ad
ଓଡ଼ିଶା

ଆରଏମ୍ସି ଗେଟ୍ ଉଚ୍ଛେଦରୁ ଟିକସ ଫାଙ୍କୁଛନ୍ତି ବେପାରୀ : ଓଡ଼ିଶା ଧାନ ରାତି ଅଧିଆ ଆନ୍ଧ୍ର ଚାଲାଣ

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଏମ୍ସି ଗେଟ୍ ଉଚ୍ଛେଦ ପରେ କୋଟି କୋଟି ଟଙ୍କାର ଟିକସ ଫାଙ୍କୁଛନ୍ତି ଆନ୍ଧ୍ର ଧାନ ବେପାରୀ। ବିନା ଟିକସରେ ଜିଲାରୁ ଶହ ଶହ ଟ୍ରକ୍ ଧାନ ବେପାରୀଙ୍କ ଜରିଆରେ ଆନ୍ଧ୍ର ଚାଲାଣ ହୋଇଯାଉଥିବା ବେଳେ ଜିଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ସରକାରୀ ଭାବେ ଏବେ ଜିଲାରୁ ପ୍ରାୟ ୧୭ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବାବେଳେ ଆନ୍ଧ୍ର ବେପାରୀଙ୍କ ଜରିଆରେ ଜିଲାରୁ ପ୍ରାୟ ୧୫ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଆନ୍ଧ୍ର ଚାଲାଣ ହୋଇସାରିଥିବା କୁହାଯାଉଛି। ଯେଉଁଥିରୁ ଭଦ୍ରକ ଆରଏମ୍ସିଙ୍କୁ ଅନ୍ୟୁନ ପକ୍ଷେ ୫ କୋଟି ଟଙ୍କାର ଧାନ ଟିକସ ମିଳିବା କଥା। ହେଲେ ଆରଏମ୍ସି ସୂଚନା ଅନୁଯାୟୀ ଏହି ବାବଦକୁ ଆରଏମ୍ସିକୁ ମାତ୍ର ୬୦ ଲକ୍ଷ ଟଙ୍କାର ଧାନ ଟିକସ ମିଳିଛି। ଅର୍ଥିାତ୍ ବିନା ଟିକସରେ ଜିଲାରୁ ଅନ୍ୟୁନପକ୍ଷେ ସାଚେ ଚାରିକୋଟି ଟଙ୍କାର ଧାନ ଜିଲା ବାହାରକୁ ଚୋରା ଚାଲାଣ ହୋଇଯାଇଛି। ଆରଏମ୍ସି କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଗେଟ୍ ଉଠିଯାଇଥିଲେ ମଧ୍ୟ ଜିଲା ବାହାରକୁ ଯାଉଥିବା ଧାନରୁ ଆରଏମ୍ସି ୨ ପ୍ରତିଶତ କରି ଧାନ ଟିକସ ସଂଗ୍ରହ କରିଥାନ୍ତି। ହେଲେ ଆରଏମ୍ସି କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଆନ୍ଧ୍ର ବେପାରୀ ମାନେ ରାତିଅଧିଆ ଜିଲାରୁ ଧାନ ଚାଲାଣ କରିଦେଉଥିବା ଯୋଗୁଁ ଆରଏମ୍ସିଙ୍କୁ ଏହି ଟିକସର ହାତ ଧୋଇବାକୁ ପଡିଛି। ଅନୁରୂପ ପ୍ରତିବର୍ଷ ଭଦ୍ରକ ଜିଲାରୁ ଉଭୟ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଧାନ ଚାଲାଣ ହୋଉଥିବାବେଳେ ଚଳିତବର୍ଷ କିନ୍ତୁ ସ୍ଥିତି ଭିନ୍ନ ଧରଣର ହୋଇଛି। ଜିଲାରୁ ବେଂଗଲ ଧାନ ଚାଲାଣ ଏକ ପ୍ରକାର ବନ୍ଦ ହୋଇଯାଇଥିବାବେଳେ ୯୦ ପ୍ରତିଶତ ଧାନ କେବଳ ଆନ୍ଧ୍ର ଚାଲାଣ ହୋଇଛି। ଧାନ ଅମଳ ହେବା ଠାରୁ ଗାଁ ଗାଁରେ ଆନ୍ଧ୍ର ବେପାରୀମାନେ ସେମାନଙ୍କ ଜାଲ ବିଛାଇ ଦେଇଛନ୍ତି। କୁହାଯାଇଛି ସରକାରୀ ନେଟ୍ୱାର୍କିଂ ଠାରୁ ଆନ୍ଧ୍ର ଧାନ ବେପାରୀଙ୍କ ନେଟ୍ୱାର୍କିଂ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବାରୁ ସରକାରଙ୍କ ଅପେକ୍ଷା ଆନ୍ଧ୍ର ବେପାରୀଙ୍କ ଜରିଆରେ ଅଧିକ ଧାନ ଆନ୍ଧ୍ର ଚୋରା ଚାଲାଣ କରାଯାଇଛି। ଆରଏମ୍ସି ସୂଚନା ଅନୁଯାୟୀ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସରକାରୀ ଧାନ ସଂଗ୍ରହରୁ ଆରଏମ୍ସିଙ୍କୁ ପାଖାପାଖି ସାଢେ ତିନି କୋଟି ଟଙ୍କାର ଧାନ ଟିକସ ମିଳିଥିବା ବେଳେ ବେସରକାରୀ ଧାନ ସଂଗ୍ରହରୁ ମାତ୍ର ୬୦ ଲକ୍ଷ ଟଙ୍କା ମିଳିଛି। ସେହିଭଳି ଚଳିତବର୍ଷ ସରକାରୀ ଧାନ ସଂଗ୍ରହରୁ ଆରଏମ୍ସିଙ୍କୁ ଅନ୍ୟୁନ ପକ୍ଷେ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଧାନ ଟିକସ ସଂଗ୍ରହ କରିବ ବୋଲି ଆରଏମ୍ସି କର୍ତ୍ତୃପକ୍ଷ ସମ୍ଭାବନା ପ୍ରକଟ କରିଥିବାବେଳେ ବେସରକାରୀ ଧାନ ସଂଗ୍ରହ କ୍ଷେତ୍ରରେ ଟିକସ ହାନିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ ସରକାରୀ ଭାବେ ଚଳିତବର୍ଷ ଜିଲାରେ ବଳକାଧାନ ପରିମାଣ ପ୍ରାୟ ୪୦ ଲକ୍ଷ କ୍ୱିଣ୍ଟାଲ ହୋଇଥିବା ଯୋଗୁଁ ସେଥିରୁ ଆରଏମ୍ସିଙ୍କୁ ୨ ପ୍ରତିଶତ ଧାନ ଟିକସ ହିସାବରେ ଅନ୍ୟୁନ ପକ୍ଷେ ୧୪ କୋଟି ଟଙ୍କାର ଧାନ ଟିକସ ସଂଗ୍ରହ ହେବା କଥା। ହେଲେ ଆନ୍ଦ୍ର ବେପାରୀଙ୍କ ହାତରେ ଧାନର ଚୋରା ଚାଲାଣ ଯୋଗୁଁ ଧାର୍ଯ୍ୟଲକ୍ଷ୍ୟର ୫୦ ପ୍ରତିଶତ ଟିକସ ସଂଗ୍ରହ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top