ଆଳୁପୁରରୁ ମଦ ଦୋକାନ ସ୍ଥାନାନ୍ତର ଦାବି

ବାଲେଶ୍ୱର,୨/୬ (ଓଡ଼ିଆ ପୁଅ/ଅଜିତ ମହାନ୍ତି) : କୁରୁଡ଼ା ପଞ୍ଚାୟତର ଆଳୁପୁରଠାରେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲିବା ନିଷ୍ପତିକୁ ବିରୋଧ କରି ସ୍ଥାନୀୟ ଲୋକେ ସଦର ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ପ୍ରସ୍ତାବିତ ଦୋକାନ ସମ୍ମୁଖରେ ଧାରଣା ଦେବା ସହ ପ୍ରଶାସନ ନିଷ୍ପତିକୁ ପ୍ରତିବାଦ ଜଣାଇଥିଲେ। ଅଭିଯୋଗ ଅନୁସାରେ କୁରୁଡ଼ା ପଞ୍ଚାୟତର ୩୦ ନଂ ୱାର୍ଡ଼ ଆଳୁପୁରରେ ଏକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ  ନିଆଯାଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଦୋକାନ ପାଇଁ ଚିହ୍ନଟ ଜାଗାଠାରୁ ୫୦ ମିଟର ଦୂରରେ ରମାରାଣୀ ଶିକ୍ଷାନୁଷ୍ଠାନ ଥିବା ବେଳେ ୧୦ ମିଟର ଦୂରରେ ଶକ୍ତିପୀଠ-ଶୈବପୀଠ ଓ ଡାକ୍ତରଖାନା ମଧ୍ୟ ରହିଛି। ଏଠାରେ ମଦ ଦୋକାନ ଖୋଲିବା ଦ୍ୱାରା ଏ ଅଞ୍ଚଳର ଶାନ୍ତି ଭଙ୍ଗ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ପୂର୍ବରୁ ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିକଟରେ ଆପତ୍ତି କରାଯାଇ ଥିଲେ ବି ମଦ ଦୋକାନ ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ନିଆ ଯାଇନଥିବା ସେମାନେ କହିଛନ୍ତି। ତେବେ ନିଷ୍ପତିର ପୁନର୍ବିଚାର କରା ନଗଲେ ଆଗାମୀ ଦିନରେ ଗ୍ରାମବାସୀ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *