ଆରମ୍ଭ ହେଲା ଶ୍ରାବଣର ବୋଲବମ୍ ଯାତ୍ରା; ଅଧିକ ବସ୍ ଚଲାଇବାକୁ ଦାବି

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆରମ୍ଭ ହୋଇଛି ଶ୍ରାବଣ ମାସ। ସନାତନ ଧର୍ମ ସଂସ୍କୃତିରେ ଶ୍ରାବଣ ମାସର ଯଥେଷ୍ଟ ଗୁରୁତ୍ୱ ରହିଛି। ପୂଣ୍ୟମାସ ରୂପେ ପରିଚିତ ଶ୍ରାବଣରେ ହୋଇଥାଏ ବୋଲବମ୍ ଯାତ୍ରା। ରାଜ୍ୟ ତଥା ଦେଶର ବିଭିନ୍ନ ଶୈବପୀଠରେ ଜଳ ଲାଗି କରିବା ପାଇଁ ମାନସିକ ଧାରି କାଉଡ଼ିଆ ମାନଙ୍କର ଭିଡ଼ ପରିଲକ୍ଷିତ ହୁଏ। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଭଦ୍ରକ ଜିଲ୍ଲା ଆରଡ଼ିର ଆଖଣ୍ଡଳମଣୀ ପିଠରେ ହେଉଥିବା ଶ୍ରାବଣୀ ଉତ୍ସବ ପାଇଁ ଆଜି ଠାରୁ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ଶ୍ରାବଣର ପ୍ରଥମ ସୋମବାର ପାଇଁ ଭଦ୍ରକ ଆଖଣ୍ଡଳମଣୀ ରାଜ୍ୟରାଜପଥ ସମେତ ଧାମନଗର-ଦୋବଲ-ଷେଣ୍ଢପୁର ରାସ୍ତା ଚଳ ଚଞ୍ଚଳ ହୋଇ ଉଠିିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହାସ୍ରାଧିକ କାଉଡ଼ିଆ ଶନିବାର ଠାରୁ ଧାମନଗର ବ୍ଲକ ସ୍ଥିତ ବୈତରଣୀର ସିଦ୍ଦେଶ୍ୱର ଘାଟ, ଷେଣ୍ଢପୁର, ଧୂଷୁରୀ ଗାନ୍ଧୀଘାଟ, ବେତାଳିଗାଁ, ପଙ୍ଗଟା ସହ ଭଦ୍ରକ ସହରର ସାଳନ୍ଦୀ ନଦୀର ରାଜଘାଟ ଠାରୁ ଜଳ ଗ୍ରହଣ କରି ଆରଡ଼ି ପୀଠ ଅଭିମୁଖେ ବାହାରି ଥିବା ଦେଖାଯାଇଛି। ପ୍ରତିବର୍ଷ ଶ୍ରାବଣୀ ମହୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମରେ ଭଦ୍ରକ ଆରଡ଼ି ମୁଖ୍ୟ ସଡ଼କ ସମେତ ଧାମନଗର-କୋଠାର, ଅସୁରାଳି-କାଶିମପୁର, ମଙ୍ଗଳପୁର-ତିହିଡ଼ି, ଯାଜପୁର-କୟାଁଗୋଲା-ଓଳଗ ଆଦି ମୁଖ୍ୟ ରାସ୍ତାରେ ଗହଳି ପରିଲକ୍ଷିତ ହୋଇଥାଏ। ଶ୍ରଦ୍ଧାଳୁ ମାନଙ୍କ ଆଗମନ ଯୋଗୁଁ ବ୍ୟବସାୟୀ ମାନଙ୍କର କାରବାର ଆଶାତିତ ଭାବେ ବୃଦ୍ଧି ପାଉଥିବା ବେଳେ କେତେକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ କାଉଡ଼ିଆ ମାନଙ୍କୁ ସେବା ପ୍ରଦାନ କରାଯାଇଥାଏ। ଏବେ ବୋଲବମ୍ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ନଜରକୁ ଆସିଛି। ପ୍ରତ୍ୟେକ ସୋମବାର ବୋଲବମ୍ ଯାତ୍ରୀଙ୍କ ଫେରିବା ପାଇଁ ଆରଡ଼ିରୁ ଭଦ୍ରକକୁ ଅôଧକ ସଂଖ୍ୟକ ବସ୍ ଚଳାଚଳ ପାଇଁ ପ୍ରତିବର୍ଷ ଦାବି କରାଯାଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ଦେବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଯୋଗୁଁ ପ୍ରାୟତଃ ଶ୍ରାବଣ ସୋମବାରରେ ସାଧାରଣ ଲୋକେ ଗମନାଗମନ କ୍ଷେତ୍ରରେ ବ୍ୟାପକ ଅସୁବିଧାର ସାମ୍ନା କରୁଥିବା ନଜର ରହିଛି। ଏଣୁ ଜିଲ୍ଲା ପ୍ରଶାସନ ଓ ବସ୍ ସିଣ୍ଡିକେଟ୍ ଏଥିପ୍ରତି ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *