– ଆନ୍ଦୋଳନରତ ସମିତି ସଭ୍ୟ ମାନଙ୍କ ଉପରେ ଲାଠି ଚାଳନାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ:
– ପ୍ରଜାତନ୍ତ୍ରରେ ସେମାନଙ୍କର ଆପତ୍ତି ଅଭିଯୋଗ ଉପରେ ଆପୋଷ ଆଲୋଚନା କରିବା ନିର୍ବାଚିତ ସରକାରର ନୈତିକ ଦାୟିତ୍ବ ଆଲୋଚନା ପରିବର୍ତ୍ତେ ପ୍ରଜାତନ୍ତ୍ରରେ ଜନ ପ୍ରତିନିଧିଙ୍କୁ ପୋଲିସ ଦ୍ବାରା ମାଡ ମାରିବା ଆଦୌ ଗ୍ରହଣୀୟ ନୁହେଁ
– ରାଜ୍ୟ ସରକାର ଆନ୍ଦୋଳନରତ ସମିତି ସଭ୍ୟ ମାନଙ୍କ ସହ ସହ ଆପୋଷ କଥାବାର୍ତ୍ତାର ରାସ୍ତାକୁ ଆସିବେ ବୋଲି ଆଶା ପ୍ରକାଶ କଲେ।
ଭୁବନେଶ୍ବର, 27 ମାର୍ଚ୍ଚ (ଓଡ଼ିଆ ପୁଅ) – ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରୁଥିବା ବେଳେ ତୃଣମୁଳ ସ୍ତରର ଜନ ପ୍ରତିନିଧ ସମିତି ସଭ୍ୟ ମାନଙ୍କୁ ପୋଲିସ ପକ୍ଷରୁ ନିର୍ମମ ଲାଠି ଚାଳନା କରାଯିବାକୁ ନିନ୍ଦା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଆନ୍ଦୋଳନରତ ସମିତି ସଭ୍ୟ ମାନଙ୍କ ସହ ସହ ଆପୋଷ କଥାବାର୍ତ୍ତାରେ ରାସ୍ତାକୁ ଆସିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।
ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ ” ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ତୃଣମୂଳ ସ୍ତରର ଜନ ପ୍ରତିନିଧି ସମିତି ସଭ୍ୟ ମାନଙ୍କୁ ଓଡିଶା ବିଧାନସଭା ସାମନାରେ ଗତ ସୋମବାର ଦିନ ପୋଲିସର ନିର୍ମମ ଲାଠି ଚାଳନା ଗଣମାଧ୍ୟମରେ ଦେଖି ମୁଁ ଦୁଃଖିତ।”
ଶ୍ରୀ ପ୍ରଧାନ କହିଛନ୍ତି ଯେ “ତୃଣମୂଳ ସ୍ତରର ଜନ ପ୍ରତିନିଧିମାନେ ପ୍ରତିବାଦ ଓ ବିକ୍ଷୋଭ କଲେ ପ୍ରଜାତନ୍ତ୍ରରେ ସେମାନଙ୍କର ଆପତ୍ତି ଅଭିଯୋଗ ଉପରେ ଆପୋଷ ଆଲୋଚନା କରିବା ଏକ ନିର୍ବାଚିତ ସରକାରର ନୈତିକ ଦାୟିତ୍ୱ।”
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ “ଆଲୋଚନା ପରିବର୍ତ୍ତେ ପ୍ରଜାତନ୍ତ୍ରରେ ଜନ ପ୍ରତିନିଧିଙ୍କୁ ପୋଲିସ ଦ୍ୱାରା ମାଡ ମାରିବା ଆଦୌ ଗ୍ରହଣୀୟ ନୁହେଁ। ଏପରି ଅଗଣତାନ୍ତ୍ରିକ ଓ ଅମାନୁଷିକ କାର୍ଯ୍ୟକୁ ମୁଁ ଦୃଢ ନିନ୍ଦା କରିବା ସହ ରାଜ୍ୟ ସରକାର ସେମାନଙ୍କ ସହ ତୁରନ୍ତ ଆପୋଷ କଥାବାର୍ତ୍ତାର ରାସ୍ତାକୁ ଆସିବେ ବୋଲି ଅପେକ୍ଷା ରଖୁଛି।”
