ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ଲସ ବାନୋସ ଠାରେ ଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ) ପରିଦର୍ଶନ କରିଥିଲେ। ଆଇଆରଆରଆଇ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନ, ଯାହା ଧାନ ଗବେଷଣା ମାଧ୍ୟମରେ ଦାରିଦ୍ର୍ୟ ଏବଂ କ୍ଷୁଧା ଦୂରୀକରଣ; ଧାନ ଚାଷୀ ଏବଂ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଏବଂ କଲ୍ୟାଣ; ତଥା ପରବର୍ତ୍ତୀ ପିଢ଼ି ପାଇଁ ଧାନ ଚାଷ ପରିବେଶର ସୁରକ୍ଷା କରିବା ପ୍ରତି ସମର୍ପିତ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀରେ ବନ୍ୟା ସହିଷ୍ଣୁ ଧାନ କିସମ; ମରୁଡ଼ି ସହିଷ୍ଣୁ ଧାନ କିସମ; ଲବଣ ସହିଷ୍ଣୁ ଧାନ କିସମ ଏବଂ ମହିଳା କୃଷି ସମବାୟ ସମିତି ସହ ଆଇଆରଆରଆଇର କାର୍ଯ୍ୟ ସ୍ଥାନ ପାଇଛି।

ଜଳପ୍ଲାବନ ସହିଷ୍ଣୁ ଧାନ କିସମ ଚାଷ ପାଇଁ ପ୍ରଧାନମନ୍ତ୍ରୀ ନୂତନ ଭୂମିର ପ୍ରତିକାତ୍ମକ କାର୍ଯ୍ୟାରମ୍ଭ କରିଥିଲେ। ଶ୍ରୀ ନରେନ୍ଦ୍ର ମୋଦୀ ସହନଶୀଳ ଧାନ କ୍ଷେତ ଗବେଷଣାଗାରକୁ ଫଳକ ଉନ୍ମୋଚନ କରି ଉଦଘାଟନ କରିଥିଲେ। ସେ ଦୁଇଟି ଭାରତୀୟ କିସମର ଧାନ ବିହନ ଆଇଆରଆରଆଇ ଜିନ ବ୍ୟାଙ୍କକୁ ପ୍ରଦାନ କରିଥିଲେ।

ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଆଇଆରଆରଆଇରେ କାର୍ଯ୍ୟରତ ବହୁ ଭାରତୀୟ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ମାନିଲାସ୍ଥିତ ମହାବୀର ଫିଲିପାଇନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ଏହା ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଏକ ଦୀର୍ଘକାଳୀନ ମାନବୀୟ ସହଯୋଗ କାର୍ଯ୍ୟକ୍ରମ। ଏହାକୁ ଜଣେ ଭାରତୀୟ ବଂଶୋଦ୍ଭବ ମାନିଲାର ମେୟର ଡ. ରମଣ ବଗତସିଂ ପ୍ରତିଷ୍ଠା କରିଥିଲେ। ଏହି ପ୍ରତିଷ୍ଠାନ ମହାବୀର ବିକଳାଙ୍ଗ ସହାୟତା ସମିତିର ସହଭାଗୀତାରେ ଅଙ୍ଗହାନି କଷ୍ଟ ଭୋଗୁଥିବା ଲୋକମାନଙ୍କ ଠାରେ ସଫଳତାପୂର୍ବକ ଜୟପୁର ପାଦ ଖଞ୍ଜିବାରେ ସଫଳ ହୋଇଛି। ଜୟପୁର ପାଦ ଦ୍ୱାରା ଉପକୃତ ହୋଇଥିବା ଲୋକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ମତ ବିନିମୟ କରିଥିଲେ।

Leave a Reply

Your email address will not be published. Required fields are marked *