ପାରଳାଖେମୁଣ୍ଡି,୧୬ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆରମ୍ଭ ହୋଇଥିବା ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଜିଲାପାଳ ଅନୁପମ ସାହା ଶୁଭ ଉଦ୍ଘାଟନ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ କିପରି ଶତପ୍ରତିଶତ ଶିଶୁ ସାମିଲ ହୋଇ କାର୍ଯ୍ୟକ୍ରମ ସଫଳତା ହାସଲ କରିବ ସେଥିପାଇଁ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ ସଚେତତନା କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ କେନ୍ଦ୍ର କରାଯାଇଥିବା ବେଳେ ପାରଳାଖେମୁଣ୍ଡି ସହରରେ ପ୍ରାୟ ୪୦ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି । ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟସେବା କେନ୍ଦ୍ର ଇତ୍ୟାଦି ସ୍ଥାନରେ ଏହି ପଲସ ପୋଲିଓ କାର୍ଯ୍ୟ ଚାଲୁରହିଛି । ଏହି ପଲସ ପୋଲିଓ ଉଦ୍ଘାଟନି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିପିନି ବିହାରି ପାଣିଗ୍ରାହୀ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପିକେ ପାତ୍ର, ଡା. ପିକେ ପାଢୀ, ଜିଲା ସ୍ୱାସ୍ଥ୍ୟ ପ୍ରକଳ୍ପ ପରିଚାଳକ ମୃତୁ୍ୟଞ୍ଜୟ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।