ଆମ୍ବଗାଁରେ ପାଚେରୀ ନିର୍ମାଣ ଦାବି ; ଆନେ୍ଦାଳନକୁ ଓହ୍ଲାଇଲା ଏଲଡିପି ଓ ପାରିପାର୍ଶ୍ୱିକ ଗ୍ରାମ ମିଳିତ ସଂଘ

କୋରାପୁଟ:ତା୩୦-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଆମ୍ବଗାଁରେ ପାଚେରୀ ନିର୍ମାଣ ସମେତ ତିନିଦଫା ଦାବି ନେଇ ସୋମବାର ନାଲକୋ ଜମିହରା ସଂଘ(ଏଲଡିପି) ଓ ପାରିପାର୍ଶ୍ୱିକ ଗ୍ରାମ ମିଳିତ ସଂଘ ପକ୍ଷରୁ ଆନେ୍ଦାଳନ କରା ଯିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଦ୍ଧ କରା ଯାଇଥିଲା । ଆମ୍ବଗାଁରେ ପାଚେରୀ ନିର୍ମାଣ, ନାଲକୋ ମେଂଟେନାନ୍ସରେ ଶ୍ରମିକ ଭାବେ କାମ କରୁଥିବା ଆମ୍ବଗାଁର ୬୦-୭୦ ଜଣ ଲୋକଙ୍କୁ କାମରୁ ବାହାର କରିବା ଓ ଏଲଏପି ବାବଦରେ ପାଇଥିବା ଚାକିରୀରେ ଏଲଡିପିଙ୍କୁ ନିଯୁକ୍ତି ଦେବା ଦାବି କରି ଆନେ୍ଦାଳନ କରା ଯାଇଛି । ଆନେ୍ଦାଳନ ଯୋଗୁଁ ନାଲକୋ ପ୍ରଭାବିତ ହୋଇଥିବାବେଳେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । କୋରାପୁଟ ବ୍ଲକ ଉପାଧ୍ୟକ୍ଷ ମୂରଲୀ ଖରା, ମିଳିତ ସଂଘ ନେତା ଦୁର୍ଯୋଧନ କୁଳଦୀପ,ଦୀନବନ୍ଧୁ ମାଝି,ଭୀମ ଖୀଲ,କ୍ଷୀର ଚୌଧରୀ,ଭୀମ ମୁଦୁଲିଙ୍କ ସମେତ ମିଳିତ ସଂଘର ଶତାଧିକ ସଦସ୍ୟ ଓ ଗ୍ରାମବାସୀ ଭେଜାପୁଟ-ସେମିଲିଗୁଡା,ମାଥାଲପୁଟ-ନାଲକୋ ମାଇନ୍ସ,ମାଥାଲପୁଟ ବସଷ୍ଟାଣ୍ଡରୁ ନାଲକୋ ରିଫାଇନେରୀ ଫ୍ୟାକ୍ଟୋରୀ ରାସ୍ତା ଅବରୋଦ୍ଧ କରିବା ସହ ପ୍ଲାଂଟର ତିନୋଟି ପ୍ରବେଶ ଫାଟକରେ ଏକତ୍ରୀତ ହୋଇ କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡିନଥିଲେ । ନାଲକୋ ମାନବ ସମ୍ବଳ ବିଭାଗର ଏଜିଏମ୍ ସୂର୍ଯ୍ୟ ନାରାୟଣ ନାୟକ,ଉଦ୍ୟାନ ବିଭାଗ ଏଜିଏମ ଶଶାଙ୍କ ଶେଖର ମାଝି,ସୁନାବେଡା ଏସଡିପିଓ ନିରଂଜନ ବେହେରା,ଦାମନଯୋଡି ଥାନା ଅଧିକାରୀ ସହଦେବ ମହାପାତ୍ର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ସମସ୍ତ କର୍ମଚାରୀ ଓ ଠିକା ଶ୍ରମିକ ପ୍ଲାଂଟ ଭିତରକୁ ଯାଇନପାରି ଫେରି ଯିବାକୁ ବାଧ୍ୟ ହୋଇଥିଲେ । ସୂଚନା ଥାଉକି, ଦାମନଯୋଡି ସ୍ଥିତ ନେସନାଲ ଆଲୁମିନିଅମ୍ କମ୍ପାନୀ(ନାଲକୋ) ବହୁ ପୂର୍ବରୁ ଅଧୀଗ୍ରହଣ କରିଥିବା ଆମ୍ବଗାଁ ଅଂଚଳର ଜମି ଉପରେ ଚଳିତ ବର୍ଷ ପ୍ରାରମ୍ଭରେ ପାଚେରୀ ନିର୍ମାଣ କାମ ଆରମ୍ଭ କରିଥିବାବେଳେ ଆମ୍ବାଗାଁ ଓ ଅନ୍ୟ କେତେକ ଗ୍ରାମବାସୀ ପ୍ରବଳ ବିରୋଦ୍ଧ କରିଥିଲେ । ଫଳରେ ସେହି ଅଂଚଳରେ ପାଚେରୀ କାମ ବନ୍ଦ ହୋଇ ରହିଛି । ପାଚେରୀ ହେବା ଦ୍ୱାରା ସେମାନଙ୍କ ନିମନ୍ତେ ଯାତାୟତ ଅସୁବିଧା ହେବା ସହ ନାଲକୋ ସହିତ କୌଣସି ପ୍ରକାର ସଂଯୋଗ ରହିବ ନାହିଁ,ତେଣୁ ପାଚେରୀ କରା ନଯାଉ ବୋଲି ଆମ୍ବଗାଁ ଗ୍ରାମବାସୀ ଅଟଳ ରହିବା ଯୋଗୁଁ କାମ ବନ୍ଦ କରା ଯାଇଥିଲା । ତେବେ ବର୍ତମାନ ନାଲକୋ ଅତିଶିଘ୍ର ପାଚେରୀ ନିର୍ମାଣ କରୁ ବୋଲି ଜମିହରା ସଂଘ ଏବଂ ଅନ୍ୟାନ୍ୟ ପାରିପାଶ୍ୱିକ ଗ୍ରାମ ମିଳିତ ସଂଘ ଦାବି କରିଛି । ଗତମାସରେ ସଂଘ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇ ଆମ୍ବଗାଁରେ ନାଲକୋ ପାଚେରୀ ନିର୍ମାଣ କରିବାକୁ ଜଣାଇବା ସହ ବିଳମ୍ବ କଲେ ସଂଘ ଆନେ୍ଦାଳନ କରିବ ବୋଲି ଚେତାବନୀ ଦେଇଥିଲା । ବର୍ତମାନ ସୁଦ୍ଧା ନାଲକୋ କର୍ତୂପକ୍ଷ କାମ ଆରମ୍ଭ କରିନଥିବା ଘଟଣାକୁ ପ୍ରତିବାଦ କରି ଏଲଡିପି ଓ ପେରିଫେରିଆଲ୍ ଗ୍ରାମର ମିଳିତ ସଂଘ ଆଜି ଆନେ୍ଦାଳନ କରିଛି । ତେବେ ଆମ୍ବଗାଁ ମଧ୍ୟ ନାଲକୋର ପାରିପାଶ୍ୱିକ ଗ୍ରାମ ମାନଙ୍କ ମଧ୍ୟରେ ରହିଥିବାବେଳେ ଜମିହରା ସଂଘ ଓ ପେରିଫେରିଆଲ ଗ୍ରାମ ମିଳିତ ସଂଘ ଆମ୍ବଗାଁକୁ ବିରୋଦ୍ଧ କରିବାର କାରଣ କଣ ବୋଲି ପ୍ରଶ୍ନ ଉଠୁଛି । ସଂଘ ଭିତରେ ଫାଟ ସୃଷ୍ଟି କରିବାକୁ ନାଲକୋ ପ୍ରଶାସନ ଏପରି ଯୋଜନା କରିଥିବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *