ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ଆଡମ୍ବରରେ ରଜ ଉତ୍ସବ ପାଳିଲେ ବିଜୁ ଯୁବ ବାହିନୀ

ମାଲକାନଗିରି, ୧୪ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ବିଜୁ ଯୁବ ବାହିନୀ ପାଳନ କରିଛି ରଜ ଉତ୍ସବ। ସଭ୍ୟ ଶିକ୍ଷିତ ସମାଜ ଅତ୍ୟାଧୁନିକତାର ବଶବର୍ତି ହୋଇ ଧିରେ ଧିରେ ନିଜର ପରମ୍ପରା ପର୍ବ ପର୍ବାଣୀକୁ ଭୁଲି ଯାଉଥିବା ବେଳେ ଏହି ବିଜୁ ଯୁବବାହିନୀର ଯୁବତୀ ଓ ଯୁବକ ମାନେ ଓଡିଆଙ୍କ ପରମ୍ପରା ମୁଖ୍ୟ ପର୍ବକୁ ମନେ ପକାଇ ଆଡମ୍ବର ସହକାରେ ପାଳିଛନ୍ତି ରଜ ଉତ୍ସବ। ବିଜୁ ଯୁବବାହିନୀ ସଂଯୋଜକ ସୋମେଶ ବାଘଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦର ମହକୁମାସ୍ଥ ୧୧୯ କଲୋନି ଆଖଣ୍ଡଳମଣି ମନ୍ଦିର ପରିସରରେ ଥିବା ବିରାଟ ବଟବୃକ୍ଷ ମୂଳରେ ଆୟୋଜିତ ଜିଲ୍ଲା ସ୍ତରୀୟ ରଜ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକେଡାମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ ଉକ୍ତ ଉତ୍ସବଟିକୁ ଉଦଘାଟନ କରିଥିଲେ। ମାଟି ଓ ମଣିଷର ନିବିଡ ସଂପର୍କ ବସୁଧା ମା ର ଆରାଧନା ପର୍ବ ହେଉଛି ରଜଉତ୍ସବ, ଏହା ଏକ ମହାନ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଉପକୂଳବର୍ତି ଅଞ୍ଚଳବାସୀଙ୍କ ପରି ଏବେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଡମ୍ବର ସହକାରେ ପାଳିତ ହେଉଛି ରଜପର୍ବ, ଏହା ଓଡିଶାବାସୀଙ୍କ ସଂସ୍କୃତି ଓ ପରମ୍ପରା, ଭାଇଚାର ପର୍ବ ବୋଲି ମୁଖ୍ୟ ଅତିଥି କହିଥିଲେ। ଉତ୍ସବ ଉଦଘାଟନ ପରେ ସାହି ବସ୍ତିର ଝିଅ ମାନଙ୍କ ଦ୍ୱାରା ଝୋଟି, ମୂରୁଜ, ରଙ୍ଗୋଲି, ପୁଚି, ଦଉଡା ଡିଆଁ, ଦୋଳି ଖେଳ ପ୍ରତି ଯୋଗୀତା ସାଙ୍ଗକୁ ଯୁବକ ମାନଙ୍କ ମଧ୍ୟରେ ବାଗୁଡି ଖେଳ ପ୍ରତି ଯୋଗୀତାର ଆୟୋଜନ କରା ଯାଇଥିଲା।

ଏହି ଅବସରେ ନାନା ପ୍ରକାର ରଜ ପିଠା, ମିଠା, ଖିଲି ପାନ ସମସ୍ତଙ୍କୁ ବଣ୍ଟାଯାଇ ଥିଲା। ଏହି ଉତ୍ସବରେ ଜିଲ୍ଲା ବିଜୁ ଯୁବ ବାହିନୀର ଯୁବ ସଂଯୋଜକ ବିନାଶ କୁମାର ମିଶ୍ର, ବିଜୁ ଯୁବ ବାହିନୀର କ୍ରୀଡା ଓ ସଂସ୍କୃତି ଅଧିକାରୀ ଜୟନ୍ତୀ ବୁରୁଦା, ଜୁବ ବାହିନୀର ସମାଜିକ ସଂଗଠକ ଦେବା ସୋଡି, ସତ୍ୟ ପ୍ରକାଶ ମହାପାତ୍ର, ଦୀପାରାଣି ନାୟକ, ବଳରାମ ଭଞ୍ଜ, ରାଧିକା ମାଝି, ପ୍ରୀୟାଙ୍କା ଦାଶ, ଦିପୀକା ଡି.ମାଝି, କାର୍ତିକ ହରିଜନ, ଗଣେଶ ହରିଜନ, ପ୍ରୀୟଙ୍କା ସାଗରିକା, କେ.ହରି କିରଣ, ପ୍ରତିଭା ମିସ୍ତ୍ରୀ, ପ୍ରୀୟଙ୍କା ବାଘ ପ୍ରମୁଖ ୫ଟି ବିଜୁ ଯୁବ ବାହିନୀ କ୍ଲବର ସଭାପତି, ସଂପାଦକ ମାନେ ଯୋଗଦେଇ ଏହି ରଜ ଉତ୍ସବଟି କୁ ପରିଚାଳନା କରିଥିଲେ। ପ୍ରଥମ ଥର କରି ଜିଲ୍ଲା ସ୍ତରୀୟ ରଜ ଉତ୍ସବ ପାଳନ ହେଉଥିବାରୁ ବିଭିନ୍ନ ସାହି ବସ୍ତିରୁ ଶତାଧିକ ସଂଖ୍ୟାରେ ଝିଅ, ପୁଅ ଓ ଆଦିବାସୀ ମହିଳା, ପୁରୁଷମାନେ ଯୋଗଦେଇ ରଜ ଦୋଳି ସହିତ ବିଭିନ୍ନ ପ୍ରତିଯୋଗୀତା ଦେଖି ମଜା ଉଠାଇ ଥିଲେ। ବିଭିନ୍ନ ଗାଁର ଯୁବକ ମାନେ ବାଗୁଡି ଖେଳରେ ମାତି ଥିବା ବେଳେ ମାଲକାନଗିରି ସହର ସହିତ ଗାଁ ଗହଳିରେ ଆମ୍ବ, ତେନ୍ତୁଳି, ମହୁଲ ଗଛମାନଙ୍କରେ ବାଉଁସ ଓ ଦୌଡାରେ ଦୋଳିବାନ୍ଧି ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଯୁବତୀ ଓ ଯୁବକ ମାନେ ଦୋଳିଖେଳର ମଜା ନେବାସହିତ ଘରେ ଘରେ ପିଠାପଣାର ସ୍ୱାଦ ନେଉଛନ୍ତି। ଆଉ କେତକ ଆଦିବାସୀ ଗାଁରେ ରଜପର୍ବ ପାଇଁ ଢେମସା ନାଚ ଓ କ୍ରିକେଟ, ବାଗୁଡି, ଲୁଡୁ, ପୋଚି, ତାସ ଖେଳର ପ୍ରତି ଯୋଗୀତା ଆଜି ଠାରୁ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମରେ ଆଦିବାସୀ ଯୁବତୀ ମାନେ ଢେମସା ନାଚ ପ୍ରତିଯୋଗୀତାର ଆୟୋଜନ କରିଛନ୍ତି, ଛୋଟ ଝୀଅ ଠାରୁ ଆରମ୍ଭ କରି ଯୁବତୀ ଓ ମହିଳା ମାନେ ହାତଛନ୍ଦା ଛନ୍ଦି ହୋଇ ରଜଗୀତ ଗାଇ ଢେମସା ନାଚରେ ମଜିଯାଇଥିଲେ, ଛୋଟ ଛୋଟ ଝୀଅ ମାନେ ନୂତନ ବସ୍ତ୍ର ପରିଧାନକରି ରଜଦୋଳି ଗୀତ ବନେସ୍ତେ ଡାକିଳା ଗଜ, ବରଷକେ ଥରେ ଆସିଛି ରଜ ଲୋ..ଘେନି ନୂଆ ସଜବାଜ ଗାଇ ଦୋଳି ଖେଳିଥିଲେ।ଗାଁର ପୁରୁଷ ଓ ଯୁବକ ମାନେ ତାସ ଓ ବାଗୁଡି ଖେଳ, ମହିଳା ମାନେ ଲୁଡୁ, କଉଡି ଖେଳରେ ମାତିଥିଲେ। ରଜ ଉତ୍ସବରେ ଆଦିବାସୀ ଚାଷୀ ମାନେ କେହି ବି କାମ କରିନଥିଲେ କି ଜମିରେ ହଳ ମଧ୍ୟ ବନ୍ଦକରି ରଜଉତ୍ସବ ମନାଇଥିଲେ। ପହିଲି ରଜ ରେ ବର୍ଷା ହୋଇ ନଥିବା କାଉଁଳିଆ ପାଗ ହୋଇଥିବାରୁ ବିଭିନ୍ନ ଗ୍ରାମରେ କୁଆଁରି ଝିଅ ମାନେ ଚନ୍ଦନ, କୁଙ୍କୁମ, ଅଳତା ଲଗାଇ ନୂତନ ବସ୍ତ୍ର ପରିଧାନକରି ଘର ଘର ବୁଲି ପିଠାପଣା ଖାଇବାସହିତ ଦୋଳି ଖେଳି ହସଖୁସି ମନାଇଥିଲେ। ଦିନ ତମାମ ମେଘୁଆ ପାଗ ରହିଥିବାରୁ ପହିଲି ରଜ ଉତ୍ସବ ପାଳନରେ ଖୁବ ମଜା ଉଠାଇଥିଲେ ପିଲାମାନେ।

Leave a Reply

Your email address will not be published. Required fields are marked *