ଆବାସ ଯୋଜନା ସ୍ୱପ୍ନ , ଭଙ୍ଗା ଘରେ ବିତୁଛି ଜୀବନ

ଢେଙ୍କିକୋଟ, ତା୦୬/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଟଘର ପଞ୍ଚାୟତ କାଶିବେଡ଼ା ଗ୍ରାମରେ ରହୁଥିବା ବିଧବା ହରିଜନ ଫୁଲମଣୀ ପାତ୍ରଙ୍କ ପରିବାର ପାଇଁ ସରକାରୀ ଆବାସ ଯୋଜନା ସ୍ୱପ୍ନ ହୋଇଛି । ଫଳରେ ଫୁଲମଣୀଙ୍କ ପାଞ୍ଚଜଣିଆ ପରିବାର ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି, ଯାହା ସରକାରୀ ବ୍ୟବସ୍ଥାକୁ ପରିହାସ କଲାପରି । କାଶିବେଡ଼ା ଗ୍ରାମର ସ୍ୱର୍ଗତ ବିଶ୍ୱନାଥ ପାତ୍ରଙ୍କ ପତ୍ନୀ ଫୁଲମଣୀ (୭୦)ଙ୍କୁ ପୂର୍ବରୁ ଅନ୍ତୋଦୟ ଯୋଜନାରେ ମାସକୁ ୩୫ କିଲୋ ଚାଉଳା ମିଳୁଥିବାବେଳେ ଏବେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁହେବା ପରେ ଫୁଲମଣୀଙ୍କୁ ଆଦୌ ଚାଉଳ ମିଳୁନାହିଁ । ଫଳରେ ବଡ଼ପୁଅ ଶରତ ପାତ୍ର (୪୫)ଙ୍କ ପାଖରେ ରହୁଛନ୍ତି ଫୁଲମଣୀ । ପୁଅ ଶରତଙ୍କର ୪ଜଣିଆ ପରିବାରକୁ ୨୦ କିଲୋ ଚାଉଳ ପଡ଼ିକାର୍ଡରେ ମିଳୁଥିବାବେଳେ ବିଧବା ଫୁଲମଣୀ ପାତ୍ରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଡ଼ିକାର୍ଡ ମିଳିନଥିବା ଜଣାପଡ଼ିଛି । ଫଳରେ ସେ ଚାଉଳ ପାଇପାରୁନାହାନ୍ତି । ସରକାରୀ ସାହାଯ୍ୟ ବାବଦକୁ ଭତ୍ତା ଆକାରରେ ମାସିକ ୩୦୦ଟଙ୍କା ତାଙ୍କୁ ମିଳୁଥିବାବେଳେ ବୟସାଧିକ୍ୟ କାରଣରୁ ଏହି ୩୦୦ଟଙ୍କା ଚିକିତ୍ସା ଖର୍ଚ୍ଚ ବାବଦକୁ ମଧ୍ୟ ନିଅଣ୍ଟ ହେଉଛି । ବଡ଼ପୁଅ କାମଧନ୍ଦା ନକଲେ ଘରକୁ ତେଲଲୁଣ ଆସିବା ଅସମ୍ଭବ ହୋଇପଡ଼ୁଥିବାରୁ ଘରଖଣ୍ଡିଏ ମଧ୍ୟ ସେମାନେ କରିପାରୁନାହାନ୍ତି । ଫଳରେ ୮୦ ବର୍ଷର ପୁରଣା ଝାଟିମାଟି ଘରର ଅଧାରୁ ଅଧିକ ଭାଙ୍ଗିପଡ଼ିଲାଣି । ଏପରି ସ୍ଥିତିରେ ଫୁଲମଣୀଙ୍କୁ ଅନ୍ତୋଦୟ ଯୋଜନାରୁ ବଂଚିତ କରାଯିବା ଓ ଏହି ଅଭାବୀ ପରିବାର ଆବାସ ଯୋଜନାରୁ ବଂଚିତ ହେବା ପଛରେ କି କାରଣ ରହିଛି ତାହା ତଦନ୍ତ କଲେ ଜଣାପଡ଼ିବ । ଶୀଘ୍ର ଫୁଲମଣୀଙ୍କ ପରିବାରକୁ ଅନ୍ତୋଦୟ କାର୍ଡ ଏବଂ ଆବାସ ଯୋଜନାରେ ଘର ପାଇଁ କାର୍ୟ୍ୟାଦେଶ ଦିଆଯିବାକୁ ପୂର୍ବତନ ସରପଞ୍ଚ ନବଘନ ମାନସିଂ ଦାବି କରିଛନ୍ତି ।

 

Leave a Reply

Your email address will not be published. Required fields are marked *