ଆରଡି : ବୈତରଣୀର ତଳମୁଣ୍ଡରେ ବନ୍ୟା ସ୍ଥିତି ଜଟିଳ, ବନ୍ୟା ଧୋଇନେଲା ଜାତୀୟ ରାଜପଥ, ଆଖଣ୍ଡଳମଣି-ଯାଜପୁର ରାସ୍ତାର ୫୦ଫୁଟ ରାସ୍ତା ଦବିଲା

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବୈତରଣୀ ନଦୀର ବନ୍ୟାଜଳ ଉପର ମୁଣ୍ଡରେ କମୁଥିଲେ ମଧ୍ୟ ଅମାବାସ୍ୟା ଜୁଆର ଯୋଗୁ ତଳମୁଣ୍ଡରେ ବନ୍ୟାଜଳ ବଢିବା ସହ ଜଟିଳ ରୂପ ଧାରଣ କରିଛି। ଫଳରେ ଭ୍ଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ ଓ ନାନ୍ଦପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି। ଗତ ୩ଦିନ ହେଲା ଆଖଣ୍ଡଳମଣି-ଯାଜପୁର ଜାତୀୟ ରାଜପଥର ପ୍ରାୟ ଦେଢକିମି ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଗତକାଲି ରାତିରେ ଜାତୀୟ ରାଜପଥର ବୋଡକ ନିକଟରେ ୩୦ଫୁଟ୍ ରାସ୍ତା ବୈତରଣୀ ମଧ୍ୟକୁ ଧସିଯାଇଛି। ରବିବାର ଆରଡିପୀଠର ପାନ୍ଥନିବାସ, ଉପ-ସ୍ୱାସ୍ଥ୍ୟକେନ୍ଦ୍ର, ଆର୍ୟୁନେଦିକ ଚିକିତ୍ସାଳୟ, ସରକାରୀ ବିଦ୍ୟାଳୟ, ବ୍ୟାଙ୍କ ଆଦି ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ମୁଆଁ ଓ ସନ୍ତରା ଗାଁରେ ବନ୍ୟାଜଳ ପ୍ରବେଶ କରିବାରୁ ବିଲସାହି, ପଦାସାହି, ଦାସସାହି, ବୈତରଣୀକୂଳ ସାହି ଆଦି ସ୍ଥାନରେ ଥିବା ବାସଗୃହ ବନ୍ୟା ଘେରରେ ରହିଛି। ଏହି ଅଞ୍ଚଳ ନଦୀକୂଳରେ ଥିବାରୁ ବୈତରଣୀ ନଦୀବନ୍ଧ ବୁଡି ରବିବାର ସୁଧା ରାଜରାସ୍ତାରେ ୪ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମୁଆଁ-ଆରଡି-ସନ୍ତରା ସମେତ ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, କୋଇଲିଖା, ନାନ୍ଦପୁର, ଭୂଇଁପୁର, ପାଲଟପୁର, ଶୀତଳପୁର, ବାଙ୍କମୁଆଁ, ପହଣା, ଓଳଗ, ବାତୋଳ, ସିଙ୍ଗିପୁର, ସାନପଙ୍କି ଆଦି ୧୫/୨୦ ଗାଁ ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ଭାବେ ବିଛିନ୍ନ ହୋଇଯାଇଛି। ଏହି ଗାଁ ଗୁଡିକରେ ସାହି ରୁ ସାହିକୁ ଯିବାପାଇଁ ହେଲେ ଡଙ୍ଗା ସାହାର୍ଯ୍ୟରେ ଲୋକମାନେ ଯାତାୟତ କରୁଛନ୍ତି। ପହଣା ଗାଁର ବିଦ୍ୟାଳୟ ସମେତ ଅନେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଛି। ଗାଁ ମାନଙ୍କରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଅନେକ ପରିବାରଙ୍କର ଚୁଲି ଜଳିନି। ବିଶେଷକରି ବନ୍ୟା ଅଞ୍ଚଳରେ ପାନୀୟ ଜଳ ଅଭାବ ଯୋଗୁ ବିପନ୍ନମାନେ ବନ୍ୟାଜଳରେ ପାକ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ବନ୍ୟାଜଳ ଦୀର୍ଘ ୩/୪ଦିନ ଧରି ଏକରଏକର ସାରଦ ଚାଷରେ ଲହଡି ଭାଙ୍ଗୁଥିବାରୁ ଚଳିତବର୍ଷ ଚାଷ ସମ୍ପୁର୍ଣ୍ଣ ଉଜୁଡିଜିବ ବୋଲି ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ଶତାଧିକ ଚାଷୀ ଏବେ ଋଣ ପରିଷୋଧ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ସବୁଠାରୁ ବଡକଥା ହେଲା ୪ଦିନ ହେଲା ଗୃହପାଳିତ ପଶୁ କ୍ଷତକୁ ଯାଇ ନପାରି ଗୋଠରେ ବନ୍ଧା ହୋଇଥିଲେ ମଧ୍ୟ ଖାଦ୍ୟ ଅଭାବରୁ ଭୋକିଲା ହୋଇ ପଡିଛନ୍ତି। ହେଲେ ଏପ୍ରର୍ଯ୍ୟନ୍ତ କୈାଣସି ସରକାରୀ ସହାୟତା ମିଳିନଥିବାରୁ ବିପନ୍ନଙ୍କ ଦୁର୍ଦଶା ଦୁଇଗୁଣିତ ହୋଇଛି। ବନ୍ୟା ସର୍ମ୍ପକରେ ଆରଡି ଆର.ଆଇଙ୍କୁ ପଚାରିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟାଞ୍ଚଳର କ୍ଷେତ୍ର ପରିଦର୍ଶନ କରାଯାଇଛି। ଏପରିକି ବନ୍ୟାକୁ ମୁକାବିଲା କରିବା ପାଇଁ ସରକାରୀ ବୋଟ, ଲାଇଫ୍ ଜାକେଟ ଓ ସମସ୍ତ ପ୍ରକାର ଆନୁସଂଗିକ ବ୍ୟବସ୍ଥା ରଖା ଯାଇଛି। ତାହାସହ ପ୍ରାଥମିକ ଭାବେ ବନ୍ୟାଞ୍ଚଳରେ ଗୋଖାଦ୍ୟ ଖୁବ୍ଶିଘ୍ର ପ୍ରଦାନ କରାଯିବା ପାଇଁ ତହସିଲି ପକ୍ଷରୁ ସୂଚନା ମିଳିଛି। ବନ୍ୟାଞ୍ଚଳରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠନେତା ମନମୋହନ ସାମଲ ବିପନ୍ନଙ୍କୁ ଭେଟିବା ସହ ନାନା ସମସ୍ୟା ବୁଝିଥିଲେ। ସେହିପରି କଂଗ୍ରେସ ଦଳର ନେତା ମନୋଜ ବିଶ୍ୱାଳଙ୍କ ସହ ବହୁ ନେତା ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *