ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଲକ୍‌ର ୯୭ଟି ପଞ୍ଚାୟତ ପାଇଁ ୨୩.୩୦ କୋଟି ଟଙ୍କାରେ ମଂଜୁର ହେଲା ୧୦୦୨ଟି ପ୍ରକଳ୍ପ

ଭୁବନେଶ୍ୱର ୦୫ ଜୁନ୍ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ, ବଲାଙ୍ଗୀର ଜିଲ୍ଲାର ସଇଁନ୍ତଳା ବ୍ଳକ, ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀ କୁକୁଡାଖଣ୍ଡି ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୧୪୨ଟି ପ୍ରକଳ୍ପ, ସଇଁନ୍ତଳା ବ୍ଳକର ୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୩୩ଟି ପ୍ରକଳ୍ପ, ଖଇରା ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୯.୩୬ କୋଟି ଟଙ୍କାରେ ୪୪୬ଟି ପ୍ରକଳ୍ପ ଓ ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୨.୯୪ କୋଟି ଟଙ୍କାରେ ୧୮୧ଟି ପ୍ରକଳ୍ପ ମଂଜୁର କରିଛନ୍ତି। ଏହିପରି ସମୁଦାୟ ୪ଟି ବ୍ଳକ୍‌ର ୯୭ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୩.୩୦ କୋଟି ଟଙ୍କାରେ ୧୦୦୨ଟି ପ୍ରକଳ୍ପ ମଂଜୁର କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପ ଗୁଡିକୁ ମିଳିମିଶି ଶୀଘ୍ର ସଂପୂର୍ଣ୍ଣ କରିବାପାଇଁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ଗୁଡିକ ପାଇଁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *