ୍ୟ ଖାଉଥିବା ଲୋକଙ୍କ ଠାରୁ ୫ ଟଙ୍କା ନେଉଥିବା ବେଳେ ଏଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବୌଦ୍ଧରେ ଏହି ଯୋଜନା ଦାଇତ୍ୱରେ ଥିବା କର୍ମଚାରୀମାନେ ଅର୍ଥ ବାଟମାରଣ ନୀତିରେ ଲୋକଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲା ମେଡିକାଲ ନିକଟରେ ଚାଲିଥିବା ଏକ ମାତ୍ର ଆହାର କେନ୍ଦ୍ରକୁ ମୋନା ଟ୍ରଷ୍ଟ ନାମକ ଏକ ସଂସ୍ଥା ପରିଚାଳନା କରୁଛି। କିନ୍ତୁ ଏଠାରେ ଖାଦ୍ୟର ପରିମାଣ ବହୁ କମ ଦିଆଯାଉ ଥିବା ବେଳେ ନିମ୍ନମାନର ଚାଉଳ, ପୋଖରା ପରିବା ଖାଦ୍ୟରେ ଦିଆଯାଉଥିବା ଜଣାପଡିଛି। ଏ ନେଇ ଜୈନିକ ଛାତ୍ର ଶନିବାର ଦିନ ଖାଉଥିବା ବେଳେ ଖାଦ୍ୟରେ ପୋଖରା ବାଇଗଣ ପଡିଥିବା ଦେଖି ନଖାଇ ଫେରିଆସିଥିଲୋ ପୂର୍ବରୁ ଖାଦ୍ୟରେ ଆଚାର ଦିଆଯାଉ ଥିବା ବେଳେ ବର୍ତମାନ ତାହା ଏଠାରେ ଆଉ ଦିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛି। ଏ ସଂର୍ପକରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଉପେନ୍ଦ୍ର ଦୀପଙ୍କୁ ପଚାରିବାରୁ ମୁଁ ବାହାରେ ଅଛି ଆପଣଙ୍କ ଠାରୁ ଶୁଣିବାକୁ ପାଇଲି ଏହା ଉପରେ ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ।
