ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

– ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତା ଦୁଇଗୁଣ କରାଯିବ
– ଆଶା କର୍ମୀ ଏବଂ ସେମାନଙ୍କ ସହାୟିକା ମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ
– ଅଙ୍ଗନବାଡି କର୍ମଚାରୀଙ୍କ ଦରମା ୩୦୦୦ଟଙ୍କାରୁ ୪୫୦୦ଟଙ୍କା ଏବଂ ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ
– ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ୧୫୦୦ରୁ ୨୨୫୦ ଟଙ୍କା ବୃଦ୍ଧି
ଭୁବନେଶ୍ୱର, ତା ୧୧/୦୯ (ଓଡ଼ିଆ ପୁଅ) : ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ଏଭଳି ଏକ ଐତିହାସିକ ନିଷ୍ପତି ନେଇଥିବାରୁ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଥି ସହ ସମସ୍ତ ଆଶା କର୍ମୀ ଏବଂ ସେମାନଙ୍କ ସହାୟିକା ମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା କ୍ରମେ ଅଙ୍ଗନବାଡି କର୍ମଚାରୀଙ୍କ ଦରମା ୩୦୦୦ଟଙ୍କାରୁ ୪୫୦୦ଟଙ୍କାକୁ ବୃଦ୍ଧି ହୋଇଛି ଏବଂ ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ। ସେହିପରି ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ୧୫୦୦ରୁ ୨୨୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହା ସହ କମନ ଆପ୍ଲିକେସନ ସଫ୍ଟେୱର ବ୍ୟବହାର କରୁଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତା ୨୫୦ରୁ ୫୦୦ଟଙ୍କା ମଧ୍ୟରେ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *