ଆଦିମ ଜନଜାତିଙ୍କୁ ଛଳନା: ନିୟମଗିରିରେ ଇନ୍ଦିରା ଆବାସ ଯୋଜନା ଦିଗହରା: ୯୦ ପ୍ରତିଶତ ଘର ଅଧାପନ୍ତରିଆ ଦୁର୍ଦ୍ଦିନରେ ଡଙ୍ଗରିଆ

ରାୟଗଡା ତା- ୦୩/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଡଙ୍ଗରିଆ କନ୍ଧ ମହିଳା କ୍ରାଡାକା କାଡ। ଚାଟିକଣା ଗାଁର ଏହି ମହିଳାଙ୍କ ଘର ଦାଣ୍ଡରେ ଅଟକି ଯାଇଛି ବିକାଶ। ଇନ୍ଦିରା ଆବାସ ଯୋଜନା ନିକଟରେ ପଡିଛି ପୂର୍ଣଛେଦ। ଯୋଜନା ଅଟକି ଗଲା। ନାମ ବି ବଦଳିଗଲା। ବାରମ୍ବାର ଜିଲ୍ଲା ମୂଖିଆଙ୍କୁ ଗୁହାରି କଲେ ମଧ୍ୟ କାର୍ଯ୍ୟ ଶୂନ। କଲ୍ୟାଣସିଂହପୁର ବ୍ଳକ ପାର୍ସାଲି ପଞ୍ଚାୟତର ଏହି ମହିଳାଙ୍କୁ ଅନୁମୋଦିତ ଅର୍ଥରୁ ଟଙ୍କାଟିଏ ମଧ୍ୟ ମିଳିପାରିନାହିଁ। କେବଳ କାର୍ଡ କାହିଁକି କୃଷ୍ଣା କାଲେ, ଲକ୍ଷ୍ମଣ କାଡ୍ରାକା, ସାନ୍ଧ୍ରି କାଡ୍ରାକା, କାଡ୍ରାକା ମାଙ୍ଗଡା, କାଡ୍ରାକା ମାସୁ ଭଳି ପାର୍ସାଲି ପଞ୍ଚାୟତର ୯୦ ପ୍ରତିଶତ ହିତାଧିକାରୀଙ୍କ ଠାରେ ଏଭଳି ଅଧପନ୍ତରିଆ ଘର ସହ ଅନୁମୋଦନ ଟଙ୍କା ନମିଳିବା ସ୍ବଷ୍ଟ କରୁଛିଯେ ବର୍ଷ ବର୍ଷ ଧରି ଆଦିମ ଜନଜାତି ସହ ଛଳନା କରାଯାଇଛି। ସେମାନଙ୍କ ହାତ ତିଆରି ଲୁଗା, ପାହାଡ଼ ଢାଲୁରେ ଉତ୍ପାଦିତ ହଳଦୀ, ସପୁରି ଓ ନାନାଦି ଦ୍ରବ୍ୟ କୁ ଦେଖାଇ ସାବାସି ସହ ପୁରସ୍କାର ସାଉଁଟିବାରେ ଲାଗିଛି। ଆଉ ନିୟମଗିରି ବାସିନ୍ଦାଙ୍କୁ ଦୁର୍ଦ୍ଦିନ ଜାବୁଡି ଧରିଥିବା ସ୍ବଷ୍ଟ ବାରିହେଉଛି।

ରାୟଗଡା ଜିଲ୍ଲା ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତି ଗୋଟିଏ ବ୍ଳକ ପରେ ଗୋଟିଏ ବ୍ଳକର ଦୁର୍ନୀତି ପରଦା ଖୋଲିବାରେ ଲାଗିଛି କିନ୍ତୁ ପ୍ରଶାସନ ବଡ ବଡ଼ିଆ କର୍ମଚାରୀଙ୍କୁ ଛାଡି ଦେଇ ତଳିଆ କର୍ମଚାରୀ ଉପରେ ଦାଉ ସାଜୁଛି।

ରାୟଗଡା ଜିଲ୍ଲା କଲ୍ୟାଣସିଂଙ୍ଗପୁର ବ୍ଳକ ପାର୍ସାଲି ପଞ୍ଚାୟତର ଡଙ୍ଗରିଆ କନ୍ଧଙ୍କ ବିଭିନ୍ନ ଗ୍ରାମରେ ଇନ୍ଦିରା ଆବାସ ଯୋଜନାରେ ଘର ପାଇଁ ଆର୍ଥିକ ବର୍ଷ ୨୦୧୩-୧୪ ମସିହାରେ ସମସ୍ତ ଆଦିମ ଜନଜାତି କନ୍ଧଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ଦେବା ପାଇଁ ସରକାର ଆଦେଶ କ୍ରମେ ଡଙ୍ଗରିଆଙ୍କୁ ଇନ୍ଦିରା ଆବାସ କାର୍ଯ୍ଯାଦେଶ ପ୍ରଦାନ କରିଥିଲେ ପ୍ରଶାସନ। ଡଙ୍ଗରିଆ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘରଟିଏ ପାଇବା ଆଶାରେ ଖୁସିର ଲହରୀ ଖେଳିଯାଇଥିଲା। କାର୍ଯ୍ୟାଦେଶ ପାଇବା ପରେ ଡଙ୍ଗରିଆ ମାନେ ନିଜ ନିଜର ବାସଗୃହ କାର୍ଯ୍ୟ ଆରମ୍ଭ କରିଥିଲେ ଧାର ଉଦ୍ଧାର କରି ସରକାରୀ ଆଦେଶରେ ଗୋଟିଏ ଇନ୍ଦିରା ଆବାସ ପାଇଁ ୭୫ ହଜାର ଟଙ୍କା ଦେବାର ଉଲ୍ଲେଖ ରହିଛି ଏବଂ ନିର୍ଦ୍ଧାରଣ ସମୟ ମଧ୍ୟରେ କାର୍ଯ୍ୟ ଶେଷ କଲେ ପ୍ରୋତ୍ସାହନ ବା ବନୋସ ରାଶି ପ୍ରଦାନ କରାଯିବ ଏହି ଆଶା ନେଇ ନିର୍ଧାରିତ ସମୟରେ କାର୍ଯ୍ୟ ଶେଷ କରିଥିଲେ। ଅଧିକାଂଶ ଗୃହ କାର୍ଯ୍ୟ ସରିବା ର ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ଟଙ୍କା ସମ୍ପୂର୍ଣ୍ଣ ମିଳିପାରିନାହିଁ। କାହାକୁ ୧୦ ହଜାର ଆଉ କାହାକୁ ୨୦ ହଜାର ଟଙ୍କା ମିଳିଥିବା ବେଳେ ଆଉ କେତେଜଣଙ୍କୁ ଜମା ଟଙ୍କା ମିଳିପାରିନାହିଁ। ଫଳରେ ଋଣ କରିଥିବା ଟଙ୍କା ପରିଶୋଧ ନକରି ଭାଗ୍ୟକୁ ଆଦରି ପଡି ରହିଛନ୍ତି ଡଙ୍ଗରିଆ। ବର୍ତ୍ତମାନ ଅଧିକାଂଶ ଗୃହ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ରହିଥିବା ବେଳେ ଅନେକ ଗୃହ ମାଟିରେ ମିଶି ଗଲାଣି।

ପାର୍ସାଲି ପଞ୍ଚାୟତ ବଡବୁଡୁଣି ଗ୍ରାମର କୃଷ୍ଣ କାଲେ ୧୫ ହଜାର ସାରକା କଟୁଲୁ ୬୦ ହଜାର ଓ ଲକ୍ଷ୍ମଣ କାଡ୍ରାକା ୧୫ ହଜାର ଟଙ୍କା ପାଇଥିବା ବେଳେ ବଳକା ଟଙ୍କା ଗଲା କୁଆଡେ। ସେହିପରି ପାଖ ଚାଟିକଣା ଗ୍ରାମର ଦାମ ବେଙ୍ଗେସିକା , ସାନ୍ଧ୍ରି କାଡ୍ରାକା, କାଡ୍ରାକା ମାଙ୍ଗଡା, କାଡ୍ରାକା ମାସୁ ଓ କାଡ୍ରାକା ବୃଦ୍ରି ଏପରି ଅନେକ ଲୋକ ଟଙ୍କା ପାଇନାହାନ୍ତି। ଏମିତି ଅନେକ ଗ୍ରାମ ଲମ୍ବାଗୁମ୍ମା, ସାନ ଡେଙ୍ଗିନେଲି, ବଡ ଡେଙ୍ଗିନେଲି, ମିୟାବିଲି ଗ୍ରାମ ଗୁଡିକରେ ହିତାଧିକାରୀ ମାନ ଟଙ୍କା ନପାଇ ଭାଗ୍ୟକୁ ଆଦରି ନେଇଛନ୍ତି।

ସଂପୃକ୍ତ ଅଞ୍ଚଳର ସରପଞ୍ଚ ଦାମ କାଡ୍ରାକାଙ୍କୁ ପଚାରିବାରୁ ସେ କହିଛନ୍ତି ଜିଲ୍ଲାପାଳଙ୍କ ଠାରୁ ଜିଆରଏସ ପର୍ଯ୍ୟନ୍ତ ସମସ୍ତ ସରକାରୀ ବାବୁମାନଙ୍କୁ କହିଲୁ କିଏ ମଧ୍ୟ ଶୁଣୁନାହାନ୍ତି ଆଉ କାହାକୁ କହିବୁ ଆମେ ଜାଣିନାହୁଁ।

କଲ୍ୟାଣସିଂହପୁର ବିଡ଼ିଓ କହିଛନ୍ତି ଯେ ସେ ବିଷୟରେ ମୁଁ ଅବଗତ ନାହିଁ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର, ବିଷମକଟକ କାଶିପୁର, ଚନ୍ଦ୍ରପୁର ବ୍ଳକ ରେ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ ବାରି ହେଇଛି। ଏପରି ସରକାରୀ ବାବୁଙ୍କ ଅର୍ଥ ଲାଳସାରେ ବଳି ପଡିଛନ୍ତି ସରଳ ଆଦିମ ଜନଜାତି।

Leave a Reply

Your email address will not be published. Required fields are marked *