ଆସୁଛି ପୌର ନିର୍ବାଚନ ଚାଲିଛି ଚାନ୍ଦବାଲି ଏନ୍ଏସିରେ ନୂଆ ନେତା ଖୋଜା

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଆସୁଛି ପୌର ନିର୍ବାଚନ। ଏହି ନିର୍ବାଚନରେ ଭଦ୍ରକ ଜିଲାରେ ୩ ରଜାନୈତିକ ଦଳଙ୍କ ବଳ କଷାକଷି ଏବେ ଠାରୁ ଆରମ୍ଭ ହେଲାଣି। ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ବଳ କଷାକଷି ସବୁଠି ଚର୍ଚ୍ଚାରେ। ନୂଆ ଏନ୍ଏସି ଧାମନଗର ଓ ଚାନ୍ଦବାଲିକୁ ଦଖଲ କରିବା ପାଇଁ ଶାସକ ବିଜେଡି ଅଣ୍ଟା ଭିଡିଥିଲାବେଳେ ଶାସକ ଦଳକୁ ଅଂକୁଶ ଲଗାଇବା ପାଇଁ ଲାଗି ପଡିଛି ବିଜେପି। ଏହି ଦୁଇ ଦଳ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ରଣନୀତି ଓ ସମରସଜା ନେଇ ଏବେ ସବୁ ରାଜନୈତିକ ଦଳ ଗୁଡିକ ନୂଆ ନେତୃତ୍ୱ ଖୋଜୁଛନ୍ତି। ଭଲ ଭାବମୂର୍ତ୍ତି ଓ ଦଳୀୟ ଆନୁଗତ୍ୟ ଏସବୁ କଥାକୁ ଲକ୍ଷ୍ୟ କରାଯାଉନି। ବାସୁଦେବପୁର ପୌରପାଳିକା ଓ ନୂଆକରି ଗଠନ କରାଯାଇଥିବା ଧାମନଗର ଓ ଚାନ୍ଦବାଲି ଏନ୍ଏସି ନିର୍ବାଚନ ପାଇଁ ସବୁ ଦଳର ନୂଆ ନେତା ଖୋଜା ପର୍ବ ଆରମ୍ଭ ହୋଇଛି। ପୌର ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଏବେ କିଛି ଗାଁ ନେତା ଦଳୀୟ ବିଧାୟକମାନଙ୍କ ଶରଣ ପଶିବା ଆରମ୍ଭ କରିଦେଇଛନ୍ତି। ଆଉ ଯେଉଁ ଦଳ ଗୁଡିକ କ୍ଷମତାରେ ନାହାଁନ୍ତି, ସେହିସବୁ ଦଳର ଜିଲା ନେତୃତ୍ୱଙ୍କ ପାଖରେ ଗାଁ ନେତା ଲବି ଆରମ୍ଭ କରିଛନ୍ତି। କିଛି ଆଶାୟୀ ନେତା ଏନ୍ଏସି ନିର୍ବାଚନରେ ଟିକେଟ୍ ନେବା ପାଇଁ ବିଜେପି ଓ କଂଗ୍ରେସ ଜିଲାସ୍ତରୀୟ ନେତାଙ୍କ ଘରେ ହାଜିରା ପକାଇବା ଆରମ୍ଭ କରିଛନ୍ତି। ଏବେ ପୌର ନିର୍ବାଚନ ରୋଡ୍ମ୍ୟାପ୍ ନେଇ ସବୁ ଦଳ ପକ୍ଷରୁ ଭିତିରି ଭାବେ ଚାଲିଛି ଯୋଜନା। ପ୍ରତି ୱାର୍ଡରେ କିଛି ନୂଆ ନେତୃତ୍ୱକୁ ଦାୟିତ୍ୱ ଦିଆଯାଇଛି। ସେଥିପାଇଁ ଦଳ ନୂଆ ରୂପରେ ସଜବାଜ ହେଉଛି। ଶାସକ ବିଜେଡି ଦଳକୁ ପୁରା ମାତ୍ରାରେ କାଉଣ୍ଟର କରିବ ବିଜେପି। ଜିଲାର ୩ଟି ଯାକ ପୌର ନିର୍ବାଚନରେ ଏଇ ଫର୍ମୁଲାରେ ହେବ କାଉଣ୍ଟର। ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ଏନଏସି ନିର୍ବାଚନ ପାଇଁ ମଧ୍ୟ ଦଳ ପକ୍ଷରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ପାଗ ଭିଡା ଆରମ୍ଭ ହୋଇଛି। ଧାମନଗର ଏନଏନସି ନିର୍ବାଚନ ପାଇଁ ଶାସକ ଦଳର ବିଧାୟକଙ୍କୁ ଟକ୍କର ଦେବା ପାଇଁ ବିରୋଧୀ ବିଜେପି ନେତା ବିଷ୍ଣୁ ସେଠୀ ସମରସଜା ଆରମ୍ଭ କରିଛନ୍ତି। ଲଙ୍କାଗଡ ଧ୍ୱଂସ ଭଳି ବିରୋଧୀ ଶାସକ ଦଳକୁ ପରାହତ କରିବା ପାଇଁ ଧାମନଗରରେ ବିଭୀଷଣମାନଙ୍କୁ କୋଳେଇବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ନୂଆକରି ଗଠନ କରାଯାଇଥିବା ଚାନ୍ଦବାଲି ଏନଏସି ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ମୁଖ୍ୟ ଭୂମିକା ନିଭେଇବେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ। ଗତ ପଂଚାୟତ ନିର୍ବାଚନ ମନମୋହନ ବିଜେପିକୁ ଏଇ ନିର୍ବର୍ାଚନ ମଣ୍ଡଳରେ ବେଶ୍ କିଛି ଆଗକୁ ନେଇଥିଲେ। ହେଲେ ଦଳକୁ ଜିତାଇବାର ସ୍ୱାଦ ଚଖାଇ ପାରିନାହାଁନ୍ତି। ଏବେ ଏନଏସି ନିର୍ବାଚନ ହେବ। ମନମୋହନଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। ଚାନ୍ଦବାଲିରେ ଶାସକ ଦଳ ବିଧାୟକ ବ୍ୟୋମକେଶ ରାୟ ଯେଉଁ ଗୋଟି ଚାଳନା କରୁଛନ୍ତି, ତାହା ଜଳ ଜଳ କରି ଦେଖାଯାଉଛି। ପଂଚାୟତ ନିର୍ବାଚନରେ କଂଗ୍ରେସକୁ କୁଣ୍ଢାଇ ପକାଇ ପଂଚାତୟ ସମିତି ଦଖଲ କରି ନେଲେ ଚତୁର ବ୍ୟୋମକେଶ୍। ସେହିଭଳି ଏନ୍ଏସି ନିର୍ବାଚନରେ କଂଗ୍ରେସ ସହିତ ବନ୍ଧୁବାନ୍ଧି ଚେୟାର ଦଖଲ କରି ବିଜେପିକୁ ଦୂରେଇ ରଖିବାକୁ ଅଣ୍ଟା ଭିଡିଛନ୍ତି ବ୍ୟୋମକେଶ୍। ଏନଏସି ନିର୍ବାଚନରେ ଚେୟାରମ୍ୟାନ୍ ବିଜେଡି କେମିତି ଦଖଲ କରିବ, ତାହାକୁ ନେଇ ନୂଆ ନେତା ଖୋଜୁଛନ୍ତି ବ୍ୟୋମକେଶ୍। ବିଜେପି ମଧ୍ୟ କମ୍ରେ ନାହିଁ ଏଠାରେ।

Leave a Reply

Your email address will not be published. Required fields are marked *