ଯୋଡା- ତା ୧୪/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଲୋଇପଡାପଦା ପଞ୍ଚାୟତ ର ଟୋପାଡିହି ଠାରେ ଅବସ୍ଥିତ ଆର.ପି. ସାଓଙ୍କ ଗୁଆଲି ଆଇରନ ୱର ମାଇନ୍ସରେ ସ୍ଥାନୀୟ ବେକାର ଯୁବକ -ଯୁବତୀଙ୍କ ନିଯୁକ୍ତିକୁ ନେଇ ବିବାଦ ଘନେଇବାରେ ଲାଗିଛି। ଦୀର୍ଘ ବର୍ଷ ଧରି ଏହି ଖଣିଟି ବନ୍ଦ ପଡିଥିବା ବେଳେ ଏଥିରେ କାମଧନ୍ଦା କରି ଜୀବିକା ନିର୍ବାହ କରୁଥିବା ଶ୍ରମିକମାନେ ଖଣିଟି ବନ୍ଦ ହେବା ପରେ କାମଧନ୍ଦା ହରାଇ ଦୟନିୟ ଅବସ୍ଥାରେ ଜୀବନ ଯାପନ କରୁଥିଲେ। ସମସ୍ତଙ୍କ ଆଶାଥିଲା ଖଣିଟି ପୁନର୍ବାର କାର୍ଯ୍ୟକ୍ଷମ ହେଲେ ଖଣିରେ ସେମାନେ କାମଧନ୍ଦା ପାଇବେ ଓ ସ୍ୱଚ୍ଛନ୍ଦରେ ନୀଜର ଜୀବିକା ନିର୍ବାହ କରିପାରିବେ। ନିକଟରେ ଖଣିଟି ଖୋଲିଥିଲେ ମଧ୍ୟ ଖଣି ମାଲିକଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ଖଣିଟିକୁ ସମ୍ପୂର୍ଣ୍ଣ ଯାନ୍ତ୍ରୀକ ଉପାୟରେ ଖନନ କରିବା ପାଇଁ ରାଜ୍ୟ ବାହାରର ଠିକାଦାରକୁ ଏହି ଖଣିର ଖଣି ଖନନ, ପରିବହନ ଏବଂ ରେଳ ଡବା ବୋଝେଇ କାର୍ଯ୍ୟ ହସ୍ତାନ୍ତର କରାଯାଇଛି। ଫଳରେ ଏହି ଖଣି ଦ୍ୱାରା ପ୍ରଭାବିତ ରୁଗୁଡି, ଟୋପାଡିହି, ଲଇଡାପଦାର ବାସିନ୍ଦାମାନେ ଖଣିରେ କାମଧନ୍ଦା ନପାଇ ନିରାଶ ହୋଇପଡିଛନ୍ତି। ଏହି ଖଣି ମାଲିକ ଏମ୍.ଏମ୍. ଡି.ଆର ଆକ୍ଟର ଧାରା-୩୭କୁ ଉଲ୍ଲଂଘନ କରି ଏକ ତାମିଲନାଡୁ ସଂସ୍ଥାକୁ କାର୍ଯ୍ୟଟିକୁ ହସ୍ତାନ୍ତର କରିଛନ୍ତି। ତେବେ ଖଣି କାର୍ଯ୍ୟ ଆରମ୍ଭ ହୋଇନଥିଲେ ମଧ୍ୟ ଖଣିରେ ଗଚ୍ଛିତ ଥିବା ଲୁହାପଥର ପରିବହନ କାର୍ଯ୍ୟ ଏଥି ମଧ୍ୟରେ ଆରମ୍ଭ କରାଯାଇଛି। ଏଥିରେ ଝାଡଖଣ୍ଡ ଏବଂ ତାମିଲନାଡୁ ଟ୍ରକ ଗୁଡିକୁ କେବଳ ପରିବହନ ପାଇଁ ଅନୁମତି ଦିଆଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଟ୍ରକ ଗୁଡିକୁ କାମ ମିଳୁନଥିବା ନେଇ ଅଭିଯୋଗ ହୋଇଛି। ତେବେ ଖଣି କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ବାହାର ରାଜ୍ୟର ଅଣ ଓଡିଆ ମାନଙ୍କୁ ଏଥିରେ ନିଯୁକ୍ତି ଦିଆଯାଉଥିବା ପରିଲକ୍ଷିତ କରାଯାଉଛି। ଏଥିରେ ପ୍ରତିବାଦ କଲେ ପୁଲିସ ଜୁଲମର ଧମକ ଦିଆଯାଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତୋଜନା ଦେଖାଦେଇଥିବା ବେଳେ ଆଜି ଖଣି ସନ୍ନିକଟରେ ଏହା ବିରୁଧରେ ଏକ ବିରାଟ ଜନସମାବେସ ଦେଖିବାକୁ ମିଳିଥିଲା। ଏହି ଖଣିଟିକୁ ସମ୍ପୂର୍ଣ୍ଣ ଭାବେ ଯାନ୍ତ୍ରୀକ ଉପାୟରେ ଖନନ କରାନଯାଇ ଆଂଶିକ ଭାବେ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପରିବହନ କ୍ଷେତ୍ରରେ ଅଗ୍ରାଧିକାର, ରେଳ ଡବା ବୋଝେଇରେ ସ୍ତାନୀୟ ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏଥିରେ ଲଇଡାପଦା ସରପଞ୍ଚ ସେମାନଙ୍କର ନେତୃତ୍ୱ ନେଇଥିଲେ। ଏ ସଂକ୍ରାନ୍ତରେ ସେମାନେ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳ, କେନ୍ଦୁଝର, ଆରକ୍ଷୀ ଅଧିକ୍ଷକ, କେନ୍ଦୁଝର, ଉପଜିଲ୍ଲାପାଳ, ଚମ୍ପୁଆ, ରୁଗୁଡି ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ଆର.ପି. ସାଓ ଖଣି ମାଲିକଙ୍କୁ ଅବଗତ କରାଇଥିବା ଜଣାପଡିଛି। ଏହି ଖଣିଟିରେ କାମଧନ୍ଦା ନମିଳିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।
