ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ଉତ୍ସବ ପ୍ରଧାନପାଟ-୨୦୧୮

ଦେବଗଡ, ୨୦-୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ଜିଲ୍ଲାସ୍ତରୀୟ ମହୋତ୍ସବ “ଉତ୍ସବ ପ୍ରଧାନପାଟ-୨୦୧୮” ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକର ନିଷ୍ପତି ଅନୁଯାୟୀ ଫେବୃୟାରୀ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ସବ ପ୍ରଧାନପାଟ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ।

ଏହି ଉତ୍ସବର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ଉପକମିଟୀ ଗଠନ କରାଯାଇ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଛି ଏବଂ ଉପକମିଟୀମାନଙ୍କୁ ନିଜ ନିଜ ସ୍ତରରେ କମିଟୀର ବୈଠକ ଆୟୋଜନ କରି ବଜେଟ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବାପାଇଁ ବାହାର ରାଜ୍ୟରୁ ମଧ୍ୟ ଭଲ ଭଲ ନୃତ୍ୟଦଳକୁ ଯୋଗାଯୋଗ କରାଯିବାପାଇଁ ସ୍ଥିର କରାଯାଇଛି। ବୈଠକରେ ଉପସ୍ଥିତ ୩ ଗୋଟି ପଂଚାୟତ ସମିତିର ଅଧ୍ୟକ୍ଷାମାନେ ନିଜ ନିଜ ବ୍ଲକରେ ଗୋଟିଏ ଦିନ ବ୍ଲକସ୍ତରୀୟ ଉତ୍ସବ ଆୟୋଜନ କରି ପ୍ରତ୍ୟେକ ବ୍ଲକରୁ ଗୋଟିଏ ଶ୍ରେଷ୍ଠ ଦଳକୁ ଜିଲ୍ଲାସ୍ତରୀୟ ମହୋତ୍ସବରେ ଭାଗ ନେବାପାଇଁ ପଠାଇବାକୁ ସମ୍ମତି ପ୍ରଦାନ କରିଥିଲେ। ଏହା ବ୍ୟତୀତ ଏ ଅବସରରେ ଏକ ସ୍ମରଣୀକ ମଧ୍ୟ ପ୍ରକାଶନ କରାଯିବାପାଇଁ ନିଷ୍ପତି ନିଆଯାଇଛି। ବୈଠକର ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଭିନସେଣ୍ଟ ପୁନମ କାନ୍ତ ଏକ୍କା, ଉପଜିଲ୍ଲାପାଳ ବିମଳେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନାରୟଣ ସି, ପୈାରାଧ୍ୟକ୍ଷା ଅନୀତା ପାତ୍ରଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ବୃନ୍ଦ ଏବଂ ଉତ୍ସବ ପ୍ରଧାନପାଟ-୨୦୧୭ର ଉପକମିଟୀ ଅଧ୍ୟକ୍ଷ, ଆବାହକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *