ଆସନ୍ତାକାଲି ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ସମ୍ମୁଖରେ ବିଜେଡିର ସକାଳ ୧୦ରୁ ୧୨ଟା ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜେଡି ଛାମୁଆ ସଂଗଠନ ତରଫରୁ ସକାଳ ୧୦ରୁ ୧୨ଟା ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଏଟିଏମ୍‌ ଖାଲି, ଲୋକେ ଟଙ୍କା ପାଇଁ ହିନସ୍ତା ଭାରତବର୍ଷରେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି: ବିଜେଡ଼ି

 

ଭୁବନେଶ୍ୱର, ୨୦/୪/୨୦୧୮(ଓଡ଼ିଆ ପୁଅ): କେନ୍ଦ୍ର ସରକାରଙ୍କ ଏକାଧିକ ଅପରିଣାମଦର୍ଶୀ ନିଷ୍ପତ୍ତି ଓ ଦୂରଦୃଷ୍ଟିହୀନ ପଦକ୍ଷେପ ଦେଶକୁ ଆର୍ଥିକ ବିଶୃଙ୍ଖଳା ଓ ଅରାଜକତା ଆଡକୁ ଟାଣି ନେଉଛି। ଏବେ ଭାରତବର୍ଷରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୬ ମସିହାର ବିମୁଦ୍ରୀକରଣର ଦୁଃଖଦ ଅନୁଭୂତି ଓ ଉପଲବ୍ଧି ପୁଣି ଲୋକମାନେ ଭୋଗୁଛନ୍ତି। ସାରା ଦେଶରେ ଏଟିଏମ୍‌ ଖାଲି ପଡୁଛି ଓ ଝୁଲା ଯାଇଥିବା ‘ନୋ କ୍ୟାସ୍‌’ ନୋଟିସ୍‌, ଲୋକମାନଙ୍କ ପ୍ରତି ଉପହାସ ସଦୃଶ ହୋଇଛି। ନଗଦ ପାଇଁ ଲୋକମାନଙ୍କର ଧାଁ ଧପଡ଼ ଓ ନାହିଁନଥିବା ଦୁର୍ଦ୍ଦଶା ସବୁଠି ଦେଖିବାକୁ ମିଳୁଛି। ଦେଶ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ବ୍ୟାଙ୍କ ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଲାଣି। ଏହା ଲୋକମାନଙ୍କର ବିଶ୍ୱସନୀୟତା ହରାଇଲାଣି। ଏକ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ବ୍ୟାଙ୍କରେ ଟଙ୍କା ରଖିବାକୁ ନିରାପଦ ମନେ କରୁନାହାନ୍ତି, ଯାହା ସାମଗ୍ରିକ ଭାବରେ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି। ଗୋଟେ ପଟେ ବ୍ୟାଙ୍କଗୁଡିକ ଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରି ନୀରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ଠକମାନେ ବିଦେଶକୁ ଫେରାର ହୋଇଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ନିରବତା ଓ ନିଷ୍କ୍ରିୟତା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

 

କେନ୍ଦ୍ର ସରକାର କ୍ରମାଗତ ଭାବରେ ବ୍ୟାଙ୍କ ବ୍ୟବସ୍ଥାକୁ ଉଜାଡ଼ିବାରେ ଲାଗିଛନ୍ତି। ୨୦୧୮ ଡିସେମ୍ବର ସୁଦ୍ଧା ବ୍ୟାଙ୍କଗୁଡିକର ଏନ୍‌ପିଏ ପାଖାପାଖି ୮.୪୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଏକ ବୃହତ୍‌ ଆର୍ଥିକ ସମ୍ବଳ ଅକାମୀ ହୋଇ ପଡିଥିଲା ବେଳେ ସେମାନେ ମୁଦ୍ରାରାଶି ଯଥେଷ୍ଟ ପରିମାଣରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି। ଯାହାକି ଦେଶର ପ୍ରଗତି ପ୍ରକ୍ରିୟାକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇଛି। ଏହି ସମୟରେ ବିବାହ, ବ୍ରତ ଓ ପୂଜାପର୍ବାଣୀର ଅନେକ ଆୟୋଜନ ହୋଇଥାଏ ଏବଂ ତତ୍‌ସଙ୍ଗେ ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ନାମଲେଖା ପାଇଁ ମଧ୍ୟ ଟଙ୍କାର ପ୍ରୟୋଜନ ଥାଏ। ଉଭୟ କ୍ଷେତ୍ରରେ ଏହି ଆର୍ଥିକ ଅଚଳାବସ୍ଥା ଜନଜୀବନକୁ ସାଧାରଣରେ ପ୍ରଭାବିତ କରିଛି।

 

ଚାଷୀଭାଇମାନେ ତାଙ୍କର ଅମଳ ପର ଚାଷଜନିତ ନେଣଦେଣ ସମବାୟ ବ୍ୟାଙ୍କ ସହାୟତାରେ କରିଥାନ୍ତି। କିନ୍ତୁ ଆଜି ଚାଷୀକୂଳ ଏଟିଏମ୍‌ ଗୁଡ଼ିକରେ ଅର୍ଥ ନ ପାଇ ହଟହଟା ହେଉଛନ୍ତି। ସମାନ ଭାବରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ବ୍ଲକ ସ୍ତରୀୟ ଲିଡ୍‌ ବ୍ୟାଙ୍କ୍‌ ମାଧ୍ୟମରେ ନିଜର ବ୍ୟବସାୟିକ ଓ ଆର୍ଥିକ କାରବାର କରିଥାନ୍ତି। ସେମାନଙ୍କର ମଧ୍ୟ ପଞ୍ଚାୟତ ବ୍ଲକ ସ୍ତରରେ ବ୍ୟବସାୟିକ କାର୍ଯ୍ୟ ବ୍ୟାଘାତ ହୋଇଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଅନୁଭୁତ ହେବ। ଯେହେତୁ ମୌସୁମୀ ଆସିବା ପୂର୍ବରୁ କାର୍ଯ୍ୟକୁ ତ୍ୱରାନ୍ୱିତ କରି ରାସ୍ତାଘାଟ ଓ ପୋଲ ଇତ୍ୟାଦିର ନିର୍ମାଣ କାର୍ଯ୍ୟକୁ ପ୍ରାଥାମିକତା ଦିଆଯାଇଥାଏ। କିନ୍ତୁ ଏଟିଏମ୍‌ଗୁଡ଼ିକର ଅସୁବିଧା ହେତୁ ଅର୍ଥ ନେଣଦେଣ ସଂପୂର୍ଣ୍ଣ ଭାବରେ ଠପ୍‌ ହୋଇଯାଇଛି। ଏହା ଭିତ୍ତିଭୂମିର ବିକାଶକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିଛି।

 

୨୦୧୬ରେ ବିମୁଦ୍ରାକରଣ ଯୋଗୁ ଭାରତବର୍ଷର ଅର୍ଥ ବ୍ୟବସ୍ଥା ଓ ବିକାଶହାର ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଗତ ଦେଢ଼ ବର୍ଷ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ନ ଆସୁଣୁ ଏବେ ଏଟିଏମ୍‌ଗୁଡ଼ିକରେ ଟଙ୍କାର ଅଭାବ ଯୋଗୁ ଭାରତବର୍ଷର ଅର୍ଥନୀତି ଆହୁରି ବିପର୍ଯ୍ୟୟ ଆଡ଼କୁ ଅଗ୍ରଗତି ହୋଇଛି। ଭାରତବର୍ଷର ସମବାୟ କ୍ଷେତ୍ର ଏଥିଯୋଗୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ। ଏସ୍‌ବିଆଇ ରିସର୍ଚ୍ଚ ତାଙ୍କର ଗବେଷଣା କରି ଜଣାଇଛନ୍ତି ଯେ, ଭାରତବର୍ଷରେ ଜନସାଧାରଣଙ୍କ ପାଖରେ ଆଜି ୭୦ହଜାର କୋଟି ଟଙ୍କା କମ୍‌ ପ୍ରଚଳିତ ହେଉଛି। ଏହା କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କାର୍ଯ୍ୟକଳାପ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତବର୍ଷର ବିକାଶ ହାର (ଜିଡିପି) ବିଗତ ଦୁଇବର୍ଷରେ ୧୦.୮ ଓ ୯.୮ ପାଖାପାଖି ଅନୁମାନ କରାଯାଉଥିଲା ବେଳେ ସେହି ଗତିରେ ଟଙ୍କାର ପ୍ରଚଳନ ବୃଦ୍ଧି ପାଇନାହିଁ। ଜିଡିପିର ହାର ସହିତ ତୁଳନା କଲେ ମାର୍ଚ୍ଚ ୨୦୧୮ ସୁଧା ଭାରତବର୍ଷରେ ୧୯.୪ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିବା ଆବଶ୍ୟକତା ରହିଛି। କିନ୍ତୁ କେବଳ ୧୭.୫ ଲକ୍ଷ କୋଟି ଟଙ୍କା ଆଜି ପ୍ରଚଳନରେ ଥିବା ଅନୁମାନ କରାଯାଉଛି। ପାଖାପାଖି ୧.୯ ଲକ୍ଷ କୋଟି ଟଙ୍କା କମ ପ୍ରଚଳିତ ହେଉଛି ବୋଲି ଏସ୍‌ବିଆଇ ରିସର୍ଚ୍ଚ ଆକଳନ କରିଛି। ଏଥିମଧ୍ୟରୁ ୧.୨ ଲକ୍ଷ କୋଟି ଟଙ୍କା ଡିଜିଟାଲ୍‌ ମାଧ୍ୟମରେ ପ୍ରଚଳିତ ହେଉଥିଲେ ହେଁ ପାଖାପାଖି ୭୦ ହଜାର କୋଟି ଟଙ୍କାର ଏକ ଶୂନ୍ୟତା ଭାରତର ଅର୍ଥନୀତିରେ ଦେଖାଦେଇଛି। ଏହାକୁ ଏସ୍‌ବିଆଇ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ଶ୍ରୀ ସୌମ୍ୟକାନ୍ତି ଘୋଷ ସ୍ପଷ୍ଟ କହିଛନ୍ତି।

 

କେନ୍ଦ୍ର ସରକାର ଦେଶର ବ୍ୟାଙ୍କ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିସାରିଛନ୍ତି। ଭାରତବର୍ଷର ବ୍ୟାଙ୍କଗୁଡିକର ଏନ୍‌ପିଏ (ନନ୍‌ ଫରଫର୍ମାନ୍ସ ଆସେଟ୍ସ) ଡିସେମ୍ବର ୨୦୧୮ ସୁଦ୍ଧା ପାଖାପାଖି ୮.୪୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଏଥିରୁ ଆକଳନ କରାଯାଇପାରେ, ଯେ ବ୍ୟାଙ୍କଗୁଡିକର ଏକ ବୃହତ ଆର୍ଥିକ ସମ୍ବଳ ଅକାମୀ ହୋଇଯାଇଥିଲା ବେଳେ ସେମାନେ ଯଥେଷ୍ଟ ପରିମାଣର ମୁଦ୍ରାରାଶି ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି ବୋଲି ଯେଉଁ ସନ୍ଦେହ କରାଯାଉଥିଲା ଆଜି ତାହା ସତ୍ୟରେ ପ୍ରମାଣିତ ହୋଇଛି। ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରାକରଣ କଲା ପରେ ଏଟିଏମ୍‌ଗୁଡିକୁ ପୁନଃ ସଂସ୍କରଣର ଆବଶ୍ୟକତା ଥିଲା। କିନ୍ତୁ ଦେଢ଼ ବର୍ଷ ପରେ ମଧ୍ୟ ଅନେକ ଏଟିଏମ୍‌ ଅକାମୀ ହୋଇପଡ଼ିଛି ଏବଂ ଜନସାଧାରଣ ତା’ର ଲାଭ ଆଜି ପର୍ଯ୍ୟନ୍ତ ପାଇପାରୁ ନାହାନ୍ତି। କେନ୍ଦ୍ର ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଇନାହାନ୍ତି। ବିମୁଦ୍ରାକରଣ ଯୋଗୁ ହଜାରେ ଟଙ୍କିଆ ନୋଟ୍‌ ବନ୍ଦ କରିଦିଆଯାଇଥିଲା ଏବଂ ତା’ପରେ ଦୁଇ ହଜାର ଟଙ୍କିଆ ନୋଟ୍‌ ବଜାରକୁ ଛଡ଼ାଯାଇଥିଲା। ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା ଯେ ହଜାରେ ଟଙ୍କିଆ ନୋଟ୍‌ ଯୋଗୁ କଳାଧନର ଉପାର୍ଜନ ବଢ଼ୁଛି ଏବଂ ଗଚ୍ଛିତ କରି ରଖୁଛନ୍ତି। କିନ୍ତୁ ଏବେ ଦେଖାଯାଇଛି, ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ ପରେ କଳାଧନ ଆହୁରି ଦ୍ରୁତଗତିରେ ବୃଦ୍ଧି ପାଇଛି ଏବଂ ବିମୁଦ୍ରାକରଣର ମୂଳ ଲକ୍ଷ୍ୟ ଯାହାକି କଳାଧନ ରୋକିବାରେ ଥିଲା, ସେଥିରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

 

ଧାନ ଅମଳ ସରିଲା ପରେ ସାଧାରଣତଃ ଚାଷୀମାନେ ଟଙ୍କା କାରବାର ଅଧିକ କରିଥାନ୍ତି ଏବଂ ଏହି ସମୟରେ ମଧ୍ୟ ଅନେକ ପୂଜାପର୍ବାଣୀର ଅବସର ମଧ୍ୟ ରହିଥାଏ। କିନ୍ତୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହି ମୁଦ୍ରା ପରିସ୍ଥିତିକୁ ଠିକ୍‌ ଭାବରେ ଆକଳନ କରିନାହାନ୍ତି। ତେଣୁ ଯଥେଷ୍ଟ ମୁଦ୍ରା ବ୍ୟବସ୍ଥା କରାଯାଇନାହିଁ। ଏଠାରେ ସୂଚନାଯୋଗ୍ୟ, ବିମୁଦ୍ରାକରଣ ପରେ ଦେଶରେ ଟଙ୍କା ପ୍ରଚଳନ କେବଳ ୨.୭୫ ପ୍ରତିଶତ ବୃଦ୍ଧି ପାଇଛ, ଯାହାକି ଭାରତବର୍ଷର ଅଭିବୃଦ୍ଧି ହାର ଠାରୁ ଯଥେଷ୍ଟ କମ୍‌। ଏହା ଉପୁଜିଥିବା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

 

ଏଫ୍‌ଆର୍‌ଡିଆଇ (Financial Resolution and Deposit Insurance)ବିଲ୍‌ ଜନସାଧାରଣଙ୍କ ଭିତରେ ଏକ କୋକୁଆ ଭୟ ସୃଷ୍ଟି କଲାଣି। ଏହି ବିଲ୍‌ ଅନୁଯାୟୀ ଯଦି କୌଣସି ଆର୍ଥିକ ସଂସ୍ଥାର ସ୍ଥିତି ଦୁର୍ବଳ ହୋଇପଡ଼େ, ତେବେ ତା’ର ଏହି କ୍ଷତିରେ ଜମାକାରୀମାନେ ମଧ୍ୟ ସମାନ ଭାବରେ କ୍ଷତି ସହିବେ। ଏହା ଜମାକାରୀମାନଙ୍କ ମଧ୍ୟରେ ଭୟ ସଂଚାର କଲାଣି। ଏହି ଜଟିଳ ପରିସ୍ଥିତିକୁ ଆଗକୁ ଆହୁରି ଭୟାଭୟ କରିବ। କର୍ଣ୍ଣାଟକ ନିର୍ବାଚନ ମାସକ ପରେ ଅନୁଷ୍ଠିତ ହେଉଥିବାରୁ, ଅନେକ ପ୍ରମୁଖ ରାଜନୈତିକ ଦଳ ଟଙ୍କାକୁ ବେଆଇନ୍‌ ଭାବେ ନିର୍ବାଚନ ପ୍ରଚାରରେ ପ୍ରୟୋଗ କରିବା ପାଇଁ ଗଚ୍ଛିତ କରିଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଭାରତୀୟ ଜନତା ପାର୍ଟିର ଆୟ ୮୧ପ୍ରତିଶତ ବୃଦ୍ଧି ହୋଇ ୧୦୩୪.୨୭ କୋଟିରେ ପହଞ୍ଚିଥିଲା ଏବଂ ପ୍ରତ୍ୟେକଟି ଦଳୀୟ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଥିବା ବେଳେ ଜନସାଧାରଣଙ୍କ ପାଖରେ କିନ୍ତୁ ତାଙ୍କର ଝାଳବୁହା ଅର୍ଥ ପହଞ୍ଚିପାରୁ ନାହିଁ। ବିଜେପି ନିଜର ଆର୍ଥିକ ସ୍ଥିତି ସରକାରରେ ଆସିଲା ପରେ ସୁଧାରିଥିବା ବେଳେ ଦେଶର ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଆଜି ଖାଲି ଏଟିଏମ୍‌କୁ ଦେଖି ସ୍ପଷ୍ଟ ବାରି ହୋଇପଡୁଛି।

 

କେନ୍ଦ୍ର ସରକାରଙ୍କ କାରବାର ଓ ଆର୍ଥିକ ପରିଚାଳନା ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଅର୍ଥନୀତିଜ୍ଞମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଗତିବିଧି ଉପରେ ପ୍ରଶ୍ନବାଚୀ ଠିଆ କରାଇଛନ୍ତି। ମୋଟ ଉପରେ କେନ୍ଦ୍ର ସରକାରଙ୍କ ଉପରେ ଲୋକମାନଙ୍କର ଆସ୍ଥା, ବିଶ୍ୱାସ ଓ ଭରସା ତୁଟି ଗଲାଣି। ଜନସାଧାରଣଙ୍କ ଅସନ୍ତୋଷ ଭବିଷ୍ୟତରେ ବିସ୍ଫୋରକ ରୂପ ନେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

 

ଦେଶରେ ଏବେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଲାଗି କେନ୍ଦ୍ର ସରକାର ଦାୟୀ। ଜନସାଧାରଣ ନିଜର ଉପାର୍ଜିତ ଟଙ୍କାକୁ ଠିକ୍‌ ସମୟରେ ନପାଇବା ଏକ ଗୁରୁତର ଅପରାଧ। ବିମୁଦ୍ରାକରଣ ସମୟରେ ଯାହା ଘଟିଥିଲା ଏବେ ତାହା ପୁନରାବୃତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଓ ଦୂରଦୃଷ୍ଟିହିନ ପଦକ୍ଷେପ ନେବାରୁ ଆର୍ଥିକ ବିଶୃଙ୍ଖଳା ଓ ଅରାଜକତାକୁ ଆଡ଼କୁ ଦେଶ ଟାଣି ହୋଇଯାଇଛି। ସବୁ ସ୍ତରରେ ଏହାର ଦୃଢ଼ ପ୍ରତିବାଦ କରିବାକୁ ବିଜୁ ଜନତା ଦଳ ଆହ୍ୱାନ ଦେଇଛି।

 

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୧.୦୪.୨୦୧୮ ତାରିଖ ସକାଳ ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜୁ ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ସମବାୟ ସାମ୍ମୁଖ୍ୟ ତରଫରୁ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ। ପ୍ରତିବାଦ ସମୟରେ ସାଧାରଣ ଗ୍ରାହକ ଏବଂ ବ୍ୟାଙ୍କ୍‌ର ପରିଚାଳନାରେ କୌଣସି ବାଧାସୃଷ୍ଟି କରାଯିବ ନାହିଁ। ଉପୁଜୁଥିବା ପରିସ୍ଥିତି ଯୋଗୁ ସାଧାରଣ ଜନତା ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି ସେ ସଂପର୍କରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏବଂ ଡ. ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *