ଜିଲ୍ଲା ପରିକ୍ରମା

ଆଧାର ଟେନ୍ସନ୍ : ତ୍ରୁଟି ଯେତିକି, ବରିଷ୍ଠଙ୍କ ଚିନ୍ତା ସେତିକି

ଭଦ୍ରକ, ୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଧାର କାର୍ଡ ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଦ୍ୟାଳୟରେ ନାମଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କ ପାସ୍ବୁକ୍ ଖୋଲାଯିବା ଯାଏ, ଗ୍ୟାସ୍ ସଂଯୋଗଠୁ ଆରମ୍ଭ କରି ଭୋଟର ତାଲିକା ଯାଏ ବିଭିନ୍ନ କ୍ଷେତ୍ରରେ ଏହାକୁ କ୍ରମେ ବାଧ୍ୟତାମୂଳକ କରାଯାଉଛି । ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାର ବାଧ୍ୟତାମୂଳକ ହେବା ଏକ ପ୍ରକାର ନିଶ୍ଚିତ । ହେଲେ ଆଧାରକାର୍ଡରେ ଦେଖାଯାଉଥିବା ବ୍ୟାପକ ତ୍ରୁଟି ଓ ବୟସାଧିକ କାରଣରୁ ଆଙ୍ଗୁଳି ଛାପ ସ୍ପଷ୍ଟ ହୋଇପାରୁନଥିବାରୁ କାର୍ଡଧାରୀଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ୮୦ ପ୍ରତିଶତ କାର୍ଡରେ କିଛିନା କିଛି ତ୍ରୁଟି ଦେଖିବାକୁ ମିଳୁଛି । ବ୍ୟକ୍ତିଗତ ନାମ ଠାରୁ ଆରମ୍ଭ କରି ପରିବାର ବର୍ଗଙ୍କ ନାମ, ବୟସ ସବୁଠି ବନାନଗତ ତ୍ରୁଟି ରହିଛି । ଏହା କିପରି ସଂଶୋଧନ ହେବ, ସେଥିନେଇ ବ୍ୟବସ୍ଥା ରହିଛି । ସହରାଞ୍ଚଳରେ ଏହି ସୁବିଧା ଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏଥି ନିମନ୍ତେ ସହରରେ ଯେତିକି ଅଛି, ତାହା ପର୍ଯ୍ୟାପ୍ତ ନୁହଁ । ଏହାକୁ ନେଇ କାର୍ଡଧାରୀଙ୍କ ମଧ୍ୟରେ ବହୁ ଆଶଙ୍କା ସୃଷ୍ଟି ହୋଇଛି । କାର୍ଡକୁ ସଂଶୋଧନ କରିବାକୁ ଯାଇ ଲୋକେ ଏଣେତେଣେ ଘୁରି ବୁଲୁଛନ୍ତି । ପୂର୍ବରୁ ଆଧାର ପ୍ରସ୍ତୁତ ପାଇଁ କେତେକ ଠିକା କଂପାନୀକୁ ଦାୟିତ୍ୱ ଦିଆଯାଇଥିଲା । କଂପାନୀ କର୍ତ୍ତୃପକ୍ଷ ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ପାଇଁ ବିଭିନ୍ନ ସ୍ଥାନରେ ପୂର୍ବ ସୂଚନା ମୁତାବକ କ୍ୟାମ୍ପ ଖୋଲିଥିଲେ । ହେଲେ ଏହି ପ୍ରକି୍ରୟା ନିର୍ଭୁଲ୍ ହୋଇପାରିଲାନି । ଅନଭିଜ୍ଞ ଡାଟା ଏଣ୍ଟି୍ର ଅପରେଟରଙ୍କ ପାଇଁ ପରବର୍ତ୍ତୀ ସମୟରେ ଅଧିକାଂଶ କାର୍ଡରେ ତ୍ରୁଟି ପରିଲକ୍ଷିତ ହେଲା । ଭବିଷ୍ୟତରେ ଏହାର ବ୍ୟବହାର ବାଧ୍ୟତାମୂଳକ ହେବାକୁ ଯାଉଥିବାରୁ କିପରି ନିର୍ଭୁଲ ଆଧାର କାର୍ଡ ମିଳିପାରିବ ଓ ତ୍ରୁଟିଯୁକ୍ତ କାର୍ଡ ସଂଶୋଧନ ହୋଇପାରିବ, ସେ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ଆଧାରକୁ ନେଇ ସବୁଠାରୁ ଅଧିକ ଚିନ୍ତିତ ହୋଇପଡିଛନ୍ତି ବରିଷ୍ଠ ନାଗରିକ । ବୟସାଧିକ କାରଣରୁ ଆଧାର କେନ୍ଦ୍ରରେ ଥିବା ବାୟୋମେଟି୍ରକ୍ ମେସିନ୍ ବରିଷ୍ଠ ନାଗରିକମାନଙ୍କ ଆଙ୍ଗୁଳି ଟିପଚିହ୍ନକୁ ଚିହ୍ନଟ କରିପାରୁନାହିଁ । ଏହି ବରିଷ୍ଠ ବର୍ଗର ନାଗରିକଙ୍କ  ଆଧାର କାର୍ଡ ପ୍ରସ୍ତୁତ ହୋଇପାରୁନାହିଁ । ଫଳରେ ରେସନ୍ ଠାରୁ ଆରମ୍ଭ କରି ପେନସନ, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ଏହି ବର୍ଗର ଲୋକେ ବଂଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏବେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପେନସନଧାରୀ । ରିଜର୍ଭ ବ୍ୟାଙ୍କ ନିଦେ୍ର୍ଦଶରେ ସମସ୍ତ ଜମାଖାତାକୁ ଆଧାର ସହ ସଂଯୋଗ କରିବାକୁ ନିଦେ୍ର୍ଦଶ ରହିଛି । ବହୁ କ୍ଷେତ୍ରରେ ଆଧାର ସଂଯୋଗ ସମୟରେ କାର୍ଡଧାରୀଙ୍କ ଟିପଚିହ୍ନ ସ୍ପଷ୍ଟ ହୋଇନାହିଁ । କାର୍ଡଧାରୀଙ୍କ ପାଇଁ ପୂର୍ବ ପ୍ରସ୍ତୁତ କାର୍ଡ ମୂଲ୍ୟହୀନ ହୋଇପଡିଥିବାବେଳେ ଏହା ବରିଷ୍ଠ ନାଗରିକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିବାରେ ଲାଗିଛି । ତେଣୁ ଆଧାର ତୃଟି ସଂଶୋଧନ ସହିତ ବରିଷ୍ଠ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକ ସରଳ ବ୍ୟବସ୍ଥା ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top