ଓଡ଼ିଶା

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

– ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମାଗଣା ବୀମାଭୁକ୍ତ ହେବେ ଆଶାକର୍ମୀ, ସହାୟିକା
– ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକ ୪୫୦୦ ଟଙ୍କାକୁ ବୃଦ୍ଧି
– ସହାୟିକାମାନେ ପାଇବେ ୨୨୫୦ ଟଙ୍କା
– କମନ ଆପ୍ଲିକେସନ ସଫ୍ଟୱେର ବ୍ୟବହାର ପାଇଁ ମିଳିବ ଅତିରିକ୍ତ ୨୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଭତା

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି। ଏହା ଆଗାମୀ ମାସରୁ ଲାଗୁ ହେବ। ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି।

ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଥିସହିତ ସମସ୍ତ ଆଶାକର୍ମୀ ଏବଂ ସେମାନଙ୍କ ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ।

ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଯେଉଁମାନେ ପୂର୍ବରୁ ୩୦୦୦ଟଙ୍କା ପାଉଥିଲେ ସେମାନେ ଏବେ ୪, ୫୦୦ଟଙ୍କା ପାଇବେ। ସେହିପରି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ। ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ମଧ୍ୟ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୨୫୦ ଟଙ୍କା କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର (ଆଇସିଡିଏସ-ସିଏଏସ) ବ୍ୟବହାର କରୁଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତା ପ୍ରଦାନ କରାଯିବ। ଏହି ଭତା ୨୫୦ରୁ ୫୦୦ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତିକ ହେବ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୩-ଏ ଟିମ – ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଏଏନଏମ (ସହାୟିକା ନର୍ସ)ମାନଙ୍କ ସହ ମତ ବିନିମୟ କରିଥିଲେ। ଦେଶରେ କୁପୋଷଣ ହ୍ରାସ ଦିଗରେ ପୋଷଣ ଅଭିଯାନ ଲକ୍ଷ୍ୟକୁ ସଫଳ କରିବା ନେଇ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସେବା ପ୍ରଦାନରେ ଉନ୍ନତି ଲାଗି ସେମାନଙ୍କ ମିଳିତ ପ୍ରୟାସ ଏବଂ ଅଭିନବ ପ୍ରାଦ୍ୟୋଗିକୀର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top