ଓଡ଼ିଶା

ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଇସ୍ପାତ ସହରାଞ୍ଚଳରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବରେ ଦେଖା ଦେଇଛି। ଯେଉଁଠି ପାରିଲା, ଯିଏ ଇସ୍ପାତ କାରଖାନାର ଜମି ମାଡ଼ି ବସିଲା। ଦୀର୍ଘ ଦିନ ଧରି ଏହି ଜବରଦଖଲ କାର୍ଯ୍ୟଟି ଚାଲି ଆସୁଛି। ଏହାକୁ ନେଇ ଅନେକ ସମୟରେ ଜବରଦଖଲକାରୀ ଓ ଇସ୍ପାତ କାରଖାନା କର୍ମଚାରୀଙ୍କ ଭିତରେ ବହୁ ବାଦବିବାଦ ଓ ଗଣ୍ଡଗୋଳ ମଧ୍ୟ ଚାଲି ଆସିଛି। ଏହାକୁ ନେଇ ବହୁ ମାମଲା କୋର୍ଟରେ ବିଚାରାଧୀନ ମଧ୍ୟ ଅଛି। ତେବେ ଜବରଦଖଲ ଉଛେଦ କରିବାକୁ ଯାଇଥିବା ଆରଏସପି କର୍ମଚାରୀଙ୍କୁ ମାଡମାରି ଜନୈକ ତଥାକଥିତ ନେତା ହରଡଘଣାରେ ପଡିବା ସହରରେ ଚର୍ଚ୍ଚା ହେଉଛି। ଗତ ଶୁକ୍ରବାର ଦିନ ସେକ୍ଟର-୧୬ରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ଇସ୍ପାତ କାରଖାନା ତରଫରୁ ଲିଜ୍ ଓ ଲାଇସେନ୍ସରେ ଶତାଧିକ ଲୋକଙ୍କୁ ଘର ଆବଣ୍ଟନ କରାଯାଇଛି। ଯେଉଁମାନେ ଲାଇସେନ୍ସ ଓ ଲିଜ୍ରେ ଘର ନେଇଛନ୍ତି, ସେମାନେ ନିଜର ଆବଣ୍ଟିତ ସ୍ଥାନରେ କିଛି ପରିମାଣରେ ଅଧିକ ଘର ନିର୍ମାଣ କରୁଛନ୍ତି। କିନ୍ତୁ ଅନେକ ଜାଗାରେ ଆବଶ୍ୟକତାଠୁ ଅଧିକ ଜାଗାରେ ଚାଲୁଥିବା ନିର୍ମାଣ କାର୍ଯ୍ୟକୁ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ବିରୋଧ କରାଯାଉଛି। ଏହିଭଳି ଏକ ଘଟଣା ଦେଖାଯାଇଛି ସେକ୍ଟର-୧୬ ସ୍ଥିତ ଡି/୧୪୫, ଡି/୧୭୫ ଓ ଡି/୧୭୬ ଘରଠାରେ। ଏହି ଘରମାନଙ୍କର ଲାଇସେନ୍ସି ହୋଲ୍ଡରମାନଙ୍କୁ ଭେଟିବା ପାଇଁ ଓ ଅଧିକ ଜବରଦଖଲକୁ ନିଜେ ନିଜେ ହଟାଇ ନେବାକୁ ଅନୁରୋଧ କରିବାକୁ କାରଖାନାର ନିଜର ଉପମହାପ୍ରବନ୍ଧକ ଜି.ଆର. ଦାସ ଓ ଅନ୍ୟାନ୍ୟ ଶ୍ରମିକ, କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ପ୍ରଥମେ ଡି/୧୪୫ ଓ ଡି/୧୭୫ ଘରର ଲାଇସେନ୍ସି ହୋଲ୍ଡରମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ଦାସ ଡି/୧୭୬ର ଲାଇସେନ୍ସ ହୋଲ୍ଡରଙ୍କୁ ଭେଟି କଥା ହେବାକୁ ଉଦ୍ୟମ କରୁଥିବା ସମୟରେ ଡି/୧୭୬ରେ ରହୁଥିବା ଜନୈକ ବ୍ୟକ୍ତି, ବସନ୍ତ ପ୍ରଧାନ ଓ ତାଙ୍କର ଦୁଇଜଣ ସମ୍ପର୍କୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆକ୍ରମଣ କରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଏପରିକି ଜାତିକୁ ନେଇ ଗାଳିଦେବା ଭଳି ସଂଗୀନ ମାମଲା ଶ୍ରୀ ପ୍ରଧାନଙ୍କ ନାମରେ ରୁଜୁ ହୋଇଛି। ଏହାକୁ ନେଇ ଇସ୍ପାତ କାରଖାନା କର୍ମଚାରୀ ଓ ଅଧିକାରୀ ମହଲରେ ଚାପା ଉତ୍ତେଜନା ଦେଖାଦେଇଛି। କାରଖାନା ସମ୍ପତ୍ତିର ସୁରକ୍ଷା ପାଇଁ କାର୍ଯ୍ୟରତ, ଶ୍ରମିକ-କର୍ମଚାରୀମାନଙ୍କୁ, କର୍ମକ୍ଷେତ୍ରରେ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ନଦେଲେ କାମ କରିବେ ନାହିଁ ବୋଲି ଏବେ ନିଷ୍ପତ୍ତି ନିଆଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳି ଦାବି କରିଛନ୍ତି। ଇସ୍ପାତ କାରଖାନାର ଅବ୍ୟବହୃତ ଜମିକୁ ବାସଚ୍ୟୁତ୍ମାନଙ୍କୁ ଫେରାଇ ଦେବାକୁ ଗୋଟିଏ ପଟେ ଦାବି ହେଉଥିବାବେଳେ, ଅନ୍ୟପଟେ ଲିଜ୍ ଓ ଲାଇସେନ୍ସଧାରୀମାନେ ବେଲଗାମ ଭାବରେ ଗୃହ ନିର୍ମାଣ କରିଚାଲିଛନ୍ତି। କାରଖାନା କର୍ମଚାରୀମାନଙ୍କୁ ଭୟଭୀତ କରି, ଆବଶ୍ୟକ ସ୍ଥଳେ ବାଡ଼ାପିଟା କରି ଜବରଦଖଲ କରିବା ଏବେ ସହରରେ ଏକ ବେପାର ପାଲଟି ଗଲାଣି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଏକ ନିର୍ଭରଯୋଗ୍ୟ ସୂତ୍ରର ଖବର ଅନୁଯାୟୀ ମାମଲାକୁ ଦଫାରଫା କରିବାକୁ ବହୁ ତୁଙ୍ଗ ରାଜନୈତିକ ନେତା ମୁଣ୍ଡ ପୁରାଇଛନ୍ତି। ଗୋଟିଏ ପଟେ ଇସ୍ପାତ କାରଖାନା ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ରାଜନୈତିକ ହସ୍ତକ୍ଷେପରେ ମାମଲା ବନ୍ଦ କରିବାକୁ ଚାଲିଥିବା ଉଦ୍ୟମକୁ ଅନେକେ ନାପସନ୍ଦ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top