ଆନ୍ଧ୍ର ମାଛ ବିକ୍ରି ଠପ୍, ନଦୀମାଛ ବେପାରୀ ମାଲେମାଲ୍

ରାଉରକେଲା ୪-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର) ଆନ୍ଧ୍ର ମାଛରେ ଫର୍ମାଲିନ ମିଶାଯାଉଥିବା ଚର୍ଚ୍ଚା ହେବା ପରେ ଲୋକମାନେ ଆନ୍ଧ୍ର ମାଛରୁ ମୁହଁ ଫେରାଇ ନେଇଛନ୍ତି। ରାଉରକେଲାରେ ଆନ୍ଧ୍ର ମାଛ ବିକ୍ରିରେ ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଖାଉଟି ମହଲରେ ନଦୀ ମାଛ ଓ ପୋଖରୀର ଚୁନା ମାଛର ଚାହିଦା ବହୁଗୁଣରେ ବୃଦ୍ଧି ପାଇବା କାରଣରୁ ଏହାର ଦରରେ ବୃଦ୍ଧି ଘଟିଛି। ଗୋଟିଏ ପଟେ ଆନ୍ଧ୍ର ମାଛକୁ ଭରସା କରି ବେପାର କରୁଥିବା ମାଛ ବେପାରୀ ମାନେ ନିରାଶ ହେଉଥିବା ବେଳେ ନଦୀ ଓ ପୋଖରୀରୁ ମାଛ ସଂଗ୍ରହ କରି ବେପାର କରୁଥିବା ମାଛ ବେପାରୀ ମାନେ ମାଲେମାଲ୍ ହେଉଥିବା ଖବର ମିଳିଛି। ରାଉରକେଲାକୁ ଆନ୍ଧ୍ର, ରାୟପୁର ଓ ବାହାର ରାଜ୍ୟରୁ ମାଛ ଆମଦାନୀ ହୋଇଥାଏ। ବିଗତ କିଛି ଦିନହେଲା ଆନ୍ଧ୍ରମାଛରେ ଫର୍ମାଲିନ ମିଶାଯାଉଥିବା ଚର୍ଚ୍ଚା ହେବା ପରେ ବଜାରରେ ଆନ୍ଧ୍ରମାଛର ଚାହିଦା ସଂପୂର୍ଣ୍ଣ ଭାବରେ କମି ଯାଇଛି। ଲୋକମାନେ ପୋଖରୀ ମାଛ, ନଦୀର ଚିଙ୍ଗୁଡ଼ି ସମେତ ବିଭିନ୍ନ ରକମର ଚୂନାମାଛ, କଙ୍କଡ଼ା କ୍ରୟ କରିବାକୁ ପସନ୍ଦ କରୁଛନ୍ତି। ଆନ୍ଧ୍ର ମାଛର ଚାହିଦା କମିବା ସହ ନଦୀ, ପୋଖରୀ ମାଛ ତଥା ଅଣ୍ଡାଦରରେ ଅହେତୁକ ବୃଦ୍ଧି ଫଳରେ ଆମିଷ ବଜାର ଏକ ପ୍ରକାର ଅସନ୍ତୁଳିତ ହୋଇ ପଡ଼ିବା ଭଳି ଦେଖିବାକୁ ମିଳିଛି। ଟିମ୍ବର କଲୋନୀରେ ବହୁଦିନରୁ ମାଛବେପାର କରି ପରିବାର ପ୍ରତିପୋଷଣ କରୁଥିବା ମାଛବେପାରୀ ମାନେ ବିଗତ ଦୁଇ ସପ୍ତାହ ହେଲା ହାତବାନ୍ଧି ବସିଛନ୍ତି। ପୂର୍ବରୁ ନୟାବଜାର ଅଂଚଳର ଜଣେ ମାଛ ବ୍ୟବସାୟୀ ଦିନକୁ ୬୦ରୁ ୭୦ କିଲୋ ଆନ୍ଧ୍ର ମାଛ ରାଉରକେଲା ଗଦିରୁ ଆଣି ବିକ୍ରି କରୁଥିବା ବେଳେ, ଏବେ ଫର୍ମାଲିନ ଭୟ ଯୋଗୁ ମାତ୍ର ୨୦ କିଲୋ ମାଛ ପ୍ରତିଦିନ ବିକ୍ରି ପାଇଁ ଆଣୁଥିବା ପ୍ରକାଶ କରିଛନ୍ତି। ସେ ଆଣୁଥିବା ମାଛରୁ ମାତ୍ର ୧୦ରୁ ୧୨ କିଲୋ ବହୁ କଷ୍ଟରେ ବିକ୍ରି ହେଉଛି ବୋଲି ପ୍ରକାଶ କରିଥିଲେ। ସେହିପରି ଆଗ ଅପେକ୍ଷା ଏବେ ଆନ୍ଧ୍ର ମାଛ ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଦକ୍ଷିଣ ରାଉରକେଲା ନିକଟବର୍ତି ବିଭିନ୍ନ ଗ୍ରାମ ଯେପରି ଜଲଦା, ମନକୋ, ରାମଯୋଡ଼ି, ଧରମଡ଼ିହି, ଡଲାକୁଦର, ମୁଣ୍ଡାଯୋର ଆଦି ଗ୍ରାମରୁ ମାଛ ବେପାରୀ ମାନେ ଦକ୍ଷିଣ ରାଉରକେଲା ମୁହାଁ ହୋଇ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିିଭିନ୍ନ ହାଟ, ବଜାର ଓ ଛକରେ ବସି ନଦୀ ଓ ପୋଖରୀ ମାଛ ବିକ୍ରି କରୁଛନ୍ତି। ବର୍ତମାନ ନଦୀର ତଟକା ରୋହୀ, ଭାକୁର ମାଛର ଚାହିଦା ସର୍ବାଗ୍ରେ ରହିଥିବା ବେଳେ, ଚିଙ୍ଗୁଡ଼ି, କଙ୍କଡ଼ା, ମିରିକାଳି ଭଳି ଚୁନାମାଛ କ୍ରୟ କରିବାକୁ ଗ୍ରାହକଙ୍କ ମହଲରେ ଆଗ୍ରହ ପ୍ରକାଶ ପାଇଛି। ନଦୀ ମାଛ ଓ ପୋଖରୀ ମାଛର କିଲୋପ୍ରତି ଦରରେ ବୃଦ୍ଧି ଘଟିଛି। କେବଳ ଯେ, ନଦୀମାଛ, ପୋଖରୀ ମାଛ ଓ ଅଣ୍ଡାଦର ବଜାରରେ ମୁଲ୍ୟ ବୃଦ୍ଧି ହୋଇନାହିଁ, ଆମିଷ ଖାଦ୍ୟ ବଜାରରେ ମଧ୍ୟ ଏହାର ପ୍ରଭାବ ପରୋକ୍ଷରେ ପଡିବା ନଜରକୁ ଆସିଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ କିଛି ହୋଟେଲରେ ମାଛ, ମାଂସ ଓ ଅଣ୍ଡା ତରକାରୀ ପ୍ଲେଟର ଦରରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି। ଆଉ କିଛି ଦିନ ପରେ ଶ୍ରାବଣ ମାସ ଆସୁଥିବାରୁ କିଛି ବ୍ୟକ୍ତି ଓ ପରିବାରରେ ଆମିଷ ଭକ୍ଷଣ କିଛି ମାତ୍ରାରେ କମ୍ ହେବା ସହ ଅଣ୍ଡା ଓ ବିଭିନ୍ନ ନଦୀ, ପୋଖରୀ ମାଛର ମୂଲ୍ୟ ହ୍ରାସ ପାଇବା ଆଶା କରାଯାଉଛି।ସେହିପରି ବିଭିନ୍ନ ବିବାହ ଭୋଜିରେ ଅତିଥି ମାନଙ୍କୁ ସହଜ ସୁଲଭ ଆମିଷ ଖାଦ୍ୟ ମାଛ ପରିବେଷଣ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ମୁରବୀଜଣଙ୍କ ଆନ୍ଧ୍ର ମାଛକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ମାତ୍ର ଉପଯୁକ୍ତ ଜନସଚେତନତା ଅଭାବରୁ ଗ୍ରାମାଚଂଳ ତଥା ବସ୍ତି ଅଂଚଳର ବାସିନ୍ଦା ମାନେ ଏବେ ମଧ୍ୟ ଆନ୍ଧ୍ରମାଛ ବଜାରରୁ ଖରିଦ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *