ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୧୬ ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୧-୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନୟାଗଡର ନୋତର ଗ୍ରାମ ପଞ୍ଚାୟତ, ରାୟଗଡାର କୋଲନରା, ନୂଆପଡାର ଭୁଲିଆସିକୁଆଁ ଓ ଭଦ୍ରକର ନାଆମୀ ପଞ୍ଚାୟତ ପାଇଁ ୧ କୋଟି ୧୬ ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ନୟାଗଡର ନୋତର ପଞ୍ଚାୟତର ୫ଟି ପ୍ରକଳ୍ପ, ରାୟଗଡ଼ା କୋଲନରାର ପଞ୍ଚାୟତ ପାଇଁ ୪ଟି ପ୍ରକଳ୍ପ, ଭଦ୍ରକ ନାଆମୀ ପଞ୍ଚାୟତ ପାଇଁ ୭ଟି ପ୍ରକଳ୍ପ ଓ ନୂଆପଡା ଭୁଲିଆସିକୁଆଁ ପଞ୍ଚାୟତ ପାଇଁ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ଦ୍ବାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଞ୍ଚାୟତ ଗୁଡିକର ସରପଞ୍ଚ ମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବାପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ। ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଚଳିତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *