ଆପ୍ ନେତା ବିସ୍ମୟ ମହାପାତ୍ର କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୧୧.୯ (ଓଡ଼ିଆ ପୁଅ) – ଆଜି ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ବୁଦ୍ଧିଜୀବୀ ତଥା ସମାଜସେବୀ ଏବଂ ଆମ୍ ଆଦମୀ ପାର୍ଟିର ପୂର୍ବତନ ରାଜ୍ୟ ସଂପାଦକ ବିସ୍ମୟ ମହାପାତ୍ର ଆପ୍ ଦଳ ଛାଡି ତାଙ୍କର ବହୁ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁ ଉତରୀୟ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ ଓ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଲେ ଯେ ମୁଁ ପୂର୍ବରୁ କଂଗ୍ରେସ ଦଳରେ ଥିଲି, ପୁଣି କଂଗ୍ରେସ ଦଳକୁ ଫେରି ଆସିଥିବାରୁ ନିଜକୁ ଗୌରବାନ୍ୱିତ ମନେକରୁଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଅନ୍ୟତମ ଉପସଭାପତି ଶିବାନନ୍ଦ ରାୟ ଆଗାମୀ ଦିନରେ ବହୁ ବୁଦ୍ଧିଜୀବୀ କଂଗ୍ରେସ ଦଳରେ ଯୋଗଦେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପିସିସି ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ ନେତା ସୁମିତ୍ରା ଜେନା, ମନୋରଞ୍ଜନ ଦାଶ, ସଂପାଦକ ରସିକ୍ ପଟ୍ଟନାୟକ, ସତ୍ୟସ୍ମିତ ମହାନ୍ତି, ଅଭିଷେକ ମହାନନ୍ଦ, ଦୀପକ ସାହୁ, ସରୋଜ ପରିଡା, ସୂର୍ଯ୍ୟ ନାରାୟଣ ପଣ୍ଡା, ନିରଞ୍ଜନ ନାୟକ, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *