ଜିଲ୍ଲା ପରିକ୍ରମା

ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ;ଫାର୍ମାସିଷ୍ଟ ଚଳାଉଛନ୍ତି ଡାକ୍ତରଖାନା

ଯାଜପୁର -୬/୬(ଓଡିଆ ପୁଅ / ଏ.ରାଉତ)- ରାଜ୍ୟ ସରକାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ରମାନ ପ୍ରତିଷ୍ଠା କରି ଡାକ୍ତର ନିଯୁକ୍ତି କରୁଛନ୍ତି। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଆସୁନଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ରୋଗୀ ଦେଖୁଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ଆଟେଣ୍ଡାଣ୍ଟ ରୋଗୀକୁ ଔଷଧ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଯାଜପୁର ମୁଖ୍ୟ ଡାକ୍ତରଖାନାରୁ ମାତ୍ର ୪ କି.ମି. ଦୂରରେ ନାଥସାହି ପଞ୍ଚାୟତ ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ରେ ଦେଖିବାକୁ ମିଳିଛି। ଖଇରାବାଦ, ଜାଫରପୁର, ନାଥସାହି, ଭୁବନେଶ୍ୱରପୁର, ଚଇନପୁର ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତର ଅଧିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ନାଥସାହି ପଞ୍ଚାୟତର ଆଦମପୁରଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) ପ୍ରତିଷ୍ଠା କରାଯାଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ୧୦୦ ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ହେମନ୍ତ କୁମାର ମହାରଣା ନିଯୁକ୍ତି ପାଇଥିବାବେଳେ ମନୋଜ କୁମାର ନାୟକ ଫାର୍ମାସିଷ୍ଟ ପ୍ରମୋଦ କୁମାର ଯେନା ଆଟେଣ୍ଡାଣ୍ଟଭାବେ କାର୍ଯ୍ୟ ତୁଲାଉଛନ୍ତି। ରୋଗୀଙ୍କ କହିବା କଥା ଡାକ୍ତର ବାବୁ କେବଳ ମଙ୍ଗଳବାର ଦିନ ଆସନ୍ତି। ଏବେ ଆଉ ଆସୁନାହାନ୍ତି ବୋଲି ଅଭିଯୋଗ କରିଥିଲେ। ସେହିପରି ଡାକ୍ତରବାବୁ ଆସୁନଥିବାବେଳେ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ ମନୋଜ କୁମାର ନାୟକ ରୋଗୀ ଦେଖୁଛନ୍ତି ବୋଲି କେତେକ ରୋଗୀ ଅଭିଯୋଗ କରିଥିଲେ। ଏପରିକି ରୋଗ ଚିହ୍ନଟ କରିନପାରି ଭୁଲ ଔଷଧ ଦିଆଯାଇଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ହେଉଛି। ସେହିପରି ଦୂରଦୂରାନ୍ତରୁ ଆସୁଥିବା ଗର୍ଭବତୀ ମହିଳା ଚିକିତ୍ସା ହୋଇନପାରି ଫେରିଯାଉଥିବା ଦେଖିବାକୁ ମିଳିଛି। ଖାଲି ଗର୍ଭବତୀ ମହିଳା ନୁହନ୍ତି ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀ ଚିକିତ୍ସିତ ହୋଇନପାରି ଫେରିଯାଉଥିବା ଦେଖିବାକୁ ମିଳିଛି। ସେହିପରି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ହୋମିଓପ୍ୟାଥିକ୍ର ଚିନ୍ମୟୀ ସାମଲ ଆୟୁଷ ଡାକ୍ତରଭାବେ ନିଯୁକ୍ତି ପାଇଛନ୍ତି। ସେ ପ୍ରତିଦିନ ଆସୁଥିବାବେଳେ ଡାକ୍ତର ହେମନ୍ତ କୁମାର ମହାରଣା ଆସୁନଥିବା ଓ ତାଙ୍କ ରୁମ୍ ବନ୍ଦଥିବା ଦେଖିବାକୁ ମିଳିଛି। ସେହିପରି ରୋଗୀ ଓ ଗର୍ଭବତୀ ମହିଳାଙ୍କ ନିମନ୍ତେ ଶୌଚାଳୟ ନଥିବାବେଳେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ନିକଟରେ ଥିବା ଏକ ନଳକୂପ ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିରହିଛି। ସେହିପରି ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଆଦମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ପାଇଁ ବସିବା ପାଇଁ ମଧ୍ୟ ସ୍ଥାନ ନଥିବା ଦେଖିବାକୁ ମିଳିଛି। କେବଳ ନାମକୁମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଉଥିବା ନେଇ ଅଭିଯୋଗ ହେଉଛି। ଡାକ୍ତରଖାନା ଚାରିପଟେ ଅନାବନା ଗଛ ମାଡ଼ିଯାଇଥିବାବେଳେ ତାହା ମଧ୍ୟ ସଫା କରାଯାଉନଥିବା ଓ ବର୍ଷାଦିନେ ସାପର ଭୟ ଥିବା କେତେକ ଅଭିଯୋଗ କରିଛନ୍ତି। ସେହିପରି ବହୁ ସମୟରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମିଳୁନଥିବା ଅଭିଯୋଗ ମଧ୍ୟ ହେଉଛି। ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଫାର୍ମାସିଷ୍ଟଙ୍କ ରୋଗୀଦେଖା ଘଟଣାକୁ ନେଇ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ୁଥିବାବେଳେ ଆଦମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ରୋଗୀଦେଖା ଘଟଣା ସମସ୍ତଙ୍କୁ ଚକିତ କରିଛି। ଯଦି ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗଠାରୁ ମାତ୍ର ୪ କି.ମି. ଦୂରତାରେ ଥିବା ଆଦମପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏପରି ତେବେ ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା କିପରି ଚାଲିଥିବା ତାହା ସାଧାରଣରେ ଅନୁମେୟ। ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ରେ ଡାକ୍ତର ଆସୁନଥିବା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବାରିସ କୁମାର ଦାସଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଜାଣିନଥିଲି। ଖୁବ୍ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top