ସ୍ୱାଧିନତା ଦିବସ ବିଶେଷ

ଆମ ସ୍ୱାଧୀନତା : କିଛି କଥା, କିଛି ବ୍ୟଥା

ଡକ୍ଟର ସର୍ବେଶ୍ୱର ସେଣ

ଗଙ୍ଗା, ଯମୁନା, ସରସ୍ୱତୀରେ ବହିଗଲାଣି କାହିଁ କେତେ ପାଣି, କିଏ ବା ହିସାବ ରଖୁଛି ମହାକାଳର ଏହି ଗତି ପ୍ରକୃତିକୁ? ତା’ରି ପ୍ରଭାବରେ ନିୟନ୍ତ୍ରିତ ପୃଥିବୀରେ ଘଟୁଥିବା ପ୍ରତିଟି ଘଟଣା, ଠିକ୍ ସେମିତି ଆମ ସ୍ୱାଧୀନତା, ୧୯୪୭ ମସିହାର ଅବୋଧ ଶିଶୁ ଏବେ ୬୮ ବର୍ଷରେ ପାଦ ଥାପିଲାଣି। ଏହି ପୁଣ୍ୟ ତିଥିଟି ପାଇଁ କେତେ କ’ଣ ସଂଗ୍ରାମ, ତ୍ୟାଗ, ତିତୀକ୍ଷା, ଆତ୍ମବଳି ଏକଦା ଥିଲା ଏହା ଇତିହାସ, ଏବେ କିନ୍ତୁ ବିସ୍ମୃତି ଆଡେ଼ ମୁହାଁଇଲାଣି। ମୁକ୍ତି ସଂଗ୍ରାମକାଳୀନ ଜନଚିତ୍ତରେ ପ୍ରବାହିତ ଦେଶପ୍ରୀତି ପ୍ରବଣତାରେ ମଧ୍ୟ ଭଟ୍ଟା ପଡ଼ିଲାଣି। ତଥାପି ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସରେ ଏ ଜାତି ଚେଇଁ ଉଠେ। ପୂରୁବ ଗୌରବ, କୀର୍ତ୍ତି, ଖ୍ୟାତିର ଉଦବୋଧନରେ ସାରା ଦେଶ ବିହ୍ୱଳ। ପୁନଶ୍ଚ ଆର ସନକୁ। ମଝି ସମୟ ସମ୍ପୂର୍ଣ୍ଣ ନିରବ, ନିଥର, ନିସ୍ପନ୍ଦ। କେବଳ ଶ୍ରେଣୀକକ୍ଷରେ ମୁକ୍ତି ସଂଗ୍ରାମକାଳୀନ ଚିତ୍ରର ଶିକ୍ଷାଦାନ କିଛି ପରିମାଣରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୁଦ୍ଧ କରେ। ମାତ୍ର ସ୍ୱାଧୀନତା ପ୍ରାପ୍ତିର ପୂର୍ବ ପର ଅବସ୍ଥା ଏକ ଭିନ୍ନ ଆଦର୍ଶ, ଦର୍ଶନ, ଚଳଣି ଉପରେ ପର୍ଯ୍ୟବସିତ ସତରେ ଆମ ସ୍ୱାଧୀନତା କଥା ବ୍ୟଥାକୁ ନେଇ ବହୁ ଯୁଗୋପଯୋଗୀ ଚିନ୍ତନର ବେଳ ଏବେ ସମୁପଗତ ନୁହେଁ କି?

