ଆଧ୍ୟାତ୍ମିକ ଚେତନାର ଉତ୍ସ : କୁପାରୀ ଶୂନ୍ୟ ମଣ୍ଡପ

ଶାଳବଣ ଘେରାବୌଦ୍ଧ କିର୍ତ୍ତୀ ବିରାଜିତ ନୈସର୍ଗୀକ ଧର୍ମ ପୀଠ। ଯେଉଁଠି ଅବଧୂତ ସନ୍ୟାସୀଙ୍କର ମୂଳ ମନ୍ତ୍ର ଜୀବ ଓ ପରମର ଅପୂର୍ବ ମିଳନ। ହିଲ୍ଲୋଳିତ ମୃଦୁ ସମୀରଣରେ ଯେଉଁଠି ଝଙ୍କୃତ ହୁଏ ଆଧ୍ୟାତ୍ମିକ ଚେତନାର ସ୍ୱର। ଅବଧୂତଙ୍କ ସୁମଧୁର କଣ୍ଠରୁ ନିସୃତ କମନୀୟ ସ୍ନେହଁ ବୋଳା ଡାକରେ ଯେଉଁଠି ରୁଣ୍ଡିଭୁତ ପକ୍ଷୀ ମାନଙ୍କ କିଚିରି ମିଚିରି ନାଦରେ ନିନାଦିତ ହୁଏ ଏହି ମହିମା ମୟ ପୀଠର ସବୁଜ ବନାନୀ। ଆଉ ବାବାଙ୍କ ଅମୀୟ ବୋଳା ହାତରେ ପରଶି ଦେଉଥିବା ଅମୃତ ପଶରାରୁ ପକ୍ଷୀ ଶାବକ ମାନେ ଚଚୁ ମୂନରେ ନିଜର କ୍ଷୁଧା ନିବାରଣ ପାଇଁ ଖାଦ୍ୟନେଇ ପୁଣି ଉଡି ଯାଅନ୍ତି ନୀଳ ଆକାଶକୁ ଭେଦ କରି ଦୂରକୁ…. ବହୁ ଦୂରକୁ।
ରିପୋର୍ଟ -ନରେନ୍ଦ୍ର ପ୍ରସାଦ ବେହରା
ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ କୁପାରୀ ହେଉଛି ମହିମା ବିମଣ୍ଡିତବୌଦ୍ଧ କୀତ୍ତିକୁ ବହନ କରିଥିବା ଏକ ପ୍ରାଚିନ ସଂସ୍କୁତି ଭରା ଅଞ୍ଚଳ। ପଶ୍ଚିମରେ କେଉଁଝର, ଦକ୍ଷିଣରେ ଭଦ୍ରକ, ଉତ୍ତରରେ ମୟୁରଭଞ୍ଜ। ଏହି ତିନି ଜିଲ୍ଲାର ସଂଗମ ସ୍ଥଳରେ ଅବସ୍ଥିତ ଏହି ସ୍ଥାନ। ଯାହାର କିରିଟୀ ସମ ଶୋଭାପାଏ ଶାରୀ ଶୁଆ ପାହାଡ। ସବୁଜ ବନାନୀ ପରିପୂର୍ଣ୍ଣ ଶାଳବଣ ଭିତରେ ଏ ସ୍ଥାନ ବିଭିନ୍ନ ସ୍ମତି ବିଜଡିତ। ବାର ମାସରେ ତେର ପର୍ବ ଭଳି ଏଠାରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବ ପାଳନ ହୋଇଥାଏ। ତେବେ ଏହି ସ୍ଥାନରେ ପ୍ରତିଷ୍ଠିତ ଶୂନ୍ୟମଣ୍ଡପର ରାହାସ ପୂର୍ଣ୍ଣିମା ସର୍ବ ଜନ ମାନସରେ ସ୍ମୁତିର ରେଖା। ୧୯୨୬ ମସିହାରେ ଏହି ସ୍ଥାନରେ ଜଣେ ପ୍ରଥମେ ଏକ ପତ୍ର କୁଡିଆ ତିଆରି କରିଥିଲେ। ସେତେବେଳେ ଲୋକମାନେ ଭାବିଲେ କେହି ଜଣେ ନିରାଶ୍ରୟ ପତ୍ରକୁଡିଆଟିଏ ତିଆରି କରି ଆଶ୍ରୟ ନେବ। ମାତ୍ର ପରବର୍ତ୍ତି ସମୟରେ ସବୁ ସମ୍ଭାବନା କୁ ଭୁଲ ପ୍ରମାଣିତ କରି ଏଠି ଆବିର୍ଭାବ ହେଲେ ଜଣେ ଗୃହତ୍ୟାଗୀ ସନ୍ୟାସୀ। ତାଙ୍କର ନାମ ପ୍ରଭାକର ଜେନା। ଘର ମଧ୍ୟ ଶୂନ୍ୟମଣ୍ଡପ ନିକଟରେ। ନିଜର ଗୃହ ଜଞ୍ଜାଳର ମାୟା ମୋହକୁ ତ୍ୟାଗ କରି ତ୍ୟାଗୀ ସନ୍ୟାସୀ ଜୀବନଯାପନ କରି ଏହିପତ୍ର କୁଡିଆରେ ନିଜର ଆଧ୍ୟାତ୍ମିକ ଚେତନାର ବୀଜ ବପନ କଲେ। ଧାରା ଶ୍ରାବଣର ଆବାରିତ ବର୍ଷାଧାରାରେ ଓ ମାଘ ମାସ ଶୀତର ସୋପାନରେ ନିଜର ଫୁଙ୍ଗୁଳା ଦେହକୁ ହଜେଇ ଦେଇଥିବା ବେଳେ ବୈଶାଖର ପ୍ରଚଣ୍ଡ ରୌଦ୍ର ତାପ ଭିତରେ ନିଜ ଦେହର ମାଂସ ପିଣ୍ଡୁଳାକୁ ଗଡେଇ ଦେଇ ସେ ଏକ ଲୟରେ ଅବିନାଶୀ ପରମ ପୁରୁଷର ସାନ୍ନିଧ୍ୟ ଲାଭ କରିବାକୁ ନିଜର ଚେତନାକୁ ହଜାଇ ଦେଇଥିଲେ। ତାଙ୍କର ଏହି ସାଧନା ତାଙ୍କୁ ଆସ୍ତେ ଆସ୍ତେ ଲୋକ ମାନସରେ ଏକ ସ୍ୱତନ୍ତ୍ର ସ୍ଥାନରେ ପ୍ରତିଷ୍ଠିତ କରାଇଥିଲା। ପ୍ରଭାକର ଜେନାରୁ ସେ ପାଲଟିଗଲେ ପ୍ରଭାକର ଦାସ ମହାରାଜ। ସାଧନା ବଳରେ ସେ ତାଙ୍କ ପାଦୁକା ପାଣିରେ ଅନେକ ଦୁରାରୋଗ ଭଲ କରିବାକୁ ଲାଗିଲେ। ଆସ୍ତେ ଆସ୍ତେ ତାଙ୍କର ଏ ଆଲୌକିକ ପ୍ରତିଭା ଚାରିଆଡେ ବ୍ୟାପିଗଲା। କୁପାରୀ ଶୂନ୍ୟ ମଣ୍ଡପ ପାଲଟିଗଲା ଏକ ତୀର୍ଥଭୁମି। ବତ୍ତମାନ ଏହି ମଣ୍ଡପରେ ଅବସ୍ଥିତ ବାବାଙ୍କ ମତରେ ସେତେବେଳେ ପୁରୀରୁ କଲିକତା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତରରୁ ଭକ୍ତମାନେ ଏହି ଅବଧୂତ ବାବାଙ୍କ ଅଲୌକିକ ପ୍ରତିଭାରେ ଆକୃଷ୍ଟ ହୋଇ ଏଠାକୁ ଛୁଟି ଆସୁଥିଲେ। ବାବାଙ୍କର ଆହୁରି ଆଲୌକିକ ପ୍ରତିଭା ମଧ୍ୟ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲା। ଗ୍ରୀଷ୍ମ ଦିନରେ ହଜାର ହଜାର ଭକ୍ତ ଯେତେବେଳେ ରୌଦ୍ର ତାପରେ କଷ୍ଟ ଅନୁଭବ କରୁଥିଲେ ସେତେବେଳେ ବାବା ଉପରକୁ ହାତ ଟେକି ଆ, ଆ, ଆ ତିନିଥର ଉଚ୍ଚାରଣ କଲେ ଧୀର ସମୀରଣ ଶାଳବଣର ସବୁଜ ପତ୍ରକୁ ଧିରେ ଧିରେ ହଲେଇ ହଲେଇ ଭକ୍ତ ମାନଙ୍କର କଷ୍ଟ ଦୂର କରେ। ସେହିଭଳି ବାବା ଯେତେବେଳେ ପକ୍ଷୀମାନଙ୍କୁ ହାତ ଠାରି ଡାକନ୍ତି ଶହ ଶହ ପକ୍ଷୀ ଉଡିଆସି ବାବାଙ୍କ ହାତରୁ ନିଜର ଖାଦ୍ୟ ନେଇ ପୁଣି ଉଡିଯା’ନ୍ତି ଶାଳଗଛ ଉପରକୁ। ଯେ କେହି ବ୍ୟକ୍ତି ନିଜ ବାଡିରେ ଲଗାଇଥିବା ପରିବା ଗଛରେ ଫୁଲ ନଝଡିବା ପାଇଁ ଉ ଅଧିକ ଫଳ ହେବା ପାଇଁ ବାବାଙ୍କଠୁ ପାଦୁକା ପାଣି ନେଇ ଭକ୍ତ ଗଛରେ ସିଞ୍ଚନ କଲା ପରେ ତାଙ୍କର ଇଚ୍ଛା ପୂର୍ଣ୍ଣ ହୁଏ। ତେଣୁ ମାନସିକ କରିଥିବା ପ୍ରଥମ ଫଳଟି ଶୁନ୍ୟ ମଣ୍ଡପକୁ ଆର୍ପଣ କରନ୍ତି। ଏହି ଭଳି ଶୂନ୍ୟ ମଣ୍ଡପର ମହାତ୍ମ୍ୟ ପ୍ରଚାରିତ ହେବା ବେଳକୁ ବାବାଙ୍କ ବୟସର ପ୍ରବଲ୍ୟତା ଦେଖା ଦେଇଥିଲା ବେଳେ ଝାଡଖଣ୍ଡ ରାଜ୍ୟର ବିଜୟ ତରଣ ଆଶ୍ରମକୁ ସାଧୁ ଦଶନ କରିବାକୁ ଯାଇଥିବା ୨୦ବର୍ଷର ଯୁବକ ଆଧ୍ୟାତ୍ମିକ ଚେତନାରେ ଛନ୍ଦି ହୋଇ ସନ୍ୟାସ ଜୀବନ ଯାପନ କରୁଥିବା ଅବଧୂତ ମହାରାଜ ବାବାଙ୍କୁ ଏହି ଶୂନ୍ୟ ମଣ୍ଡପର ଦାୟୀତ୍ୱ ବହନ କରିବାକୁ ସ୍ୱପ୍ନାଦେଶ ହୋଇଥିଲା। ସେ କୁପାରୀ ଶୂନ୍ୟ ମଣ୍ଡପରେ ପହଞ୍ଚିବା ପରେ ୨୦୦୩ ମସିହା ଅକ୍ଟୋବର ମାସ କୁମାର ପୂଣ୍ଣିମା ଦିନ ପ୍ରଭାକର ବାବା ତାଙ୍କୁ ଶୂନ୍ୟମଣ୍ଡପ ପରିସରକୁ ନେଇ ତାଙ୍କୁ ଉକ୍ତ ମଣ୍ଡପର ଉତ୍ତରାଧିକାରୀ ଭାବେ ଅଭିଶିକ୍ତ କରାଇଥିଲେ। ତାପରେ ତାଙ୍କର ସମସ୍ତ ଦାୟୀତ୍ୱରେ ପୂର୍ଣ୍ଣଛେଦ ପଡିଲା। ତେଣୁ ୧୮୯୪ ମସିହା ଶ୍ରାବଣ ମାସରେ ଇହଧାମକୁ ସ୍ପର୍ଶକରିଥିବା ଏହି ମହାନ ଆତ୍ମା ୨୦୦୪ ମସିହା ଜାନୁୟାରୀ ୧ ତାରିଖ ଦିନ ସମସ୍ତଙ୍କର ଆଶାକୁ ନିରାଶରେ ପରିଣତ କରି ବ୍ରହ୍ମଲୀନ ହୋଇ ଯାଇଥିଲେ।

ଏହି ଶୂନ୍ୟମଣ୍ଡପରେ ବର୍ଷକୁ ୬ଟି ପର୍ବ ପାଳିତ ହେଉଥିବା ବେଳେ ରାହାସ ପୂର୍ଣ୍ଣିମା ହେଉଛି ଶ୍ରେଷ୍ଠ ପର୍ବ। ଏହି ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତ ଏଠାରେ ଉପସ୍ଥିତ ହେଉଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ହେଉଥିବାରୁ ପ୍ରଶାସନ ପକ୍ଷରୁ ପୋଲିସର ବ୍ୟବସ୍ଥା ହେଉଥିବାବେଳେ କିଛି ସମାଜସେବୀ, କିଛି ସ୍ୱଚ୍ଛା ସେବୀ ସଂଗଠନର ସଭ୍ୟ ତଥା ଶୂନ୍ୟମଣ୍ଡପ କମିଟି ତରଫରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ପାନୀୟ ଜଳ ବ୍ୟବସ୍ଥା ସହ ପରିବେଶକୁ ପରିଷ୍କାର ରଖିବା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ ବୋଲି ଅବଧୂତ ମହାରାଜଜୀ ପ୍ରକାଶ କରିଛନ୍ତି। ତାଙ୍କର ଧର୍ମର ମୂଳ ତତ୍ତ୍ୱ କଣ ପଚାରିବାରୁ ସେ କହିଥିଲେଯେ ଏହା ହେଉଛି ତତ୍ତ୍ୱ ଭିତ୍ତିକ ଭେଟ, ଜୀବ ଓ ପରମର ସଂଯୋଗ ସ୍ଥଳ। ତାଙ୍କର ଶେଷ ଇଚ୍ଛା କଣ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେଯେ ସମାଜର କଲ୍ୟାଣ ହେଉ ଓ ଜୀବେଦୟା ହେଉଛି ମୋର ଶେଷ ଇଚ୍ଛା। ବାବାଙ୍କ ଅମର କୀର୍ତ୍ତି, ସାଧନା ଗୃହ, ବ୍ରହ୍ମ ଆଶ୍ରମ, ଉଜନ ମଣ୍ଡପ, ମଧୁ ସାଗର ଓ ପାଦୁକା କୁଣ୍ଡ ହେଉଛି ଏହି ପରିସରର ଦର୍ଶନୀୟ ସ୍ଥାନ। ସବୁ ଧର୍ମର ସମନ୍ୱୟରେ ସ୍ଥାପିତ ଏହି ଶୂନ୍ୟ ମଣ୍ଡପ ହେଉଛି ଶୂନ୍ୟ ବ୍ରହ୍ମର ଏକ ଅପରିବର୍ତ୍ତନୀୟ ସଂଯୋଜନା।

Leave a Reply

Your email address will not be published. Required fields are marked *