ଜିଲ୍ଲା ପରିକ୍ରମା

ଆରଡି ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡିବା ଘଟଣା ତଦନ୍ତ ବାଟବଣା ହେବା ଆଶଙ୍କା

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣି ପୀଠରେ ନବନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡି ଯିବା ପରେ ସରକାରୀ ଅନୁଦାନରେ ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ଦାୟିତ୍ୱ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରୀ ସଂସ୍ଥାର ଅଧିକ ଲାଭଖୋର ମନୋବୃତ୍ତି ସାଙ୍ଗକୁ ଇଂଜିନିୟରିଂ ବିଭାଗର ପିସି କାରବାର ଯୋଗୁଁ ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ଦେହ ଉପୁଜିଛି। ଆଖଣ୍ଡଳମଣି ପୀଠରେ ୧୩ ବଖରା ବିଶିଷ୍ଟ ଏହି ମାର୍କେଟ୍ କମ୍ପ୍ଲେକ୍ସଟି ଉଦ୍ଘାଟନର ୩ ମାସ ପରେ ଭୁଶୁଡି ପଡିଥିଲା। ଏପ୍ରିଲ୍ ୧୯ ରେ ଘଟିଥିବା ଏହି ଅଘଟଣ ପରେ ପ୍ରଶାସନିକ ସ୍ତରରେ ସଂପୃକ୍ତ ଠିକା ସଂସ୍ଥା ପ୍ରତି ଅନୁକମ୍ପା ଦେଖା ଯାଇଥିବା ଅଭିଯୋଗ ହୋଇଥିଲା। ଆରଡି ମାର୍କେଟ୍ କମ୍ପ୍ଲେକ୍ସର ଅଟକଳ ମୂଲ୍ୟ ଥିଲା ୧୫ ଲକ୍ଷ ଟଙ୍କା। ପରବର୍ତ୍ତୀ ସମୟରେ ଏହାର ବ୍ୟୟ ଅଟକଳ ୨୧ ଲକ୍ଷକୁ ବଢିଥିଲା। ଏହି ମାର୍କେଟ୍ କମ୍ପ୍ଲେକ୍ସଟି ଚାନ୍ଦବାଲି ବ୍ଲକ୍ ଏଜେନ୍ସି ଦ୍ୱାରା ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟର ବ୍ୟୟ ଅର୍ଥ ନାଲକୋ କଂପାନୀ ବହନ କରିଥିଲା। ଦଳୀୟ କର୍ମୀମାନଙ୍କ ଦ୍ୱାରା କରାଯାଇଥିବା ମାର୍କେଟ୍ କମ୍ପ୍ଲେକ୍ସଟିର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଏଭଳି ଅଘଟଣା ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ଚାଲାିଛି। ଅନ୍ୟପକ୍ଷରେ ଭୁଶୁଡି ପଡିବାର କାରଣ ଖୋଜି ବାହାର କରିବା ପାଇଁ ଜିଲାପାଳଙ୍କ ତରଫରୁ ଏକ ମାସତଳେ ଏକ ମିଳିତ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲା ଗ୍ରାମ୍ୟ ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଟିମ୍ରେ ମୁଖ୍ୟ ଭାବେ ରଖାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଡ୍ରେନେଜ୍ ବିଭାଗ, ପୂର୍ତ୍ତ ବିଭାଗ ଓ ଚାନ୍ଦବାଲି ବିଡିଓ ରହିଛନ୍ତି। ଏପ୍ରିଲ୍ ୧୯ ରେ ମାର୍କେଟ୍ କମ୍ପ୍ଲେକ୍ସଟି ଭୁଶୁଡିବାର ପରଦିନ ଜିଲାପାଳ ଏହି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମିଳିତ ତଦନ୍ତ ରିପୋର୍ଟ ଠିକ୍ ଭାବେ ହୋଇନଥିବା ଅଭିଯୋଗ ହୋଇଛି। ଦଳୀୟ ରାଜନୈତିକ ଚାପ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିଥିବା ଆଲୋଚନା ହେଉଛି। ରାଜନୈତିକ ଚାପ ସମ୍ମୁଖୀନ ହୋଇ ବିଭାଗୀୟ ତଦନ୍ତକାରୀ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବିରୋଧୀ ଦଳଗୁଡିକ ଅଭିଯୋଗ ଆଣିଛନ୍ତି। ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top