ଭାରତ ସ୍ୱର୍ଣ୍ଣପ୍ରସୂ, ବୀର ପ୍ରସବିନୀ ମାତ୍ର ପରାଧୀନ କାଳରେ ତା’ର ଏକତା, ଐକ୍ୟ, ସଂଘବଦ୍ଧ ଭାବେ ଶତ୍ରୁ ବିପକ୍ଷରେ ଲଢ଼ିବାର ମାନସିକତା ଉପରେ ବହୁ ପ୍ରଶ୍ନବାଚୀ। ସାତସମୁଦ୍ର ତେର ନଈ ପାରିହୋଇ ଗୋଟିଏ ବଣିକ ଜାତି ଆମ ରାଜନୀତିକ ସ୍ୱାଧୀନତାକୁ ଅପହରଣ କଲା, ଅବା ସେଇ ଇଂରେଜମାନଙ୍କ ହାତକୁ ଆମ ନପାରିବା ପଣରୁ ଭାରତ ଶାସନ ଗଲା, ତାହା ଊଣା ଅଧିକେ ସଭିଁଙ୍କୁ ଜଣା। ୧୭୫୭ ମସିହା, ପଲ୍ଲାସୀ ଯୁଦ୍ଧ, ବଙ୍ଗର ନବାବ ସିରାଜଉଦୌଲା, ଇଷ୍ଟଇଣ୍ଡିଆ କମ୍ପାନୀ ସେନାର ନେତୃତ୍ୱ ନେଇଥିବା ଲଡର଼୍ କ୍ଲାଇବ୍। ଚାଲିଛି ମହାସମର ମାତ୍ର ନିରାପଦ ଦୂରତାରେ ରହି ଶହଶହ ଭାରତୀୟ ଦେଖୁଛନ୍ତି ଏହି ଯୁଦ୍ଧକୁ। ସେମାନେ ଯଦି ହାତରେ ଖଣ୍ଡେଖଣ୍ଡେ ଲାଠି ଧରି ଇଂରେଜମାନଙ୍କ ସହ ଲଢ଼ିଥାନ୍ତେ, ତାହେଲେ ଆଙ୍ଗୁଠି ଗଣତି କେତେକ ଇଂରେଜ ସୈନ୍ୟ ନିଶ୍ଚୟ ଭୂଲୁଣ୍ଠିତ ହୋଇଥାନ୍ତେ। ଏକଥାଟି କ୍ଲାଇବଙ୍କ ଆତ୍ମ ଜୀବନରେ ଉଲ୍ଲେଖ ରହିଛି। ଯୁଦ୍ଧ ଜୟ ପରେ ଇଂରେଜମାନଙ୍କର ମୂଳଦୁଆ ସୁଦୃଢ଼ ହେଲା। ଏଣିକି ଶୋଷଣ, ଲୁଣ୍ଠନ, ରାଜକୋଷ ଲୁଟ୍। ଏକଚାଟିଆ ଲବଣ ବେପାର, ଚିରସ୍ଥାୟୀ ବନ୍ଦୋବସ୍ତ, ଜମିଦାର ବା ଲର୍ଡଗୋଷ୍ଠୀ ସୃଷ୍ଟି ଭଳି ନାନା ପଦକ୍ଷେପ ଇଂରେଜମାନେ ପର୍ଯ୍ୟାୟକ୍ରମେ ନେଇଥିଲେ। ଏଗୁଡ଼ିକ ଥିଲା ସମ୍ପୂର୍ଣ୍ଣ ଜନସ୍ୱାର୍ଥ ବିରୋଧୀ। ପୁନଶ୍ଚ ୧୦୦ ବର୍ଷ ପରେ, ୧୮୫୭ ମସିହା ସିପାହୀ ବିଦ୍ରୋହ, ଭାରତୀୟ ସିପାହୀମାନଙ୍କର ଧର୍ମ ନାଶ ଭୟରେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ, ଏଥିରେ କର୍ଣ୍ଣଧାର ଥିଲେ ନାନାସାହେବ, ଝାନ୍ସୀରାଣୀ ଲକ୍ଷ୍ମୀବାଈ, ତାନ୍ତିଆ ତୋପେ। ଏହି ବିଦ୍ରୋହକୁ ସହଜରେ ଦମନ କରାଗଲା। ଓଡ଼ିଶାର ଚାଖିଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏଙ୍କ ଭୂମିକା ପ୍ରଥମ ମୁକ୍ତି ସଂଗ୍ରାମରେ ଥିଲା ଉଚ୍ଚ ପ୍ରଶଂସନୀୟ। ଭାରତୀୟମାନଙ୍କୁ ପୁଣି ଏକ ଶତାବ୍ଦୀରୁ ୧୦ ବର୍ଷ କମ୍ କାଳ ଲାଗିଲା ସେଇ ଇପ୍ସିତ ସ୍ୱାଧୀନତାଟିକ ପାଇବା ଲାଗି। ଏମିତି ଏକ ରାଜନୀତିକ ପ୍ରେକ୍ଷାପଟ୍ଟକୁ ତର୍ଜ୍ଜମା କଲେ ବେଳେବେଳେ ନିରାଶ ହେବାକୁ ପଡେ଼। ସତରେ କ’ଣ ଭାରତବାସୀ ବଡ଼ ସାହସୀ? ଏଇ ମହାନ ଉକ୍ତିର ମୂକସାକ୍ଷୀ ହିଁ କାଳ। ସେ ପରଖିବ ସତ ମିଛ!

ଜାତି ମୁକ୍ତି ସଂଗ୍ରାମ ଏକ ଗରିଆନ ଅଧ୍ୟାୟ। ମା’କୁ ବେଢ଼ି, ଶୃଙ୍ଖଳମୁକ୍ତ କରିବାରେ ଭାରତବାସୀ ମଧ୍ୟ ଊଣା କରିନାହାନ୍ତି। ଚରମପନ୍ଥା, ନରମପନ୍ଥା ଏଇ ଆଦର୍ଶ ଅନୁଗାମୀମାନେ ଆପଣା ଆପଣା ଢଙ୍ଗରେ ତ୍ୱରାନ୍ୱିତ କରିଥିଲେ ମୁକ୍ତିଯୁଦ୍ଧକୁ। ଗୋଟେ ବ୍ୟକ୍ତି, ଗୋଟେ ଆଦର୍ଶ, ଗୋଟେ ଅନୁଚିନ୍ତନ କୌଣସି ଜାତିକୁ ସ୍ୱାଧୀନ କରି ପାରିନି। ଠିକ୍ ସେମିତି ଆମ ଭାରତବର୍ଷରେ ଘଟିଛି। ନେଜାତୀ ସୁଭାଷ ବୋଷଙ୍କ ଦୂରନ୍ତ ଆହ୍ୱାନ, ପ୍ରେରଣା, ଇଂରେଜମାନଙ୍କ ବିରୋଧରେ ଲଢ଼ିବାର ଦୁଃସାହସ ଏକ ସମୟରେ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲା। ସେ ରେଙ୍ଗୁନ୍ଠାରେ “ଦିଲ୍ଲୀ ଚଲୋ’ ଡାକରା ଦେଲେ, ୫୦ ହଜାର ଆଜାଦ୍ ହିନ୍ଦ୍ ଫୌଜଙ୍କ ସମାବେଶ, ସେମାନେ ୧୯୪୪ ମସିହାରେ ୨୪ ହଜାର ବର୍ଗ କିଲୋମିଟର ଦଖଲ କଲେ। ମଣିପୁର ଇମ୍ଫାଲଠାରେ ନେତାଜୀ ପ୍ରଥମ କରି ଅସ୍ଥାୟୀ ସରକାର ଗଠନ ସହ ଭାରତୀୟ ତ୍ରିରଙ୍ଗାକୁ ଉତ୍ତୋଳନ କରିବାରେ ସେ ଥିଲେ ପ୍ରଥମ ଭାରତୀୟ। ସୁଭାଷଙ୍କ ପରଲୋକ ହେଲା ଏବଂ ଇଂରେଜ ସରକାରଙ୍କ ବିପକ୍ଷରେ ଅସ୍ତ୍ରରେ ଲଢ଼ିବାର ଅଧ୍ୟାୟ ଅନ୍ତ ହେଲା ମାତ୍ର ତାଙ୍କର ତ୍ୟାଗ, ଦେଶଭକ୍ତି ଚିରଉଜ୍ଜ୍ୱଳ ଇତିହାସ ପୃଷ୍ଠାରେ। ଏହି ମହାନ ଦେଶଭକ୍ତ ଏବେ ବିସ୍ମୃତ ପ୍ରାୟ। ମୁକ୍ତି ସଂଗ୍ରାମ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ। ଅସହଯୋଗ, ଆଇନ ଅମାନ୍ୟ, ବ୍ୟକ୍ତିଗତ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ପ୍ରତିଟି କ୍ଷେତ୍ରରେ ଥିଲା ଏହି ମହାମାନବଙ୍କ ଅବିସମ୍ବାଦିତ ନେତୃତ୍ୱ। ସତ୍ୟ, ସତ୍ୟାଗ୍ରହ, ଅହିଂସା ଏହି ମୂଳମନ୍ତ୍ରରେ ବିହ୍ୱଳ ସାରା ଭାରତବାସୀ। ଗାନ୍ଧିଜୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୀତି ଭିତ୍ତିକ ଦର୍ଶନ, ନିରଳସ ଜୀବନଯାପନ ପ୍ରଣାଳୀ ଏ ସବୁଥିରେ ବିମୋହିତ କୋଟି କୋଟି ଜନତା ତାଙ୍କୁ ଯୁଗପୁରୁଷ, ଅବତାର, କେହି କେହି ମଧ୍ୟ ଭyଗବାନ ଭାବେ ଗ୍ରହଣ କଲେ। ତାଙ୍କରି ନେତୃତ୍ୱରେ ଅହିଂସ ଆନ୍ଦୋଳନ ରୂପକ ଅସ୍ତ୍ର ଭାରତୀୟ ସ୍ୱାଧୀନତା ପ୍ରାପ୍ତିର ଅସଲ କୁଞ୍ଚିକାଠି ଥିଲା।

୧୯୪୭, ଅଗଷ୍ଟ ୧୫, ଦିଲ୍ଲୀର ଲାଲକିଲ୍ଲାଠାରେ ଉଡ଼ିଲା ଜାତୀୟ ପତାକା, ସାରା ଭାରତବର୍ଷ ବିଭୋର। ଏକ ସୁଦୂରପ୍ରସାରୀ ଆଶା ଆକାଂକ୍ଷା ଦେଶ ସ୍ୱାଧୀନ ହେବ, ଘିଅ ମହୁର ଶାନ୍ତି ଚହଟିବ ରହିବନି କଷଣ ଦୂଷଣ ଏ ସବୁ ଚାପି ହୋଇ ରହିଲା କ୍ଷମତା ରାଜନୀତିର ନାଲିଫିତା ତଳେ, ଯୋଉ କଷଣକୁ ସେଇ ଦୁଃଖ। ବିଚାରା ସାଧାରଣ ସଂଗ୍ରାମୀଟି ମନମରା। ଜାତୀୟ କଂଗ୍ରେସକୁ ଗାନ୍ଧିଜୀ ବାରଣ କରିଥିଲେ, କ୍ଷମତା ରାଜନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ, କିଏ ବା ମାନିଲା? ସ୍ୱାଧୀନତାର ଗୋଟିଏ ବର୍ଷ ପରେ (୧୯୪୮), ଗାନ୍ଧିଜୀଙ୍କୁ ପ୍ରାଣବଳି ଦେବାକୁ ହେଲା ଜଣେ ଆତତାୟୀ ହାତରେ। ଗାନ୍ଧିଯୁଗ (୧୯୨୦- ୧୯୪୮)ର ଅନ୍ତ ହେଲା ସତରେ ନୂଆଯୁଗ, ସବୁ ଓଲଟପାଲଟ ହୋଇଗଲାଣି, ମଣିଷ ବଦଳି ଗଲାଣି। ସବୁ ନୂଆ, ସେଦିନକୁ ଭୁଲିଗଲେଣି। ଶହଶହ ବର୍ଷ ଧରି ପରାଧୀନ ଗୋଟାଏ ଜାତି ଏକଛତ୍ର ଶାସନରେ ଅଭ୍ୟସ୍ତ, ପିଞ୍ଜରାବଦ୍ଧ ପକ୍ଷୀକୁ ଛାଡ଼ିଦେଲେ ଯାହା, ଆମର ପ୍ରାୟ ସେଇ ଅବସ୍ଥା। ଏବେ ବି, ମିର୍ଜାଫରମାନେ ସାରା ଦେଶରେ ଛାଇ ହୋଇ ରହିଛନ୍ତି। ସେମାନଙ୍କ ପ୍ରତି ସାବଧାନ ରହିବା ଏକାନ୍ତ କାମ୍ୟ। ପରାଧୀନ ଶବ୍ଦଟା ଏବେ ଭାରଈ ପୁରୁଣା, ସେ ଶବ୍ଦର ପ୍ରୟୋଗ ଆଉ ନାହିଁ। ପରାଧୀନତା, ଔପନିବେଶିକତା ଅତି ପୁରାତନ ଐତିହାସିକ ଚିନ୍ତା, ସାମ୍ରାଜ୍ୟବାଦ ପୁଞ୍ଜିବାଦ ପରେ ଏକ ନୂତନବାଦର ଆରମ୍ଭ ତାହାହିଁ ପ୍ରଭାବ ପରିସର। ଭୌତିକ ପରାଧୀନତା ନୁହେଁ, ସାଂସ୍କୃତିକ, ବୌଦ୍ଧିକ ଦାସତ୍ୱ। ଏବେ ଆମେରିକା, ଚୀନ୍, ରୁଷ୍ ଭଳି ମହାଶକ୍ତିର ଆଡେ଼ କେବେ ଯେ ଆମକୁ ଢଳିବାକୁ ନ ପଡ଼ିବ, ଏକଥା କିଏ କହିବ? ଏଣୁ ବେଳହୁଁ ସଚେତନ ହେବା ବାଞ୍ଛନୀୟ। ସମ୍ପ୍ରତି କ୍ଷମତା, ପଦପଦବୀର ଅହେତୁକ ମୋହ, ଅର୍ଥ ରୋଜଗାର ଲାଳସାରେ ଅନ୍ଧସମାଜ, ମା’ ମାଟି ଭାଷା ପାଇଁ ମମତା କ୍ରମହ୍ରାସମାଣ। ଜନ ଜୀବନ ହନ୍ତସନ୍ତ, ଦହଗଞ୍ଜ ଜୀଇଁବା ଧାରା। ଅନେକତ୍ର ହିଂସା, ସନ୍ତ୍ରାସବାଦ, ଲାଲ ବାହିନୀଙ୍କର ନର ସଂହାର କ୍ଷୁଧା, ସେଦିନ ସହିଦ୍ ରକ୍ତରେ ଭିଜଈଥିଲା ଜାଲିଆନାଓ୍ୱାଲାବାଗ, ଭଦ୍ରକର ଇରମ ମାଟି। ଗୋଟେ ପଟେ ଅହିଂସା, ଆଉ ପଟେ ଇଂରେଜ ଫଉଜଙ୍କର ନର ରକ୍ତପାନ ପିପାସା। ଦବି ନଥିଲେ ସତ୍ୟାଗ୍ରହୀ, ବନ୍ଦ ହୋଇ ଯାଇନଥିଲା ମୁକ୍ତିସଂଗ୍ରାମ। ଅସତ୍ୟ ଉପରେ ସତ୍ୟର ବିଜୟ ଘଟିଲା। ଏବେ କିନ୍ତୁ ସବୁ ଓଲଟପାଲଟ। ସ୍ୱାଧୀନ ଦେଶର ନାଗରିକ କ’ଣ ଏବେ ଆଶ୍ୱସ୍ତ ଅବା ବିଶ୍ୱସ୍ତ ଭାରତ ମାତା ପାଖରେ? ଆଜି ସାରା ବିଶ୍ୱରେ ହିଂସା ସର୍ବତ୍ର ମୁଣ୍ଡବ୍ୟଥାର କାରଣ, ତାହାରି ବଶବର୍ତ୍ତୀ ହୋଇ ଅମଣିଷମାନେ ଭିଅଚ୍ଚଉଛନ୍ତି ଅମାନୁଷିକ, ନାରକୀୟ କାଣ୍ଡମାନ ସ୍ୱାଧୀନ ଦେଶରେ। ଏଥିପାଇଁ କଠୋରରୁ ଆହୁରି କଠୋର ଦଣ୍ଡବିଧାନ ନିତାନ୍ତ ଜରୁରୀ। ସୁଖ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ମଧ୍ୟ ଲୋଡ଼ା ପବିତ୍ର ମାନସିକତା। ଏଣୁ ହିଂସା ନୁହେଁ ଅହିଂସା ହିଁ ଫେରାଇ ଆଣି ପାରିବ ସେଇ ଆକାଂକ୍ଷିତ ଶାନ୍ତି ଟିକକ। ଅନ୍ତତଃ ପକ୍ଷେ ଆଜିର ପୁଣ୍ୟ ତିଥିରେ ବାପୁଙ୍କ ଆତ୍ମା ଶାନ୍ତି ପାଇବ ସେଇ ଅଜଣା ଇଲାକାରେ!
(ସୌଜନ୍ୟ – ଉତ୍କଳ ପ୍ରସଂଗ)
ସା/ପୋ: ପୁରୁଷୋତ୍ତମପୁର, କେନ୍ଦ୍ରାପଡ଼ା
ଭାୟା-କରିଲୋପାଟଣା
କେନ୍ଦ୍ରାପଡ଼ା, ପିନ-୭୫୪୨୨୩

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top