ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଦୁଗା ଗ୍ରାମ ପଞ୍ଚାୟତ ଓ ଅନୁଗୁଳ ଜିଲ୍ଲାର ବକେରା ପଞ୍ଚାୟତ ଏବଂ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଦୁର୍ଗା ଗ୍ରାମ ପଞ୍ଚାୟତର ୩୮ ଲକ୍ଷ ଟଙ୍କାରେ ୮ଟି, ଅନୁଗୁଳ ଜିଲ୍ଲାର ବଡକେରା ପଞ୍ଚାୟତର ୩୭ ଲକ୍ଷ ଟଙ୍କାରେ ୮ଟି ଏବଂ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡା ଗ୍ରାମ ପଞ୍ଚାୟତର ୪୦ ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।

ଭିଡିଓ କନ୍‌ଫରେନ୍ସି ଦ୍ବାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଞ୍ଚାୟତ ଗୁଡିକର ସରପଞ୍ଚ ମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବାପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡିକୁ ବିଚାର କରି ତୁରନ୍ତୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଉତ୍କଳ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ଅଭିନନ୍ଦଣ ଜଣାଇଥିଲେ।

ସୂଚନାଯୋଗ୍ୟ ଚଳିତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି। ଗତକାଲି ଛୁଟି ଥିବାରୁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *