“ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ପ୍ରସଙ୍ଗରେ “ବିଚିତ୍ର ଜନତା ଦଳର ବିକୃତ ଶାସନ”: ବିଜେପି

– ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ରାଜସ୍ୱକୁ ଦଳୀୟ କର୍ମୀଙ୍କ ମଧ୍ୟରେ ବଂଟନ କରିବା ମୁଖ୍ୟମନ୍ତ୍ରୀଙ୍କ ସାମନ୍ତବାଦୀ ମନୋଭାବର ପରିଚୟ
– ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ସରକାର ଭେଳିକି ଚଳାଇଛି

ଭୁବନେଶ୍ୱର, ତା ୧୪/୦୭ (ଓଡ଼ିଆ ପୁଅ) : ସଂଘୀୟ ଗଣତନ୍ତ୍ର କଥା କହୁଥିବା ମୁଖ୍ୟମନ୍ତ୍ରୀ ପଂଚାୟତଗୁଡିକରେ ସମ୍ବିଧାନର ନିୟମକୁ ନିଜେ ପାଳନ କରୁନାହାଁନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତ୍ୟକ ପଂଚାୟତର ସ୍ୱାଧୀନତା ରହିଛି। ଗ୍ରାମ ପଂଚାୟତର ଜନପ୍ରତିନିଧୀମାନେ ସ୍ୱତନ୍ତ୍ରଭାବେ କାର୍ଯ୍ୟ କରିବା ଆବଶ୍ୟକ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଗ୍ରାମ ପଂଚାୟତ ଏବଂ ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ସଂଘୀୟ ଗଣତନ୍ତ୍ରର ନିୟମକୁ ଭୁଲି ଗ୍ରାମ ପଂଚାୟତ ଏବଂ ଜିଲ୍ଲାମାନଙ୍କରେ ନିଜ ଅଧୀନରେ କ୍ଷମତା ରଖି ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର ଆତ୍ମପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଗଣତନ୍ତ୍ର ପ୍ରତି ଉପହାସ ଅଟେ। ଏହା “ବିଚିତ୍ର ଜନତା ଦଳର ବିକୃତ ଶାସନ” ବୋଲି ରାଜ୍ୟ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ସଂଘୀୟ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ହତ୍ୟା କରି ମୁଖ୍ୟମନ୍ତ୍ରୀ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ଜରିଆରେ କେବଳ ଦଳୀୟ ଏବଂ ଆତ୍ମ ପ୍ରଚାର କରୁଛନ୍ତି। କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡିର ଏହା ଏକ ଭେଳିକି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶାସକ ଦଳର ବିଧାୟକମାନଙ୍କ ଇଙ୍ଗିତରେ ଜିଲ୍ଲାପାଳମାନେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାର ସମସ୍ତ ପଂଚାୟତ ଗୁଡିକୁ ବ୍ୟାପକ ଅର୍ଥ ଏବଂ କ୍ଷମତା ପ୍ରଦାନ କରିଛନ୍ତି। ରାଜ୍ୟସରକାର ନିଜ ସ୍ୱାର୍ଥ ପାଇଁ ଗ୍ରାମ ଗୁଡିକରେ କୈାଣସି ବିକାଶମୂଳକ କାର୍ଯ୍ୟ କରାଇ ଦେଉନାହାଁନ୍ତି। ବିଶେଷ ଭାବରେ ବିରୋଧୀ ଦଳରୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧିମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଭାବେ ନିର୍ବାଚିତ ପଂଚାୟତ ଅନୁଷ୍ଠାନଗୁଡିକ ମାଧ୍ୟମରେ ଅର୍ଥ ଆବଂଟନ କରୁଛନ୍ତି। କିନ୍ତୁ ଏଠି ବିଜେଡିର ମନ୍ତ୍ରୀ, ବିଧାୟକମାନେ ବ୍ଲକର ବିଡିଓ ଏବଂ ପିଇଓମାନଙ୍କୁ ହାତବାରିସୀ କରି ପଂଚାୟତ ବିକାଶର ବାଧକ ସାଜିଛନ୍ତି। ଏହି କାରଣରୁ ଗ୍ରାମସଭା ଓ ପଲ୍ଲୀସଭାର ନିଷ୍ପତି ଏବଂ ପଂଚାୟତର ଅନୁମୋଦନ ସତ୍ୱେ କୈାଣସି ବିକାଶମୁଳକ କାର୍ଯ୍ୟ ସଠିକ ଭାବେ ହୋଇପାରୁନାହିଁ। ରାଜ୍ୟରେ ଥିବା ପଂଚାୟତ ଗୁଡିକରେ ସରପଂଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରମାନେ ଅବହେଳାର ଶିକାର ହେବା କାରଣରୁ ନିର୍ବାଚନ ସମୟରେ ଭୋଟରମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

“ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ବିଜେଡି ଦଳର ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ସନ୍ତୁଷ୍ଟି କରିବା ପାଇଁ ପ୍ରୟାସ କରାଯାଉଛି। ମୁଖ୍ୟମନ୍ତ୍ରୀ ଘୋଷଣା ଅନୁଯାୟୀ ରାଜସ୍ୱ ପାଣ୍ଠିରୁ କୋଟି କୋଟି ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ସେହି ଅର୍ଥ ଗାଁ ର ବିକାଶ ନହୋଇ ଦଳୀୟ ନେତାଙ୍କ ମଧ୍ୟରେ ବଂଟାଯାଉଛି। ଏପରିକି ପ୍ରତି ଗାଁର କିଛି ମୁଷ୍ଟିମେୟ ଲୋକ ଏହି ଅର୍ଥକୁ ନିଜ ଅଧିନରେ ରଖିବାର ନଜିର ରହିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଜନପ୍ରତିନିଧିମାନେ ଏଥି ପାଇଁ ବିରୋଧ କରିବାରୁ ତାଙ୍କ ଉପରେ ପୋଲିସ ମାଡ ଦ୍ୱାରା ଲହୁଲୁହାଣ କରିବାକୁ ପଛାଇଲେ ନାହିଁ। ବଲାଙ୍ଗୀର ଜିଲ୍ଲାର ସଇଁତଲା, ପାଟଣାଗଡ ତଥା ଗୁଡଭେଲା ବ୍ଲକରେ କୈାଣସି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ନଡାକି କେବଳ ଶାସକ ବିଜେଡିର କର୍ମୀମାନଙ୍କ ଜରିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କରାଯାଉଛି। ଏହାକୁ ବିରୋଧ କରି ସେହି ନିର୍ବାଚିତ ପ୍ରତିନିଧିମାନେ ଆନ୍ଦୋଳନ କରିବା ସତ୍ୱେ ସରକାର କର୍ଣ୍ଣପାତ କରୁନାହାନ୍ତି। ସେହିପରି କିଛି ଦିନ ତଳେ ଅନୁଗୁଳ ବ୍ଲକରେ ଠିକାଦାରମାନଙ୍କୁ ‘ଆମ ଗାଁ ଆମ ବିକାଶ ଯୋଜନା’ ନିଲାମ ହୋଇଛି ବୋଲି ଅଭିଯୋଗ କରି କିଛି ବିଜେଡି କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରିଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଶାସକ ବିଜେଡି କେବଳ ତାଙ୍କ ଦଳୀୟ ନେତା ଓ କାର୍ଯ୍ୟକର୍ତାଙ୍କ ଥଇଥାନ ଉଦ୍ଦେଶ୍ୟରେ ଏଭଳି ଭେଳିକି କରି କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ରାଜ୍ୟରେ ବିଜେଡିରେ ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଥିବାରୁ ‘ଆମ ଗାଁ ଆମ ବିକାଶ ଯୋଜନା’ ତୃଣମୂଳସ୍ତରରେ ପହଂଚି ପାରୁନି। ଏପରିକି ପ୍ରତି ଗାଁକୁ ସମାନ ଅର୍ଥ ନଆସି ପାତରଅନ୍ତର ହୋଉଛି ବୋଲି ଅଭିଯୋଗ ହୋଇଛି। ଗତ ଏପ୍ରିଲ ୧୯ ତାରିଖରେ ମୟୁରଭଂଜ ଜିଲ୍ଲା ସାନଖୁଂଟାର ଆଦିବାସୀ ମହିଳା ସରପଂଚଙ୍କୁ ୯ଟି ପ୍ରକଳ୍ପ ପାଇଁ ୩୫ ଲକ୍ଷ ମଂଜୁର କରିଥିଲେ। କିନ୍ତୁ ପରେ ଏହି ଅର୍ଥ ସେହି ପଂଚାୟତ ବଦଳରେ ସଂପୂର୍ଣ୍ଣ ବ୍ଲକକୁ ଦେଇଥିଲେ ବିଭାଗୀୟ ସଚିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଦେଶକୁ ଅମାନ୍ୟ କରି କିଭଳି ବିଭାଗୀୟ ସଚିବ ନିର୍ଦ୍ଦେଶ ବଦଳାଇ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଚର୍ତୁଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ରାଜ୍ୟମାନଙ୍କୁ ଅଧିକ ୧୦ ପ୍ରତିଶତ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି। ପଂଚାୟତ ଅବା ମ୍ୟୁନିସପାଲିଟି ଅଂଚଳରେ ଲୋକ ପ୍ରତିନିଧୀମାନଙ୍କୁ କେନ୍ଦ୍ରସରକାର ସ୍ୱତନ୍ତ୍ର କ୍ଷମତା ସହ ବ୍ୟାପକ ଅର୍ଥ ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟସରକାର କେବଳ ପିସି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ ନିଜ ଅଧୀନକୁ ଆଣି ସେଗୁଡିକର ଦୁରୂପଯୋଗ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ପୂର୍ବରୁ ଘୋଷଣା ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ଏପଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ପ୍ରଳ୍ପକୁ ମଂଜୁରୀ ଦେଇ ପାରନ୍ତି କିନ୍ତୁ ସେହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହୁଏନାହିଁ। ବିଜେଡି ଗତ ୨୦୧୪ ନିର୍ବାଚନ ଶ୍ୱେତପତ୍ରରେ ଦେଇଥିବା ପ୍ରତିଶୃତିକୁ ୪ ବର୍ଷ ପୂରିଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ କୋଟି କୋଟି ଟଙ୍କାର ରାଜସ୍ୱ ଅର୍ଥକୁ ଦଳୀୟ କର୍ମୀଙ୍କ ମଧ୍ୟରେ ବଂଟନ କରି ମୁଖ୍ୟମନ୍ତ୍ରୀ ସାମନ୍ତବାଦୀ ମନୋଭାବର ପରିଚୟ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *