ଆନ୍ତର୍ଜାତିକ ଆନ୍ତଃସରକାରୀ ସଂସ୍ଥାରେ ପରିଣତ ହେବ ଆଇଏସ୍ଏ

– ଆଇଏସ୍ଏର ମୂଳ ସହମତିରେ ୪୬ ଦେଶ ଦସ୍ତଖତ କରିଥିବା ବେଳେ ୧୯ ଦେଶ ଅନୁମୋଦନ ଦେଇଛନ୍ତି

ଇଂଟନ୍ୟାସନାଲ ସୋଲାର ଆଲାଏନ୍ସ (ଆନ୍ତର୍ଜାତିକ ସୌର ସନ୍ଧି-ଆଇଏସ୍ଏ) ମୂଳ ଆଧାର ଚୁକ୍ତିକୁ ୧୫ତମ ଦେଶ ଭାବେ ଗିନିର ଅନୁମୋଦନ ମିଳିବ। ଏଥିସହ ଆସନ୍ତାକାଲି ୨୦୧୭ ଡିସେମ୍ବର ୬ ତାରିଖରେ ଏହା ଏକ ଚୁକ୍ତିଭିତିକ ଆନ୍ତର୍ଜାତିକ ଆନ୍ତଃସରକାରୀ ସଂସ୍ଥାରେ ପରିଣତ ହେବ। ଆଇଏସ୍ଏର ମୁଖ୍ୟାଳୟ ଭାରତରେ ଅବସ୍ଥିତ। ଏହାର ସଚିବାଳୟ ଗୁରଗାଓଁର ଗ୍ୱାଲପାହାରି ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସୋଲାର ଏନର୍ଜିର କ୍ୟାମ୍ପସରେ ଅବସ୍ଥିତ।

୨୦୧୫ ନଭେମ୍ବର ୩୦ରେ ପ୍ୟାରିସରେ ଜାତିସଂଘର ଜଳବାୟୁ ଅଧିବେଶନ ‘କୋପ୍-୨୧’ ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପଦକ୍ଷେପରେ ଆରମ୍ଭ ହୋଇଥିଲା ଆଇଏସ୍ଏ। ଉତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟବର୍ତ୍ତୀ ଅଂଚଳରେ ସୌର ଶକ୍ତିର ପରିଚାଳନା ଦିଗରେ ଉପୁଜୁଥିବା ବାଧା ଦୂର କରିବା ଆଇଏସ୍ଏର ମୂଳ ଉଦ୍ଦେଶ୍ୟ। ଏହାର ମୂଳ ସହମତି ପତ୍ରରେ ୪୬ଟି ଦେଶ ଦସ୍ତଖତ କରି ସାରିଥିବା ବେଳେ ୧୯ ଟି ଦେଶ ଏହାକୁ ଅନୁମୋଦନ ଦେଇ ସାରିଛନ୍ତି।

ଦସ୍ତଖତ କରିଥିବର ୪୬ଟି ଦେଶ ହେଲେ:

ଅଷ୍ଟ୍ରେଲିଆ, ବାଂଲାଦେଶ, ବେନିନ୍, ବ୍ରାଜିଲ, ବୁର୍କିନା ଫାସୋ, କାମ୍ବୋଡିଆ, ଚିଲି, କୋଷ୍ଟାରିକା, ଡେମୋକ୍ରାଟିକ୍ ରିପବ୍ଲିକ ଅଫ୍ କଙ୍ଗୋ, କୋମୋରୋସ୍, କୋଟୋ ଦି’ ଆଇଭରି, ଜିବୌତି, କ୍ୟୁବା, ଡୋମିନିକାନ ରିପବ୍ଲିକ୍, ଇଥିଓପିଆ, ଇକ୍ୱୋଟୋରିଆଲ ଗିନି, ଫିଜି, ଫ୍ରାନ୍ସ, ଗାବୋନିଜ୍ ରିପବ୍ଲିକ୍, ଘାନା, ଗିନି, ଗିନି ବିସାଓ, ଭାରତ, କିରିବାତି, ଲାଇବେରିଆ, ମାଡ଼ାଗାସ୍କର, ମାଲାୱି, ମାଲି, ମରିସସ୍, ନାଉରୁ, ନାଇଜର, ନାଇଜେରିଆ, ପେରୁ, ର୍ୱାଣ୍ଡା, ସେନେଗାଲ, ସିସିିଲ୍ସ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ, ତାଞ୍ଜାନିଆ, ତୋଙ୍ଗା, ତୋଗୋଲିସ୍ ରିପବ୍ଲିକ୍, ତୁଭାଲୁ, ୟୁଏଇ, ଭାନୁଆତୁ ଏବଂ ଭେନେଜୁଏଲା।

ଅନୁମୋଦନ ଦେଇଥିବା ୧୯ଟି ଦେଶ:

ଭାରତ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ବାଂଲାଦେଶ, କୋମୋରୋସ୍, କ୍ୟୁବା, ଫିଜି, ଗିନି, ଘାନା, ମାଲାୱି, ମାଲି, ମରିସସ୍, ନାଉରୁ, ନାଇଜର, ପେରୁ, ସିସିଲ୍ସ, ସୋମାଲିଆ, ଦକ୍ଷିଣ ସୁଦାନ ଏବଂ ତୁଭାଲୁ।

୨୦୧୬ ଜାନୁଆରୀ ୨୫ ତାରିଖରୁ ଆଇଏସ୍ଏର ଅସ୍ଥାୟୀ ସଚିବାଳୟ କାର୍ଯ୍ୟ କରୁଛି। ଏହି କ୍ରମରେ ତିନୋଟି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି; କୃଷି କ୍ଷେତ୍ରରେ ସୌର ଶକ୍ତି ପ୍ରୟୋଗରେ ବୃଦ୍ଧି, ଗ୍ରହଣୀୟ ଆର୍ଥିକ ସହାୟତା ଏବଂ ସୌର ମିନି-ଗ୍ରିଡ଼ର ସଂଖ୍ୟା ବୃଦ୍ଧି। ଆଇଏସ୍ଏ ସଦସ୍ୟ ରାଷ୍ଟ୍ର ମାନଙ୍କର ଆର୍ଥିକ ଅଭିବୃଦ୍ଧି ଦିଗରେ ସୌର ଶକ୍ତିର ବ୍ୟବହାରକୁ ଏହି ତିନୋଟି କାର୍ଯ୍ୟକ୍ରମ ପ୍ରୋତ୍ସାହିତ କରୁଛି। ଏଥିସହ ଆଇଏସ୍ଏ ଗ୍ରହଣ କରିବାକୁ ଯାଉଥିବା ଆଉ ଦୁଇଟି କାର୍ଯ୍ୟକ୍ରମ ହେଲା; ସୋଲାର ରୁଫଟଫ୍ ଏବଂ ସୋଲାର ଇ-ମୋବିଲିଟି ଓ ଷ୍ଟୋରେଜ୍।

ଏଥିସହ ସଦସ୍ୟ ରାଷ୍ଟ୍ରମାନଙ୍କରେ ସୌର ପ୍ରକଳ୍ପର ଖର୍ଚ୍ଚ ହ୍ରାସ ସହ ବିପଦ ଦୂର ପାଇଁ ଏକ ସମାନ କାର୍ଯ୍ୟଧାରା ଆଇଏସ୍ଏ ପ୍ରସ୍ତୁତ କରୁଛି। ଆନ୍ତର୍ଜାତିକ ବିଶେଷଜ୍ଞମାନେ ଏହାର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛନ୍ତି ଏବଂ ୨୦୧୮ ଡିସେମ୍ବର ସୁଦ୍ଧା ଏହା ପ୍ରକାଶ ପାଇଯିବ।

ଆଇଏସ୍ଏ ସଦସ୍ୟ ରାଷ୍ଟ୍ରମାନଙ୍କର ନୀତି ନିର୍ଦ୍ଧାରକ, ମନ୍ତ୍ରୀ ଏବଂ କର୍ପୋରେଟ ମୁଖ୍ୟମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ଡିଜିଟାଲ ଇନ୍ଫୋପିଡ଼ିଆ ନାମକ ପ୍ଲାଟଫର୍ମ ମଧ୍ୟ କାର୍ଯ୍ୟ କରୁଛି। ୨୦୧୭ ମେ ୧୮ ତାରିଖରୁ ଏହା ସକ୍ରିୟ ଅଛି।

ପ୍ରଥମ ପାଂଚବର୍ଷ ପାଇଁ ଆଇଏସ୍ଏ ସଚିବାଳୟର ଖର୍ଚ୍ଚ ବହନ କରିବାକୁ ଭାରତ ପ୍ରସ୍ତାବ ଦେଇଛି। ଏଥିସହ ଭାରତର ବିଦେଶ ମନ୍ତ୍ରଣାଳୟ ଆଫ୍ରିକାରେ ସୌର ପ୍ରକଳ୍ପ ପାଇଁ ୨ ଶହ କୋଟି ଆମେରିକୀୟ ଡଲାର ଖର୍ଚ୍ଚ ପାଇଁ ମଧ୍ୟ ନିଷ୍ପତି ନେଇଛି। ଏହି ଅର୍ଥ ଆଫ୍ରିକାକୁ ରିହାତିରେ ଦିଆଯାଉଥିବା ୧୦ ଶହ କୋଟି ଆମେରିକୀୟ ଡଲାର ଋଣ ଅନ୍ତର୍ଗତ। ଆଇଏସ୍ଏ ସଦସ୍ୟ ରାଷ୍ଟ୍ର ମାନଙ୍କ ପାଇଁ ଫ୍ରାନ୍ସ ମଧ୍ୟ ୩୦୦ ନିୟୁତ ୟୁରୋ ରିହାତି ଋଣ ଦେବାକୁ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *